ବଣାଇଁରେ ପୁଣି ଘର ଭାଙ୍ଗିଲା ଦନ୍ତା : ଲୋକେ ଆତଙ୍କିତ, ଅସହାୟ ବନ ବିଭାଗ

ରାଉରକେଲା / ବଣାଇଁ  : ବଣାଇଁରେ କମୁନି ଦନ୍ତାର ଉପଦ୍ରବ । ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ପାଇଁ ଦନ୍ତାକୁ ବାରମ୍ବାର ଘଉଡାଇ ବିଫଳ ହେବା ପରେ ଅସହାୟ ପାଲଟିଛି ବନ ବିଭାଗ । ଦନ୍ତାର ଉତ୍ପାତକୁ ନେଇ ଲୋକେ ଆତଙ୍କିତ ରହିଛନ୍ତି। ଗତ କାଲି ବଣାଇଁର ଗୋବିନ୍ଦପୁର ନିକଟସ୍ଥ ମଗର ମୁଣ୍ଡା ବସ୍ତିରେ ଦନ୍ତା ପଶି ଚାରି ଜଣଙ୍କର ଘର ଭାଙ୍ଗି ଦେଇଥିବା ବେଳେ ଗୋଠ ଖଣ୍ଡିଆ ଦନ୍ତାହାତୀଟି ଆଜି ଭୋର ସମୟରେ ପୁଣି କେନ୍ଦ୍ରିକଳା ଗ୍ରାମପଞ୍ଚାୟତ […]

ବଣାଇଁରେ ପୁଣି ଘର ଭାଙ୍ଗିଲା ଦନ୍ତା : ଲୋକେ ଆତଙ୍କିତ, ଅସହାୟ ବନ ବିଭାଗ
Wild elephant breaks house again in Bonai

ରାଉରକେଲା / ବଣାଇଁ  : ବଣାଇଁରେ କମୁନି ଦନ୍ତାର ଉପଦ୍ରବ । ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ପାଇଁ ଦନ୍ତାକୁ ବାରମ୍ବାର ଘଉଡାଇ ବିଫଳ ହେବା ପରେ ଅସହାୟ ପାଲଟିଛି ବନ ବିଭାଗ । ଦନ୍ତାର ଉତ୍ପାତକୁ ନେଇ ଲୋକେ ଆତଙ୍କିତ ରହିଛନ୍ତି।

ଗତ କାଲି ବଣାଇଁର ଗୋବିନ୍ଦପୁର ନିକଟସ୍ଥ ମଗର ମୁଣ୍ଡା ବସ୍ତିରେ ଦନ୍ତା ପଶି ଚାରି ଜଣଙ୍କର ଘର ଭାଙ୍ଗି ଦେଇଥିବା ବେଳେ ଗୋଠ ଖଣ୍ଡିଆ ଦନ୍ତାହାତୀଟି ଆଜି ଭୋର ସମୟରେ ପୁଣି କେନ୍ଦ୍ରିକଳା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅଲେଖପୁର ଗ୍ରାମରେ ଘର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ଦେଖିବାକୁ ମିଳିଛି। ଗ୍ରାମର ରମେଶ କିସାନ, ଚୈତନ୍ୟ କିସାନ, ସାଧୁ କିସାନଙ୍କ ସମେତ ୫ରୁ ଉର୍ଦ୍ଧ୍ବ ଘର ଭାଙ୍ଗି ଧାନ ଚାଉଳ ଖାଇ ନଷ୍ଟ କରିଦେଇଛି। ହାତୀ ଘର ଭାଙ୍ଗୁଥିବା ବେଳେ ଘରର କାନ୍ଥ ପଡ଼ି ଗୋଟିଏ ପରିବାରର ଜଣେ ମହିଳାଙ୍କ ସମତେ ଦୁଇ ଜଣ ଶିଶୁ ଆହତ ହୋଇଥିବା ବେଳେ ଗ୍ରାମବାସୀ ସେମାନଙ୍କୁ କାନ୍ଥ ତଳୁ ଉଦ୍ଧାର କରି ବଣାଇଁ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଛନ୍ତି। ବନ ବିଭାଗ ପକ୍ଷରୁ ହାତୀକୁ ଯେତେ ଘଉଡ଼ାଇବାକୁ ଚେଷ୍ଟା କଲେ ମଧ୍ୟ ଜଙ୍ଗଲକୁ ଯାଇ ପୁଣି ରାତି ହେଲେ ଗାଁ ଗୁଡିକରେ ପଶି ଘର ଭାଙ୍ଗୁଛି ଗୋଠ ଛଡା ଦନ୍ତା। ଯାହା ଫଳରେ ଦୀର୍ଘ ଦିନ ଧରି ଅଞ୍ଚଳର ଲୋକେ ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ସାରିଲେଣି।

ସୂଚନାଯୋଗ୍ୟ ଏହା ପୂର୍ବରୁ ଗୋଠ ଛଡ଼ା ଦନ୍ତାହାତୀଟି ଧରଣୀଧରପାଲି ସେକ୍ସନ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ମଗର ମୁଣ୍ଡା ବସ୍ତିରେ ପଶି ୫ ରୁ ଉର୍ଦ୍ଧ୍ବ ଘର ଭାଙ୍ଗି ଦେଇଥିବା ବେଳେ ଧାନ ଚାଉଳ ଖାଇ ନଷ୍ଟ କରି ଦେଇଥିଲେ । ଖବର ପାଇ ବନ କର୍ମଚାରୀ ଘଟଣସ୍ଥଳରେ ପହଞ୍ଚି ଥିଲେ ମଧ୍ୟ ସେମାନେ ସହଯୋଗ କରୁନଥିବା ଅଭିଯୋଗ କରି କ୍ଷତିଗ୍ରସ୍ତ ଲୋକେ ଧରଣୀଧର ପାଲି ସେକ୍ସନ ଅଫିସ ସାମ୍ନାରେ ବିକ୍ଷୋଭ ପ୍ରତିବାଦ କରିଥିଲେ।

ସେହିପରି ଏହା ପୂର୍ବରୁ ବଣାଇଁ କୋଲ୍ହ ସାହିରେ ଏହି ଗୋଠ ଛଡା ଦନ୍ତା ପଶି ଶୀତଲ ମୁଣ୍ଡାଙ୍କ ଘର ଭାଙ୍ଗୁଥିବା ବେଳେ ଜୀବନ ବିକଳରେ ସେମାନେ ଘରୁ ବାହାରି ଦୈାଡି ପଳାଇ ଥିଲେ। ସେହିପରି ଭାବେ ଶୁଣ୍ଡିକୋଣ ବସ୍ତିରେ ଯଶୋଦା ବାରିକଙ୍କ ଘରକୁ ଦନ୍ତା ଭାଙ୍ଗି ଧରାଶାୟୀ କରାଯାଇଥିଲା । ଲୋକଙ୍କ ସମସ୍ତ ପ୍ରକାରର କ୍ଷୟକ୍ଷତିର ଆକଳନ କରି ସହାୟତା ପ୍ରଦାନ କରିବାକୁ ବନ ବିଭାଗ ପକ୍ଷରୁ କୁହାଯାଇଛି। ସେପଟେ ସକାଳ ହେବା ପୂର୍ବରୁ ହାତୀଟି ନିକଟରେ ଥିବା କେନ୍ଦ୍ରିକଳା ଜଙ୍ଗଲକୁ ଫେରି ଯାଉଛି। ବନବିଭାଗ ହାତୀ ଘୋଉଡାଇବାକୁ ଯେତେ ଚେଷ୍ଟା କରୁଥିଲେ ମଧ୍ୟ ହାତୀଟି ଯିବାର ନା ନେଉନାହିଁ। ରାତିରେ ଉପଦ୍ରବ କରି ଦିନ ବେଳେ ଜଙ୍ଗଲ ଭିତରକୁ ଚାଲିଯାଉଛି। ଏପଟେ ରାତି ହେଲେ ନିକଟସ୍ଥ ଜଙ୍ଗଲରୁ ବାହାରି ବୁଲି ବୁଲି ଘର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି କରୁଥିବାରୁ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ତେଣୁ ବନ ବିଭାଗ ପକ୍ଷରୁ ତୁରନ୍ତ ହାତୀକୁ ଦୁର ଜଙ୍ଗଲକୁ ଘଉଡାଇବା ସହିତ ଘର ଭାଙ୍ଗିଥିବା ଲୋକଙ୍କୁ କ୍ଷତି ପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏତଦବ୍ୟତୀତ ଏହାର ସ୍ଥାୟୀ ପ୍ରତିକାର ନିମନ୍ତେ ବନ ବିଭାଗ ପକ୍ଷରୁ ହାତୀକୁ ସ୍ଥାନାନ୍ତରିତ କରିବାକୁ ଦାବି ହେଉଛି।