ବଡ଼ଦାଣ୍ଡରେ ବିଶ୍ବ ନିୟନ୍ତା: ସରିଲା ପହଣ୍ଡି ବିଜେ, ରଥାରୁଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି
ପୁରୀ: ଶେଷ ହେଲା ପହଣ୍ଡି ଯାତ୍ରା। ରଥାରୁଢ ହେଲେ ଚତୁର୍ଦ୍ଧାମୂର୍ତ୍ତି। ନିର୍ଦ୍ଧାରିତ ସମୟରେ ଶେଷ ହୋଇଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ନୀତି। ପହଣ୍ଡିରେ ଆସି ରଥାରୂଢ଼ ହୋଇସାରିଛନ୍ତି ଶ୍ରୀଜିଉ। ବାକି ନୀତିକାନ୍ତି ସହିତ ଛେରା ପହଁରା ସରିଲେ ହେବ ରଥଟଣା। ତେବେ ମହାପ୍ରଭୁଙ୍କ ପହଣ୍ଡି ଅପରାହ୍ନ ୧ଟା ୧୦ମିନିଟରୁ ଆରମ୍ଭ କରାଯିବାକୁ ଧାର୍ଯ୍ୟ କରାଯାଇଥିଲା। ପହଣ୍ଡି ଅପରାହ୍ନ ଅଢ଼େଇଟା ସୁଦ୍ଧା ସାରିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ନିର୍ଦ୍ଧାରିତ ସମୟର ଦେଢ଼ ଘଣ୍ଟାରୁ ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଥିଲା। […]

ପୁରୀ: ଶେଷ ହେଲା ପହଣ୍ଡି ଯାତ୍ରା। ରଥାରୁଢ ହେଲେ ଚତୁର୍ଦ୍ଧାମୂର୍ତ୍ତି। ନିର୍ଦ୍ଧାରିତ ସମୟରେ ଶେଷ ହୋଇଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ନୀତି। ପହଣ୍ଡିରେ ଆସି ରଥାରୂଢ଼ ହୋଇସାରିଛନ୍ତି ଶ୍ରୀଜିଉ। ବାକି ନୀତିକାନ୍ତି ସହିତ ଛେରା ପହଁରା ସରିଲେ ହେବ ରଥଟଣା। ତେବେ ମହାପ୍ରଭୁଙ୍କ ପହଣ୍ଡି ଅପରାହ୍ନ ୧ଟା ୧୦ମିନିଟରୁ ଆରମ୍ଭ କରାଯିବାକୁ ଧାର୍ଯ୍ୟ କରାଯାଇଥିଲା। ପହଣ୍ଡି ଅପରାହ୍ନ ଅଢ଼େଇଟା ସୁଦ୍ଧା ସାରିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ନିର୍ଦ୍ଧାରିତ ସମୟର ଦେଢ଼ ଘଣ୍ଟାରୁ ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଥିଲା। ଅପରାହ୍ନ ୪ଟାରେ ଛେରାପହଁରା ଓ ଅପରାହ୍ନ ୫ଟାରେ ରଥ ଟାଣିବାକୁ ନୀତି ନିର୍ଘଣ୍ଟ ହୋଇଛି। କିନ୍ତୁ ସବୁ ନୀତିକାନ୍ତି ନିର୍ଦ୍ଧାରିତ ସମୟ ଆଗରୁ ହେଉଥିବାରୁ ରଥଟଣା ବି ଧାର୍ଯ୍ୟ ସମୟ ଆଗରୁ ହେବ ବୋଲି ଆଶା କରାଯାଉଛି।
ତେବେ ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ପହଣ୍ଡି କରି ଦେବଦଳନ ରଥରେ ବିଜେ କରାଯାଇଥିଲା । ଏହା ପରେ ବଡ଼ ଭାଇ ଶ୍ରୀ ବଳଭଦ୍ର ଧାଡ଼ ପହଣ୍ଡିରେ ଆସି ତାଳଧ୍ୱଜ ରଥରେ ବିଜେ ହେବା ପରେ ମା’ ସୁଭଦ୍ରାଙ୍କୁ ପହଣ୍ଡିରେ ଆଣି ଦେବଦଳନ ରଥରେ ବିଜେ କରିଥିଲେ । ଏହା ପରେ ବଡ଼ଦାଣ୍ଡରେ ଝୁଲି ଝୁଲି ରଥ ଉପରକୁ ଆସିଥିଲେ କାଳିଆ ସାଆନ୍ତେ । ପହଣ୍ଡି ସମୟରେ ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ଗଗନପବନ ମୁଖରିତ ହୋଇଉଠିଥିଲା । ତେବେ ଏହାରି ମଧ୍ୟରେ ରଥାରୁଢ଼ ହୋଇସାରିଛନ୍ତି ତିନି ଠାକୁର ।
ନୀଳକନ୍ଦରରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ନୀଳାଦ୍ରିନାଥ। ରଥରେ ବସି ଯିବେ ଆଡ଼ପମଣ୍ଡପ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପାଉଛନ୍ତି ବିଶ୍ୱନିୟନ୍ତାଙ୍କ ଦୁର୍ଲ୍ଲଭ ଦର୍ଶନ। ଦାରୁବ୍ରହ୍ମଙ୍କ ସ୍ପର୍ଶରେ ରଥ, ପଥ ହୋଇଛି ବ୍ରହ୍ମମୟ। ସଭିଏଁ ହୋଇଛନ୍ତି ଏକାକାର।
ଏ ବର୍ଷ ସ୍ୱତନ୍ତ୍ର ରଥଯାତ୍ରା ପଡିଛି। ୫୩ ବର୍ଷ ପରେ ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ଯୋଗ ପଡ଼ିଛି । ଗୋଟିଏ ଦିନରେ ନେତ୍ର ଉତ୍ସବ, ନବଯୌବନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ପଡିଥିବାରୁ ଶୃଙ୍ଖଳିତ ଏବଂ ସଅଳ ନୀତୀକାନ୍ତି କରାଯାଉଛି। ଶ୍ରୀ ମନ୍ଦିରରେ ଚକା ଅପସର ପରେ ରାତିରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ଲାଗି ବାହୁଟକଣ୍ଟ ଏବଂ ସେନାପଟା କାର୍ଯ୍ୟ କରିଥିଲେ । ଏହାପରେ ରାତି ୨ଟାରେ ମଙ୍ଗଳ ଆଳତି, ୨ଟା ୪୦ରେ ଦଶାବତାର ଠାକୁର ବାହୁଡ଼ା ବିଜେ କରାଯାଇଥିଲା।
ଅନ୍ୟପକ୍ଷରେ ମହାପ୍ରଭୁଙ୍କ ଘୋଷଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ କରିବା ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କଡ଼ା ସୁରକ୍ଷା ବଳୟରେ ରହିଛି ପୁରୀ। ଅତ୍ୟାଧୁନିକ ସିସିଟିଭି କ୍ୟାମେରା ଲାଗିଥିବାବେଳେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ସହାୟତା ନିଆଯାଇଛି। ଓଡ଼ିଶା ପୁଲିସ ଚଳିତବର୍ଷ ପ୍ରଥମଥର ଟ୍ରାଫିକ ସୁପରିଚାଳନା ନିମନ୍ତେ ପବ୍ଲିକ ଆନାଉନ୍ସମେଣ୍ଟ ଡ୍ରୋନ(ପିଏଡି)ର ସହାୟତା ନେଇଛି। ଏଥିସହ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ୧୮୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।