ଫାର୍ମା ପ୍ଲାଣ୍ଟ ବିସ୍ଫୋରଣ ଘଟଣା: ମୃତ୍ୟୁସଂଖ୍ୟା ୩୬ ଛୁଇଁଲା, ମୃତକଙ୍କ ମଧ୍ୟରେ ବହୁ ଓଡ଼ିଆ!

ଧ୍ୱଂସାବଶେଷ ତଳୁ ମୋଟ ୩୧ଟି ମୃତଦେହ ମିଳିଛି। ହସ୍ପିଟାଲରେ ମଧ୍ୟ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ମୋଟ ୩୬ ଜଣ ଜୀବନ ଯାଇଛି।

ଫାର୍ମା ପ୍ଲାଣ୍ଟ ବିସ୍ଫୋରଣ ଘଟଣା: ମୃତ୍ୟୁସଂଖ୍ୟା ୩୬ ଛୁଇଁଲା, ମୃତକଙ୍କ ମଧ୍ୟରେ ବହୁ ଓଡ଼ିଆ!

ତେଲଙ୍ଗାନାର ସଙ୍ଗାରେଡ୍ଡୀ ଜିଲ୍ଲାରେ ଥିବା ଗୋଟିଏ ଫାର୍ମା ପ୍ଲାଣ୍ଟରେ ସୋମବାର ହୋଇଥିବା ଭୟଙ୍କର ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୩୬ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଏବେ ବି ଅନେକ ଶ୍ରମିକ ନିଖୋଜ ରହିଛନ୍ତି। ଉଦ୍ଧାରକାରୀ ଟିମ ବିସ୍ଫୋରଣ ସ୍ଥଳରେ ଧ୍ୱଂସାବଶେଷ ସଫା କରିବାରେ ଲାଗି ପଡ଼ିଛନ୍ତି।

ଜିଲ୍ଲାର ଏସ୍‌ପି ପରିତୋଶ ପଙ୍କଜ ମଙ୍ଗଳବାର ନିଶ୍ଚିତ କରିଛନ୍ତି ଯେ ସିଗାଚି ଇଣ୍ଡଷ୍ଟ୍ରୀଜ ଫାର୍ମ ପ୍ଲାଣ୍ଟରେ ହୋଇଥିବା ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି। ତାଙ୍କ କହିବା କଥା ଯେ ବିସ୍ଫୋରଣ ଯୋଗୁ ୩ ମହଲା ବିଶିଷ୍ଟ ପ୍ଲାଣ୍ଟ ଭୁଶୁଡ଼ି ପଡ଼ିଥିଲା। ଏବେ ଧ୍ୱଂସାବଶେଷ ତଳୁ କର୍ମଚାରୀ ଓ ଶ୍ରମିକଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି।

ଧ୍ୱଂସାବଶେଷ ତଳୁ ମୋଟ ୩୧ଟି ମୃତଦେହ ମିଳିଛି। ହସ୍ପିଟାଲରେ ମଧ୍ୟ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ମୋଟ ୩୬ ଜଣ ଜୀବନ ଯାଇଛି। ଏବେ ବି ଅନେକ ଶ୍ରମିକ ନିଖୋଜ ଅଛନ୍ତି ବୋଲି ସେ କହିଛନ୍ତି।

ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେଭନ୍ଥ ରେଡ୍ଡୀ ଓ ଅନ୍ୟ କିଛି କ୍ୟାବିନେଟ ସଦସ୍ୟ ମଙ୍ଗଳବାର ସକାଳୁ ବିସ୍ଫୋରଣ ସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି। ସ୍ଥିତି ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ କହିଛନ୍ତି, “ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ଆମ ମନ୍ତ୍ରୀ ମ୍ୟାନେଜମେଣ୍ଟ ସହ କଥା ହୋଇଛନ୍ତି। ସରକାରୀ ଅଧିକାରୀ ଓ ଉଦ୍ଧାରକାରୀ ଟିମ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରାଯାଉଛି। ମୃତକଙ୍କ ମଧ୍ୟରେ ବିହାର, ଓଡ଼ିଶା, ମଧ୍ୟପ୍ରଦେଶ ଓ ଆନ୍ଧ୍ର ପ୍ରଦେଶର ଶ୍ରମିକ ରହିଛନ୍ତି। ଘଟଣା ବେଳେ ପ୍ଲାଣ୍ଟରେ ମୋଟ ୧୪୩ ଜଣ ରହିଥିଲେ।”

ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ୧ କୋଟିର କ୍ଷତି ପୂରଣ ରାଶି ଘୋଷଣା କରିଥିବା ବେଳେ ଗୁରୁତର ଆହତଙ୍କ ପାଇଁ ୧୦ ଲକ୍ଷ ଓ କେବଳ ଆହତ ହୋଇଥିବା ଲୋକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ମିଳିବ ବୋଲି କହିଛନ୍ତି।

ସୋମବାର ସକାଳ ୮.୧୫ରୁ ୯.୩୫ ମଧ୍ୟରେ ପ୍ଲାଣ୍ଟର ରିଆକ୍ଟରରେ କେମିକାଲ ରିଆକ୍ସନ ଯୋଗୁ ବିସ୍ଫୋରଣ ହୋଇଥିବା ଆଶଙ୍କା କରାଯାଉଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ପ୍ଲାଣ୍ଟ ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ସେହିପରି ସେଠାରେ କାମ କରୁଥିବା ଶ୍ରମିକମାନେ ପ୍ରାୟ ୧୦୦ ମିଟର ଦୂରକୁ ଛିଟିକି ପଡ଼ିଥିଲେ। ବିସ୍ଫୋରଣ ପରେ ବିଲଡିଂରେ ନିଆଁ ମଧ୍ୟ ଲାଗି ଯାଇଥିଲା।

ମିଆଁପୁରରେ ଥିବା ପ୍ରଣାମ ହସ୍ପିଟାଲରେ ସୋମବାର ୨୧ ଜଣଙ୍କୁ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨ ଜଣ ତୁରନ୍ତ ପ୍ରାଣ ହରାଇଥିବା ବେଳେ ଜଣେ ଆଜି ସକାଳେ ଆଖି ବୁଜିଛନ୍ତି। ଅନ୍ୟ ଗୁରୁତରଙ୍କ ଚିକିତ୍ସା ଚାଲିଛି। ସେହିପରି ଧ୍ରୁବ ହସ୍ପିଟାଲରେ ୧୧ ଜଣଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ସୁପର ସ୍ପେଶାଲିଟୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବାକି ୯ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ଚିକିତ୍ସା ଭେଣ୍ଟିଲେଟରରେ ଚାଲିଛି। ୭ ଜଣଙ୍କ ଶରୀର ୪୦ରୁ ୮୦% ପୋଡ଼ି ଯାଇଥିବା ବେଳେ ଦୁଇ ଜଣଙ୍କ ଶରୀର ୧୦% ପୋଡ଼ି ଯାଇଛି।

ରାଜସ୍ୱ ବିଭାଗ ମୃତକଙ୍କ ମଧ୍ୟରୁ ୯ ଜଣଙ୍କୁ ଚିହ୍ନଟ କରାଯାଇଥିବା କହିଛି। ବାକି ମୃତକଙ୍କ ପରିଚୟ ଜାଣିବା ପାଇଁ ଡିଏନଏ ଟେଷ୍ଟ କରାଯିବ। ଅଧିକାଂଶ ମୃତକ ଓଡ଼ିଶା, ବିହାର ଓ ବେଙ୍ଗଲର ବୋଲି ବିଭାଗ ଆକଳନ କରିଛି।