ପ୍ରସ୍ତୁତି ଚୂଡ଼ାନ୍ତ: ୩ ତାରିଖରୁ ମା’ ସମଲେଶ୍ୱରୀଙ୍କ ଶାରଦୀୟ ପୂଜା ଆରମ୍ଭ
ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ): ବରଗଡର ଗ୍ରାମ୍ୟଦେବୀ ମା’ ସମଲେଶ୍ୱରୀଙ୍କ ଶାରଦୀୟ ନବଦିନାତ୍ମକ ପୂଜା ପାଇଁ ମନ୍ଦିର କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆସନ୍ତା ଅକ୍ଟୋବର ୩ରୁ ୧୨ ତାରିଖ ପର୍ଯ୍ୟନ୍ତ ସମଲେଶ୍ୱରୀଙ୍କୁ ବିଭିନ୍ନ ବେଶରେ ସଜ୍ଜିତ କରାଯାଇ ପୂଜାର୍ଚ୍ଚନା କରାଯିବ। ସେହିପରି ଅକ୍ଟୋବର ୨ତାରିଖ ବୁଧବାର ଆଶ୍ୱିନ ଆମାବାସ୍ୟା ତିଥିରେ ମା’ ସମଲେଶ୍ୱରୀ ଭକ୍ତଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେବେ। ଏହି ଅବସରରେ ବିଶ୍ୱକଲ୍ୟାଣ ନିମିତ ସହତ୍ସାଧିକ ଦୀପ ପ୍ରଜ୍ୱଳନ କରାଯିବ। ସେହିପରି ଶାରଦୀୟ ନବ […] The post ପ୍ରସ୍ତୁତି ଚୂଡ଼ାନ୍ତ: ୩ ତାରିଖରୁ ମା’ ସମଲେଶ୍ୱରୀଙ୍କ ଶାରଦୀୟ ପୂଜା ଆରମ୍ଭ appeared first on Dharitri Odia News.
ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ): ବରଗଡର ଗ୍ରାମ୍ୟଦେବୀ ମା’ ସମଲେଶ୍ୱରୀଙ୍କ ଶାରଦୀୟ ନବଦିନାତ୍ମକ ପୂଜା ପାଇଁ ମନ୍ଦିର କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆସନ୍ତା ଅକ୍ଟୋବର ୩ରୁ ୧୨ ତାରିଖ ପର୍ଯ୍ୟନ୍ତ ସମଲେଶ୍ୱରୀଙ୍କୁ ବିଭିନ୍ନ ବେଶରେ ସଜ୍ଜିତ କରାଯାଇ ପୂଜାର୍ଚ୍ଚନା କରାଯିବ। ସେହିପରି ଅକ୍ଟୋବର ୨ତାରିଖ ବୁଧବାର ଆଶ୍ୱିନ ଆମାବାସ୍ୟା ତିଥିରେ ମା’ ସମଲେଶ୍ୱରୀ ଭକ୍ତଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେବେ।
ଏହି ଅବସରରେ ବିଶ୍ୱକଲ୍ୟାଣ ନିମିତ ସହତ୍ସାଧିକ ଦୀପ ପ୍ରଜ୍ୱଳନ କରାଯିବ। ସେହିପରି ଶାରଦୀୟ ନବ ଦିନାତ୍ମକ ପୂଜା ପାଇଁ ୨ ତାରିଖ ବୁଧବାର ଅପରାହ୍ନ ୩ଟା ୧୨ ମିନିଟରୁ ମା’ଙ୍କ ଖଣ୍ଡାଧୁଆ ପର୍ବ ପାଇଁ କଳସଯାତ୍ରା ଅନୁଷ୍ଠିତ ହେବ। ୩ ତାରିଖ ଗୁରୁବାର ପ୍ରଥମ ଦିବସ ବିହିତ ପୂଜାରମ୍ଭ ତଥା ମାନସିକ ଦୀପ ପ୍ରଜ୍ୱଳନ କରାଯିବ। ଏହି ଦିନ ମା’ଙ୍କୁ ଶୈଳପୁତ୍ରୀ ବେଶରେ ପୂଜାର୍ଚ୍ଚନା କରାଯିବ।
ଅକ୍ଟୋବର ୪ ତାରିଖ ଶୁକ୍ରବାର ମା’ଙ୍କୁ ବ୍ରହ୍ମଚାରିଣୀ, ୫ତାରିଖ ଶନିବାର ଚନ୍ଦ୍ରଘଣା୍ଟ, ୬ତାରିଖ ରବିବାର କୁଷ୍ମାଣ୍ଡା ଏବଂ ୭ ତାରିଖ ସୋମବାର ସ୍କନ୍ଧମାତା ବେଶରେ ପୂଜା କରାଯିବ। ୮ ତାରିଖ ମଙ୍ଗଲବାର ଆଶ୍ୱିନ ଶୁକ୍ଳ ପଞ୍ଚମୀ ଯୁକ୍ତ ଷଷ୍ଠୀ ଅବସରରେ ମା’ ସମଲେଶ୍ୱରୀ ଦେବୀ କାତ୍ୟାୟନୀ ବେଶରେ ପୂଜା ପାଇବେ। ୯ ତାରିଖ ବୁଧବାର ଆଶ୍ୱିନ ଶୁକ୍ଳ ଷଷ୍ଠୀ ଯୁକ୍ତ ସପ୍ତମୀରେ ମା’ଙ୍କୁ କାଳରାତ୍ରୀ ବେଶରେ ପୂଜା କରାଯିବ। ୧୦ତାରିଖ ଗୁରୁବାର ଆଶ୍ୱିନ ଶୁକ୍ଳ ସପ୍ତମୀ ଯୁକ୍ତ ଅଷ୍ଟମୀ ତିଥିରେ ମା’ ସମଲେଶ୍ୱରୀ ମହାଗୌରୀ ବେଶରେ ଦର୍ଶନ ଦେବେ ଏବଂ ମହାଷ୍ଟମୀ ବିହିତ ପୂଜା ଅନୁଷ୍ଠିତ ହେବ।
ନିଶାର୍ଦ୍ଧ ମଧ୍ୟେ ଅଷ୍ଟମୀ ପଡୁଥିବାରୁ ଏହିଦିନ ପଶ୍ଚିମ ଓଡିଶାରେ ଭାଇଜୀଉତିଆଁ ଓଷା ପାଳନ କରାଯିବ। ୧୧ ତାରିଖ ଶୁକ୍ରବାର ଅଷ୍ଟମୀଯୁକ୍ତ ନବମୀ ତିଥି ଦିବା ୧୧ ଘ. ୫୪ ମିନିଟରୁ ସନ୍ଧି ପୂଜାରମ୍ଭ ହୋଇ ଦିବା ୧୨ ଘ.୪୨ ମିନିଟ ମଧ୍ୟରେ ସମାପନ ହେବ। ସନ୍ଧିପୂଜା ପରେ ମହାନବମୀ ବିହିତ ପୂଜାର୍ଚ୍ଚନା, ପୀଠେ ନବକୁମାରୀ ପୂଜନ ଅନୁଷ୍ଠିତ ହେବା ସହ ଗ୍ରାମ୍ୟଦେବୀ ସମଲେଶ୍ୱରୀ ଦେବୀ ସିଦ୍ଧିଧାତ୍ରୀ ବେଶରେ ପୂଜା ପାଇବେ ବୋଲି ପଣ୍ଡିତ ଶିବ ଶଙ୍କର ଦାଶ ଏବଂ ପଣ୍ଡିତ ଚୂଡାମଣି ରଥ ସୂଚନା ଦେଇଛନ୍ତି।
୧୨ ତାରିଖ ଶନିବାର ନବମୀଯୁକ୍ତ ଦଶମୀ ଅବସରରେ ଦିବା ୧୨ଟା ୧୨ ମିନିଟରୁ ଦେବୀଙ୍କ ବିଜୟାଦଶମୀ ବିହିତ ପୂଜାର୍ଚ୍ଚନା, ଚଣ୍ଡୀହୋମ ଆରମ୍ଭ, ଅପରାହ୍ନ ୩ଟା ୫୯ ମିନିଟରେ ପୂର୍ଣ୍ଣାହୁତି ତଥା ଅପରାଜିତା ପୂଜନ, ଆଶୀର୍ବାଦ ପ୍ରଦାନ କରାଯିବ । ଏହି ଦିନ ଗ୍ରାମ୍ୟଦେବୀ ମା’ ସମଲେଶ୍ୱରୀଙ୍କୁ ଅନ୍ନପୂର୍ଣ୍ଣା ବେଶରେ ସଜ୍ଜିତ କରାଯିବ। ସେହିପରି ୧୭ ତାରିଖ ଗୁରୁବାର କୁମାର ପୂର୍ଣ୍ଣିମା ଅବସରରେ ମା’ ସମଲେଇଶ୍ୱରୀ ଦେବୀଙ୍କ ରାଜ ରାଜେଶ୍ୱରୀ ବେଶ ଏବଂ ରାତ୍ରେ ବଇଲପର୍ବ ଅନୁଷ୍ଠିତ ହେବ ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ କମିଟି ତରଫରୁ ସୂଚନା ଦିଆଯାଇଛି ।
ଶାରଦୀୟ ନବରାତ୍ର ପୂଜା ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯିବା ସହ ମନ୍ଦିର ସମେତ ସଂଯୋଗ କରୁଥିବା ରାସ୍ତାକୁ ଉଜ୍ୱଳ ଆଲୋକ ତଥା ବିଭିନ୍ନ ପ୍ରକାର ଫୁଲରେ ସଜ୍ଜିତ କରାଯାଇଛି ।
The post ପ୍ରସ୍ତୁତି ଚୂଡ଼ାନ୍ତ: ୩ ତାରିଖରୁ ମା’ ସମଲେଶ୍ୱରୀଙ୍କ ଶାରଦୀୟ ପୂଜା ଆରମ୍ଭ appeared first on Dharitri Odia News.