ବଡ଼ଚଣା: ନିର୍ଣ୍ଣାୟକ ଭୂମିକା ନେବେ ନୀରବ ଭୋଟର

ଚଣ୍ଡିଖୋଲ,୩୧ା୫(ପ୍ରଦୀପ୍ତ କୁମାର ପୃଷ୍ଟି): ମତଦାନ ସମୟ ପାଖେଇ ଆସୁଥିଲେ ମଧ୍ୟ ବଡ଼ଚଣା ବିଧାନସଭା ନିର୍ବାଚନ କ୍ଷେତ୍ରରେ ସେତେ ଉଷ୍ମତା ଦେଖା ଯାଉନାହିଁ। କେବଳ କେତେକ ସଭା ସମିତିକୁ ଛାଡ଼ିଦେଲେ ଗ୍ରାମାଞ୍ଚଳରେ ପୂର୍ବ ଭଳି ଉତ୍ସାହ ଉନ୍ମାଦନା ଦେଖିବାକୁ ମିଳୁନାହିଁ। ଏପରିକି ପୂର୍ବ ନିର୍ବାଚନଗୁଡିକରେ ଗ୍ରାମାଞ୍ଚଳ ହେଉ ଅବା ସହରାଞ୍ଚଳ ସବୁଠି ପୋଷ୍ଟର ଓ ବ୍ୟାନରର ଯେଉଁ ପ୍ରତିଯୋଗିତା ବିଭିନ୍ନ ଦଳ ମଧ୍ୟରେ ଦେଖିବାକୁ ମିଳେ, ତାହା ସେଭଳି ଦିଶୁନାହିଁ। ମାଇକ୍‌ ପ୍ରଚାର ଓ ପ୍ରସାର ମଧ୍ୟ ସେପରି […] The post ବଡ଼ଚଣା: ନିର୍ଣ୍ଣାୟକ ଭୂମିକା ନେବେ ନୀରବ ଭୋଟର appeared first on Dharitri Odia News.

ବଡ଼ଚଣା: ନିର୍ଣ୍ଣାୟକ ଭୂମିକା ନେବେ ନୀରବ ଭୋଟର

ଚଣ୍ଡିଖୋଲ,୩୧ା୫(ପ୍ରଦୀପ୍ତ କୁମାର ପୃଷ୍ଟି): ମତଦାନ ସମୟ ପାଖେଇ ଆସୁଥିଲେ ମଧ୍ୟ ବଡ଼ଚଣା ବିଧାନସଭା ନିର୍ବାଚନ କ୍ଷେତ୍ରରେ ସେତେ ଉଷ୍ମତା ଦେଖା ଯାଉନାହିଁ। କେବଳ କେତେକ ସଭା ସମିତିକୁ ଛାଡ଼ିଦେଲେ ଗ୍ରାମାଞ୍ଚଳରେ ପୂର୍ବ ଭଳି ଉତ୍ସାହ ଉନ୍ମାଦନା ଦେଖିବାକୁ ମିଳୁନାହିଁ। ଏପରିକି ପୂର୍ବ ନିର୍ବାଚନଗୁଡିକରେ ଗ୍ରାମାଞ୍ଚଳ ହେଉ ଅବା ସହରାଞ୍ଚଳ ସବୁଠି ପୋଷ୍ଟର ଓ ବ୍ୟାନରର ଯେଉଁ ପ୍ରତିଯୋଗିତା ବିଭିନ୍ନ ଦଳ ମଧ୍ୟରେ ଦେଖିବାକୁ ମିଳେ, ତାହା ସେଭଳି ଦିଶୁନାହିଁ। ମାଇକ୍‌ ପ୍ରଚାର ଓ ପ୍ରସାର ମଧ୍ୟ ସେପରି ଆଖି ଦୃଶିଆ ହୋଇନାହିଁ। ବିଭିନ୍ନ ଦଳର କର୍ମୀ ଓ ଭୋଟରଙ୍କ ମଧ୍ୟରେ ନୀରବତା ଯୋଗୁ ଏହି ଭୋଟ ନିର୍ଣ୍ଣାୟକ ହେବ ବୋଲି ଜଣାପଡୁଛି।
ବିଧାନସଭା କ୍ଷେତ୍ରରେ ରହିଛନ୍ତି ୧ ଲକ୍ଷ ୯୩ ହଜାର ୨୩୫ ଭୋଟର। ସେଥିମଧ୍ୟରୁ ମହିଳା ଭୋଟର ୯୪ ହଜାର ୪୩୮ ଥିବାବେଳେ ପୁରୁଷ ଭୋଟର ୯୮ ହଜାର ୭୯୨। ତୃତୀୟ ଲିଙ୍ଗୀ ଭୋଟର ୫ ଜଣ ରହିଛନ୍ତି। ନୂତନଭାବେ ୪ ହଜାର ୨୦୬ ଭୋଟର ସାମିଲ ହୋଇଛନ୍ତି। ଏହି ବିଧାନସଭା କ୍ଷେତ୍ରରୁ ବିଜୁ ଜନତା ଦଳ ନୂତନ ପ୍ରାର୍ଥୀ ଭାବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ଭାରତୀୟ ଜନତା ପାର୍ଟି ଗତ ଥରର ପ୍ରାର୍ଥୀ ଅମର ନାୟକଙ୍କୁ ପୁନର୍ବାର ପ୍ରାର୍ଥୀ କରିଛି। ସେହିଭଳି କଂଗ୍ରେସ ଅଜୟ କୁମାର ସାମଲଙ୍କୁ ରିପିଟ କରିଛି। ଏଠାରୁ ୬ ଥର ନିର୍ବାଚିତ ହୋଇଥିବା ଅମର ପ୍ରସାଦ ଶତପଥୀଙ୍କୁ ବିଜେଡି ଏଥର ଟିକେଟ ଦେଇନାହିଁ। ଦୀର୍ଘ ବର୍ଷ ଧରି ବାରମ୍ବାର ନିର୍ବାଚିତ ହୋଇ ଆସୁଥିବା ଅମର ଟିକେଟରୁ ବାଦ ପଡ଼ିବା ପରେ ସେ ସମ୍ପୂର୍ଣ୍ଣ ନୀରବ ହୋଇ ଯାଇଛନ୍ତି। ସେଥିପାଇଁ କେତେଜଣ କର୍ମୀଙ୍କ ମଧ୍ୟରେ ଉତ୍ସାହ କମ ଦେଖାଯାଉଛି।
୨୦୧୯ରେ ଏଠାରୁ ଅମର ପ୍ରସାଦ ଶତପଥୀ ୬୪ ହଜାର ୮୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଅମର ନାୟକ ୬୨ ହଜାର ୫୯୯ ଭୋଟ ପାଇଥିଲେ। ସେ ମାତ୍ର ୧୪ଶହ ୮୫ ଖଣ୍ଡ ଭୋଟରେ ହାରି ଯାଇଥିଲେ। ଏଠାରୁ କଂଗ୍ରେସ ପ୍ରାର୍ଥୀ ଅଜୟ କୁମାର ସାମଲ ୯ ହଜାର ୩୨୨ ଖଣ୍ଡ ଭୋଟ ପାଇ ଅମାନତ ହରାଇଥିଲେ। ସେହିଭଳି ପ୍ରତିଦ୍ୱନ୍ଦ୍ୱିତା କରିଥିବା ୪ ଜଣ ସ୍ବାଧୀନ ପ୍ରାର୍ଥୀ ୫ ଶହ ଭୋଟ ଅତିକ୍ରମ କରି ନ ଥିଲେ। ଚଳିତ ଥର ବିଜେଡି ଓ ଭାଜପା ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ୱିତା ଦେଖିବାକୁ ମିଳିଛି। ବିଜେଡି ପକ୍ଷରୁ କାର୍ତ୍ତିକ ପଣ୍ଡିଆନ ଓ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦୁଇଟି ସଭା କରିଥିବାବେଳେ ଭାଜପା ପକ୍ଷରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସି ଦୁଇଟି ସଭା କରି ଫେରି ଯାଇଛନ୍ତି। ଶେଷ ଦିନରେ ରୋଡ ଶୋ’ ମାଧ୍ୟମରେ ଭାଜପା ତା’ର ପ୍ରଚାର କରିଛି। ଏଠାରେ ଜୁନ ୧ରେ ଭୋଟ ହେବାକୁ ଥିବା ବେଳେ ଦଳୀୟ କର୍ମୀ ଓ ଭୋଟରଙ୍କ ମଧ୍ୟରେ ସେଭଳି ଉତ୍ସାହ ଦେଖିବାକୁ ମିଳୁନାହିଁ।

The post ବଡ଼ଚଣା: ନିର୍ଣ୍ଣାୟକ ଭୂମିକା ନେବେ ନୀରବ ଭୋଟର appeared first on Dharitri Odia News.