ପ୍ୟାରିସ ଅଲିମ୍ପିକ୍ସ: ମଉଳିଗଲା ମନୁଙ୍କ ହ୍ୟାଟ୍ରିକ୍ ମେଡାଲ ଆଶା
ପ୍ୟାରିସ ଅଲିମ୍ପିକ୍ସର 25 ମିଟର ପିସ୍ତଲ ଫାଇନାଲରେ ଚତୁର୍ଥ ସ୍ଥାନରେ ରହି ଯାଇଛନ୍ତି ମନୁ ଭାକର।
ଗୋଟିଏ ଇଭେଣ୍ଟରେ ଦୁଇଟି ପଦକ ଜିତି ଇତିହାସ ରଚିଥିବା ଶୁଟର ମନୁ ଭାକର ଶେଷରେ ନିରାସ ହୋଇଛନ୍ତି। ପ୍ୟାରିସ ଅଲିମ୍ପିକ୍ସର 25 ମିଟର ପିସ୍ତଲ ଫାଇନାଲରେ ଚତୁର୍ଥ ସ୍ଥାନରେ ରହି ଯାଇଛନ୍ତି ମନୁ ଭାକର। ଫଳରେ ହ୍ୟାଟ୍ରିକ୍ ମେଡାଲ ଆଶା ମଉଳି ଯାଇଛି।
ଫାଇନାଲ ଫାଇଟରେ ଏକ ସମୟରେ ମନୁ ଦ୍ୱିତୀୟ ସ୍ଥାନରେ ରହିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଚତୁର୍ଥ ସ୍ଥାନକୁ ଖସି ଆସିଥିଲେ। ହଙ୍ଗେରୀର ବେରୋଣିକା ମେଜର ତାଙ୍କୁ ପଛରେ ପକାଇ ବ୍ରୋଞ୍ଜ ବିଜୟୀ ହୋଇଛନ୍ତି। ସେହିପରି ଦକ୍ଷିଣ କୋରିଆ ପ୍ରଥମରେ ରହି ସ୍ୱର୍ଣ୍ଣ ବିଜେତା ହୋଇ ଥିବାବେଳେ ଫ୍ରାନ୍ସ ରୌପ୍ୟ ଜିତି ନେଇଛି।
22 ବର୍ଷୀୟ ମନୁ 25 ମିଟର ପିସ୍ତଲ ଫାଇନାଲରେ ପଦକ ଜିତି ପାରିନଥିଲେ ମଧ୍ୟ ପୂର୍ବ ଦୁଇ ଇଭେଣ୍ଟରେ ବ୍ରୋଞ୍ଜ ବିଜୟୀ ହୋଇ ଭାରତକୁ ଗର୍ବିତ କରିଛନ୍ତି। ସେ 10 ମିଟର ଏୟାର ପିସ୍ତଲ ମହିଳା ବର୍ଗରେ ଭାରତକୁ ପ୍ରଥମ ବ୍ରୋଞ୍ଜ ପଦକ ଭେଟି ଦେଇଥିଲେ। ଏହାପରେ 10 ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ମଧ୍ୟ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ଜିତିଥିଲେ।
ମିକ୍ସଡ ଇଭେଣ୍ଟରେ ତାଙ୍କ ସହ ସରବଜତ ସିଂହ ରହିଥିଲେ। ମନୁ ନିଜର ହ୍ୟାଟ୍ରିକ ମେଡାଲ ସହ ଭାରତକୁ ଆଉ ଏକ ପଦକ ଭେଟି ଦେବା ନେଇ ଆଶା କରା ଯାଉଥିଲା। କିନ୍ତୁ ସେ ସେ 25 ମିଟର ପିସ୍ତଲ ଫାଇନାଲରେ କୌଣସି ପଦକ ଜିତି ପାରିନାହାନ୍ତି। ଏଥିସହ ମନୁଙ୍କ ପ୍ୟାରିସ ଅଲିମ୍ପିକ୍ସ ଯାତ୍ରା ଶେଷ ହୋଇଛି।
ଅନ୍ୟପଟେ ଭାରତ ଏଯାଏ ପ୍ୟାରିସ ଅଲିମ୍ପିକ୍ସରେ 3ଟି ପଦକ ଜିତିଛି। ମନୁ ଓ ସରବଜୋଙ୍କ ବ୍ୟତୀତ ୫୦ ମିଟର ରାଇଫଲ ଥ୍ରୀ ପୋଜିସନରେ ସ୍ୱପ୍ନିଲ କୁଶାଲେ ବ୍ରୋଞ୍ଜ ବିଜୟୀ ହୋଇଛନ୍ତି।