ପ୍ରେମ ବିବାହ କରିବାରୁ ସର୍ବସମ୍ମୁଖରେ ଝିଅ-ଜ୍ୱାଇଁଙ୍କୁ ଗୁଳି ମାରିଦେଲେ ପରିବାର ଲୋକ
ଝିଅ ଜଣଙ୍କ ପରିବାର ଲୋକଙ୍କ ବିରୋଧରେ ଯାଇ ପ୍ରେମ ବିବାହ କରିଥିବାରୁ ତାଙ୍କୁ ଓ ତାଙ୍କ ସ୍ୱାମୀଙ୍କୁ ସର୍ବସମ୍ମୁଖରେ ନିର୍ମମ ଭାବେ ହତ୍ୟା କରାଯାଇଛି।
ଭୟଙ୍କର ଓ ବିଚଳିତ କରିବା ଭଳି ହତ୍ୟାକାଣ୍ଡର ଭିଡିଓ ସାମ୍ନାକୁ ଆସିଛି। ଜଣେ ଯୁବ ଦମ୍ପତିଙ୍କୁ କେମିତି ସର୍ବସମ୍ମୁଖରେ ଝିଅ ଘର ଲୋକ ଗୁଳି କରି ହତ୍ୟା କରୁଛନ୍ତି, ତା’ର ଲୋମହର୍ଷଣକାରୀ ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଛି। ପାକିସ୍ତାନର ବାଲୋଚିସ୍ତାନ ପ୍ରଦେଶରୁ ଆସିଥିବା ଏ ଘଟଣାର ଭିଡିଓକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଝିଅ ଜଣଙ୍କ ପରିବାର ଲୋକଙ୍କ ବିରୋଧରେ ଯାଇ ପ୍ରେମ ବିବାହ କରିଥିବାରୁ ତାଙ୍କୁ ଓ ତାଙ୍କ ସ୍ୱାମୀଙ୍କୁ ସର୍ବସମ୍ମୁଖରେ ନିର୍ମମ ଭାବେ ହତ୍ୟା କରାଯାଇଛି।
ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ କିଛି ଲୋକ ଏସ୍ୟୁଭି ଓ ପିକଅପ ଟ୍ରକରେ କ୍ୱେଟ୍ଟାର ଉପକଣ୍ଠରେ ଥିବା ଗୋଟିଏ ମରୁଭୂମି ଭଳି ଦେଖାଯାଉଥିବା ସ୍ଥାନରେ ପହଞ୍ଚୁଛନ୍ତି। ଗାଡ଼ିରୁ ପ୍ରଥମେ ସେମାନେ ପ୍ରେମ ବିବାହ କରିଥିବା ଦମ୍ପତିଙ୍କୁ ବାହାର କରିଥିଲେ।
ମହିଳା ଜଣଙ୍କ ମୁଣ୍ଡ କପଡ଼ାରେ ଗୁଡ଼ା ଯାଇଥିବା ବେଳେ ତାଙ୍କୁ କୁରାନର ଗୋଟିଏ କପି ଦିଆଯାଇଥିଲା। ସେ ଏହି ପବିତ୍ର ଧାର୍ମିକ ପୁସ୍ତକ ଧରି ଆଗକୁ ବଢ଼ିଥିଲେ। ତାଙ୍କୁ ସମସ୍ତେ ଚାହିଁ ରହିଥିଲେ। ସ୍ଥାନୀୟ ବ୍ରାହାଭି ଭାଷାରେ ସେ ଜଣେ ପୁରୁଷଙ୍କ କହିଥିଲେ ଯେ “ମୋ ସହ ୭ ପାଦ ଚାଲ। ଏହାପରେ ତୁମେ ମୋତେ ଗୁଳି ମାରି ଦେବ।”
ବ୍ୟକ୍ତି ଜଣଙ୍କ ତାଙ୍କ ନିର୍ଦ୍ଦେଶ ଅନୁସାରେ କିଛି ପାଦ ଚାଲିଥିଲେ। ଏହାପରେ ମହିଳା ଜଣଙ୍କ କହିଥିଲେ, “ତୁମକୁ ମୋତେ କେବଳ ଗୁଳି କରିବାର ଅନୁମତି ମିଳିଛି। ଏହା ଠାରୁ ଅଧିକ କିଛି ନାହିଁ।” ଏହା ଠାରୁ ଅଧିକ କିଛି ନୁହଁ ବୋଲି କାହିଁକି ମହିଳା ଜଣଙ୍କ କହିଥିଲେ, ସେକଥା ଜଣାପଡ଼ିନି।
ତେବେ ମହିଳାଙ୍କ ପଛରେ ଥିବା ପୁରୁଷ ଜଣଙ୍କ କୋର୍ଟଙ୍କ ନିର୍ଦ୍ଦେଶ ପରି ସବୁ କଥା ମାନିବା ସହ ନିଜ ପାଖରେ ଥିବା ବନ୍ଧୁକ ବାହାର କରିଥିଲେ। ଏହାପରେ ମହିଳା ପଛରେ ରହି ତାଙ୍କ ଉପରକୁ ଏକାଧିକ ରାଉଣ୍ଡ ଗୁଳି ଅତି ନିକଟରୁ ଚଳାଇଥିଲେ। ତୃତୀୟ ଗୁଳି ଶବ୍ଦ ଶୁଣା ଯିବା କ୍ଷଣି ମହିଳା ଜଣଙ୍କ ଟଳି ପଡ଼ିଥିଲେ।
A Girl Shot dead by there family member #Balochistanincident #Balochistan pic.twitter.com/FJdhCN6VtD— Darab_Muhammadi (@HasanDarab50815) July 21, 2025
ଏହାପରେ ଆହୁରି ଏକାଧିକ ରାଉଣ୍ଡ ଗୁଳି ଚାଲିଥିଲା। କିଛି କ୍ଷଣ ପରେ ଜଣେ ବ୍ୟକ୍ତି ରକ୍ତାକ୍ତ ଅବସ୍ଥାରେ ମହିଳାଙ୍କ ମୃତଦେହ ପାଖରେ ପଡ଼ିଥିବା ଦେଖାଯାଉଛି। ଦୁଇ ଜଣଙ୍କ ମୃତଦେହ ପଡ଼ିଥିବା ବେଳେ ସେଠାରେ ଉପସ୍ଥିତ ଥିବା ଲୋକମାନେ ଖୁସି ମନାଉଛନ୍ତି।
ଘଟଣାଟି ୨୦୨୫ ମେ’ ମାସରେ ପଡ଼ିଥିବା ଇଦ-ଅଲ ଅଦା ବା ବକ୍ରି ଇଦ ସମୟର। ଏବେ ଭିଡିଓ ଭାଇରାଲ ହେବା ପରେ ପାକିସ୍ତାନ ସମେତ ବିଭିନ୍ନ ଦେଶରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସାମାଜିକ ଓ ମାନବାଧିକାର କର୍ମୀମାନେ ଘଟଣାରେ ନ୍ୟାୟ ଦାବି କରିଛନ୍ତି। ସ୍ଥାନୀୟ ପରମ୍ପରା ଓ ସଂସ୍କୃତିକୁ ମାନୁ ନଥିବା ମହିଳାଙ୍କ ବିରୋଧରେ ହେଉଥିବା ଅପରାଧକୁ ରୋକିବା ପାଇଁ ଆଇନ ପ୍ରଣୟନ ସପକ୍ଷରେ ସେମାନେ ମତ ରଖିଛନ୍ତି।
ବିବାଦ ପରେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରି ହତ୍ୟାର ଶିକାର ହୋଇଥିବା ଦମ୍ପତିଙ୍କୁ ଚିହ୍ନଟ କରିଛି। ସେମାନେ ହେଲେ ବାନୋ ବିବି ଓ ଏହସାନ ଉଲ୍ଲା। ଉଭୟ ପ୍ରେମ ବିବାହ କରିଥିବାରୁ ସେମାନଙ୍କୁ ବାନୋ ବିବିଙ୍କ ପରିବାର ଲୋକ ହତ୍ୟା କରିଥିଲେ। ପୁଲିସ୍ ଏହି ଘଟଣାରେ ୧୩ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି।
ଦମ୍ପତିଙ୍କୁ ହତ୍ୟା କରିବା ପାଇଁ ଆଦିବାସୀ ନେତା ସର୍ଦାର ସତକଜାଇ ନିର୍ଦ୍ଦେଶ ଦେଇଥିଲେ। ବାନୋ ବିବି ପ୍ରେମ ବିବାହ କରିଥିବାରୁ ତାଙ୍କ ଭାଇ ସର୍ଦ୍ଦାର ପାଖରେ ପହଞ୍ଚିବାରୁ ସେ ଏପରି ହତ୍ୟା କରିବାକୁ କହିଥିଲେ। ପୁଲିସ୍ ଏବେ ସର୍ଦାର ଓ ବାନୋ ବିବିଙ୍କ ଭାଇ ସମେତ ୧୩ ଜଣଙ୍କୁ ବାନ୍ଧିଛି।