ବଡ଼ଦିନରେ ଆସିବ ‘ସୁଭଦ୍ରା’ ଟଙ୍କା
ଭୁବନେଶ୍ବର : ଆସନ୍ତା ଡିସେମ୍ବର ୨୫ ତାରିଖ ଅର୍ଥାତ୍ ବଡ଼ଦିନରେ ‘ସୁଭଦ୍ରା’ ଯୋଜନାରେ ଚତୁର୍ଥ ପର୍ଯ୍ୟାୟ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଅର୍ଥ ମିଳିବ। ଏଥିପାଇଁ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଜାରି ରହିଛି। ଗତ ୧ ତାରିଖ ସୁଦ୍ଧା ‘ସୁଭଦ୍ରା’ରେ ମୋଟ୍ ୧ କୋଟି ୫ ଲକ୍ଷ ୩୬ ହଜାର ୬୧୨ ଆବେଦନ ଗ୍ରହଣ ହୋଇଛି। ତୃତୀୟ ପର୍ଯ୍ୟାୟ ସୁଦ୍ଧା ୮୦ ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ବାବଦରେ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ନୂଆ […]

ଭୁବନେଶ୍ବର : ଆସନ୍ତା ଡିସେମ୍ବର ୨୫ ତାରିଖ ଅର୍ଥାତ୍ ବଡ଼ଦିନରେ ‘ସୁଭଦ୍ରା’ ଯୋଜନାରେ ଚତୁର୍ଥ ପର୍ଯ୍ୟାୟ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଅର୍ଥ ମିଳିବ। ଏଥିପାଇଁ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଜାରି ରହିଛି। ଗତ ୧ ତାରିଖ ସୁଦ୍ଧା ‘ସୁଭଦ୍ରା’ରେ ମୋଟ୍ ୧ କୋଟି ୫ ଲକ୍ଷ ୩୬ ହଜାର ୬୧୨ ଆବେଦନ ଗ୍ରହଣ ହୋଇଛି। ତୃତୀୟ ପର୍ଯ୍ୟାୟ ସୁଦ୍ଧା ୮୦ ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ବାବଦରେ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ନୂଆ ଆବେଦନକାରୀଙ୍କ ସମେତ ଅଦ୍ୟାବଧି ସହାୟତା ପାଇନଥିବା ଦରଖାସ୍ତକାରୀଙ୍କ ଆବେଦନ ଯାଞ୍ଚ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ନିର୍ଦେଶ ଦିଆଯାଇଛି।
ସମସ୍ତ ପ୍ରକ୍ରିୟାର ସୁବ୍ୟବସ୍ଥା ଓ ଯାଞ୍ଚ ପ୍ରକ୍ରିୟାର ଅଗ୍ରଗତି ସମ୍ପର୍କରେ ଆଲୋଚନା ହୋଇଛି। ଉନ୍ନୟନ ଆୟୁକ୍ତ ଅନୁ ଗର୍ଗ, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ସଚିବ ଶୁଭା ଶର୍ମାଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ସମସ୍ତ ଜିଲାପାଳ ଓ ମହାନଗର ନିଗମର ଉଚ୍ଚପଦାଧିକାରୀ ଆଭାସି ଜରିଆରେ ଯୋଗ ଦେଇଥିଲେ। ବୈଠକରେ ସୁଭଦ୍ରା ଆବେଦନ ଯାଞ୍ଚ ପାଇଁ ଗଠିତ କ୍ଷେତ୍ରସ୍ତରୀୟ ଟିମ୍ଗୁଡ଼ିକର କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ବୈଠକରେ ଜଣାଯାଇଛି ଯେ, ଡିସେମ୍ବର ୬ ତାରିଖ ସୁଦ୍ଧା ଯୋଗ୍ୟ ହିତାଧିକାରୀ ଓ ଅଯୋଗ୍ୟ ତାଲିକା ବ୍ଲକ, ସହରାଞ୍ଚଳ ବା ମହାନଗର ନିଗମସ୍ତରରେ ପ୍ରକାଶ କରାଯିବ। ଏହା ପରେ ଆଉ ୭ ଦିନ ପର୍ଯ୍ୟନ୍ତ ଆପତ୍ତି ଗ୍ରହଣ କରାଯିବ। ପୂର୍ବରୁ ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀଙ୍କୁ କେଉଁ କାରଣ ଯୋଗୁଁ ସେମାନଙ୍କର ଅର୍ଥ ଅନଲାଇନ୍ ଯୋଗେ ପ୍ରେରଣ ହୋଇପାରିନାହିଁ, ସେ ସମ୍ପର୍କରେ ଅନୁଧ୍ୟାନ କରାଯାଉଛି। ହିତାଧିକାରୀଙ୍କୁ ସିଧାସଳଖ ଅର୍ଥ ପ୍ରେରଣରେ ରହୁଥିବା ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ଅଙ୍ଗନବାଡ଼ି କର୍ମଚାରୀ ଓ ବ୍ୟାଙ୍କମିତ୍ର ଆଦି କ୍ଷେତ୍ରସ୍ତରୀୟ ଯାଞ୍ଚ ଟିମର କର୍ମକର୍ତ୍ତାଙ୍କୁ ସେମାନଙ୍କ ପାଖରେ ପହଞ୍ଚି ସଚେତନତାଭିତ୍ତିକ କାର୍ଯ୍ୟକ୍ରମ ବଢ଼ାଇବାକୁ ନିର୍ଦେଶ ଦିଆଯାଇଛି। ବିଭିନ୍ନ ଜିଲାରେ କାର୍ଯ୍ୟକାରୀ ହେଉଥିବା ସହାୟତା କେନ୍ଦ୍ରର ପରିଚାଳନା ପାଇଁ କର୍ମଚାରୀ ନିୟୋଜନକୁ ନିଶ୍ଚିତ କରିବାକୁ ଜିଲାପାଳଙ୍କୁ ନିର୍ଦେଶ ଦିଆଯାଇଛି। ସୁଭଦ୍ରା ସମ୍ପର୍କିତ ଆପତ୍ତି ଅଭିଯୋଗ ସିଧାସଳଖ ବା ଅଫଲାଇନ୍ରେ ଗ୍ରହଣ କରାଗଲେ ତାହାକୁ ସୁଭଦ୍ରା ପୋର୍ଟାଲରେ ଅପଲୋଡ କରାଯିବ। ଅଦ୍ୟାବଧି ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଥିବା ହିତାଧିକାରୀଙ୍କ ମଧ୍ୟରୁ ଆବେଦନକାରୀ ଏବଂ ଅଣ-ଏନଏଫଏସଏ ଆବେଦନକାରୀଙ୍କୁ ମିଶାଇ ମୋଟ ୮,୪୩,୮୩୯ ସଂଖ୍ୟକ ଆବେଦନକାରୀଙ୍କ ଆକାଉଣ୍ଟକୁ ସୁଭଦ୍ରା ଅର୍ଥ ଯିବା ପାଇଁ ଇ-କେୱାଇସି ସମ୍ପୂର୍ଣ୍ଣ କରିବାର ଆବଶ୍ୟକତା ରହିଛି। ଯେଉଁମାନେ ଓଟିପି ଆଧାରିତ ଆବେଦନ ଦାଖଲ କରିଛନ୍ତି, ସେମାନଙ୍କ ପାଇଁ ବାୟୋମେଟ୍ରିକ୍ ଇ-କେୱାଇସି କରିବାକୁ ପଡ଼ିବ। ସୁଭଦ୍ରା ପୋର୍ଟାଲରେ ଇ-କେୱାଇସି ସମ୍ପର୍କିତ ତଥ୍ୟ ଉପଲବ୍ଧ ରହିଛି। ଯାହାଫଳରେ କମନ ସର୍ଭିସ୍ ସେଣ୍ଟର ଏବଂ ମୋ ସେବା କେନ୍ଦ୍ରଗୁଡ଼ିକରେ ଆବେଦନକାରୀଙ୍କୁ ସେମାନଙ୍କର ସମସ୍ୟାର ସମାଧାନରେ ସହାୟକ ହେବ। ଇ-କେୱାଇସି ମଡ୍ୟୁଲ ପାଇଁ ହିତାଧିକାରୀଙ୍କୁ ଯେପରି କୌଣସି ଅର୍ଥ ଦେବାକୁ ପଡ଼ିବ ନାହିଁ, ତାହାକୁ ନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଛି। ଏହି ଯୋଜନାରେ ସୁବିଧା ନେବାକୁ ଚାହୁଁନଥିବା ହିତାଧିକାରୀ ‘ଅପ୍ଟ୍-ଆଉଟ୍’ କରିବା ବ୍ୟବସ୍ଥା ସୁଭଦ୍ରା ପୋର୍ଟାଲରେ ରହିଛି। ଆବେଦନକାରୀଙ୍କୁ ଏହା ନିଶ୍ଚିତ କରିବା ପାଇଁ ଏସ୍ଏମ୍ଏସ୍ ଆସିବ। ୧୮,୭୩୫ ହିତାଧିକାରୀ ଡିସେମ୍ବର ୩ ସୁଦ୍ଧା ଅପ୍ଟ ଆଉଟ୍ କରିସାରିଛନ୍ତି। ଅନ୍ୟଜଣେ ହିତାଧିକାରୀ ଉପକୃତ ହେଉଥିଲେ ସୁଦ୍ଧା, ଏହା ଯଦି ସମ୍ପୃକ୍ତ ହିତାଧିକାରୀଙ୍କ ଇଚ୍ଛାନୁସାରେ ହେଉନଥାଏ; ସେ ବିଷୟରେ ସେମାନଙ୍କୁ ସଚେତନ କରାଯିବାକୁ ବୈଠକରେ ଗୁରୁତ୍ବ ଦିଆଯାଇଥିଲା।