ଫେବ୍ରୁଆରୀ ୫ରୁ ବିଧାନସଭା ଆରମ୍ଭ, ଆଗତ ହେବ କାମଚଳା ବଜେଟ

ଫେବ୍ରୁଆରୀ ୫ରୁ ଆରମ୍ଭ ହେବ ବିଧାନସଭା। ଏଥର ବିଧାନସଭାରେ ବସିବ ବଜେଟ ଅଧିବେଶନ।

ଫେବ୍ରୁଆରୀ ୫ରୁ ବିଧାନସଭା ଆରମ୍ଭ, ଆଗତ ହେବ କାମଚଳା ବଜେଟ

ଫେବ୍ରୁଆରୀ ୫ରୁ ବିଧାନସଭା ଅଧିବେଶନ ଆରମ୍ଭ ହେବ। ଏହା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଆସନ୍ତା ୮ ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଲେଖାନୁଦାନ( କାମଚଳା ବଜେଟ) ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି।

ଆଜି ବିଧାନସଭା ସଚିବାଳୟ ପକ୍ଷରୁ ଜାରି ବିଧିବଦ୍ଧ ବିଜ୍ଞପ୍ତି ଅନୁସାରେ ଷୋଡଶ ବିଧାନସଭାର ପଞ୍ଚଦଶ ଅଧିବେଶନ ଫେବ୍ରୁୟାରୀ ୫ ତାରିଖରୁ ବସିବ । ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣର କାର୍ଯ୍ୟକ୍ରମ ରହିଛି। ୬ ଓ ୭ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ ।

ଆସନ୍ତା ୮ ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟକୁ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗୃହରେ ଉପସ୍ଥାପନ କରିବେ। ଏହା ମୋସନ ଆକାରରେ ଗୃହରେ ଆଗତ ହୋଇ ଆଲୋଚନା ହେବ । ତା’ ପର ଦିନ ଏହି ବ୍ୟୟ ମଞ୍ଜୁରୀ ବିଲ୍‌ ( କାମଚଳା ବଜେଟ) ପାରିତ ହେବ ।

୧୦ ଓ ୧୧ ତାରିଖ ଶନିବାର ଓ ରବିବାର ପାଇଁ ଛୁଟି ରହିବ । ୧୨ ତାରିଖରେ ଗୃହରେ ସରକାରୀ କାର୍ଯ୍ୟ ଦିବସ ଓ ୧୩ ତାରିଖରେ ଘରୋଇ ସଦସ୍ୟଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟ ଦିବସ ରହିଛି।

ସାଧାରଣ ନିର୍ବାଚନ ପୂର୍ବରୁ ଏହା ବିଧାନସଭାର ଶେଷ ଅଧିବେଶନ ଓ ଶେଷ ବଜେଟ।