ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣା: ଡିଏଫଓଙ୍କୁ ମାରାଥନ ଜେରା

ଘଟଣାପରେ ଡିଏଫ୍‌ଓ ଛୁଟିରେ ଚାଲି ଯାଇଥିଲେ।

ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣା: ଡିଏଫଓଙ୍କୁ ମାରାଥନ ଜେରା

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଜାରିଂ ନର୍ସରୀ ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣାରେ ରାୟଗଡ଼ା ସିଲ୍‌ଭିକଲଚର ଡିଏଫ୍‌ଓ ଦେବେନ୍ଦ୍ର ବେହେରାଙ୍କୁ ଆଜି ମାରାଥନ ଜେରା କରାଯାଇଛି। ଭବାନୀପାଟଣା ଟାଉନ ଥାନାରେ ସଦର ଏସ୍‌ଡିପିଓ ସୁନାରାମ ହେମ୍ରମ ଓ ତଦନ୍ତ ଅଧିକାରୀ ପ୍ରମୁଖ ତାଙ୍କୁ ୪ ଘଣ୍ଟା ଧରି ଜେରା କରିଛନ୍ତି।

ଏହି ଘଟଣାରେ ଭବାନୀପାଟଣା ପୁଲିସ ୩୬୮/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଡିଏଫ୍ଓ ଦେବେନ୍ଦ୍ର ବେହେରା ଧରାଛୁଆଁ ନ ଦେଇ କୋର୍ଟର ଆଶ୍ରୟ ନେଇଥିଲେ। କୋର୍ଟରୁ ମଧ୍ୟବର୍ତ୍ତୀ କାଳୀନ ସୁରକ୍ଷା ପାଇବା ପରେ ସେ ଆଜି ଥାନାରେ ହାଜର ହୋଇଥିଲେ। ଘଟଣା ଘଟିବାର ୧୭ ଦିନ ପରେ ସେ ଥାନାରେ ହାଜର ହୋଇଥିଲେ। ଦିନ ୧୨ଟାରୁ ଅପରାହ୍ନ ୪ଟା ଯାଏଁ ତାଙ୍କୁ ସେଠାରେ ପଚରାଉଚରା କରାଯାଇଥିଲା।

ଅନ୍ୟପକ୍ଷରେ ମୃତ ଫରେଷ୍ଟର ସଞ୍ଜୟ ନାୟକଙ୍କ ସୁଇସାଇଡ ନୋଟକୁ ଭୁବନେଶ୍ୱରରେ ଥିବା ଫରେନ୍‌ସିକ୍ ଲ୍ୟାବକୁ ପଠାଯାଇଛି। ଏ ନେଇ ପୁଲିସଠାରୁ ଅଧିକ କିଛି ପ୍ରତିକ୍ରିୟା ମିଳିପାରି ନାହିଁ। ସଞ୍ଜୟ ଗୋଟିଏ ଚିଠି ଛାଡ଼ି ଯାଇଥିଲେ। ସିଲଭିକଲଚର୍ ନର୍ସରୀରେ ଚାରା ପ୍ରସ୍ତୁତ ଓ ମଞ୍ଜି କିଣିବା ବାବଦରେ ୭ ଲକ୍ଷ ଟଙ୍କା ପିସି ମଗାଯାଇଥିବା କଥା ସେଥିରେ ଉଲ୍ଲେଖ ହୋଇଛି। ସେହିପରି ଡିଏଫ୍‌ଓ ଦେବେନ୍ଦ୍ର ବେହେରା ତାଙ୍କୁ ବାରମ୍ବାର ମାନସିକ ନିର୍ଯାତନା ଦେଉଥିଲେ ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ। ସେହି କାରଣରୁ ହିଁ ସଂଜୟ ଆତ୍ମହତ୍ୟା କରିଥିବା କୁହାଯାଉଛି।

ଘଟଣାପରେ ଡିଏଫ୍‌ଓ ଛୁଟିରେ ଚାଲି ଯାଇଥିଲେ। ଗତ ସେପ୍ଟେମ୍ବର ୧୮ରୁ ୨୨ତାରିଖ ପର୍ଯ୍ୟନ୍ତ ଛୁଟିରେ ରହିବାକୁ ଦରଖାସ୍ତ ଦେଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେଇନାହାନ୍ତି। ଏପରିକି ସେହିଦିନ ଠାରୁ ତାଙ୍କ ମୋବାଇଲ ଫୋନ୍ ବନ୍ଦ ରହିଥିବାରୁ ଯୋଗାଯୋଗ ହୋଇପାରୁ ନଥିଲା। ଡିଏଫ୍‌ଓଙ୍କ ଛୁଟି ଅବଧି ସରିବା ପରେ କାର୍ଯ୍ୟରେ ଯୋଗ ନ ଦେବା ସନ୍ଦେହକୁ ବଢ଼ାଇଥିଲା।

ରିପୋର୍ଟ- ରାଜକୁମାର ସିଂହ ଦେଓ