ବନ୍ୟା ଛଡ଼ାଇ ନେଲା ବର୍ଷକର ଦାନା, ଉଜୁଡ଼ିଗଲା ବହୁ ଚାଷୀଙ୍କ ସ୍ବପ୍ନ

ବୁଢାବଳଙ୍ଗରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟା ଥମିବା ପରେ ପ୍ରକୃତିସ୍ଥ ହେଉଛି ବାଲେଶ୍ବର ଜିଲ୍ଲାର ବିଭିନ୍ନ ବ୍ଲକ। ବନ୍ୟା ପ୍ରକୋପ କମିଯିବା ପରେ ସ୍ବାଭାବିକ ହେଉଛି ଜନଜୀବନ।

ବନ୍ୟା ଛଡ଼ାଇ ନେଲା ବର୍ଷକର ଦାନା, ଉଜୁଡ଼ିଗଲା ବହୁ ଚାଷୀଙ୍କ ସ୍ବପ୍ନ

ବନ୍ୟା ଆସିଲା, ଚାଲିଗଲା । ହେଲେ ଦେଇଗଲା ଦାରୁଣ ଦୁଃଖ। ଆଠ ଦିନ ତଳେ ହସି ଉଠୁଥିବା ଫସଲ କିଆରିର ଏବେ ଉଜୁଡ଼ି ଯାଇଛି । ଯାହାକୁ ଦେଖିଲେ ଫାଟି ଯାଉଛି ଚାଷୀର ଛାତି। ଏମିତି ଦେଖିବାକୁ ମିଳିଛି ବାଲେଶ୍ବର ସଦର ବ୍ଲକ ନଗରମ ପଞ୍ଚାୟତରେ । ଏ ଅଂଚଳରେ ଏକର ଏକର ଜମିରେ ହୋଇଥିଲା ଅର୍ଥକାରୀ ପନିପରିବା ଚାଷ । ହେଲେ ବୁଢାବଳଙ୍ଗର ବନ୍ୟାଜଳ ଦିନ ଦିନ ଧରି ଜମି ରହିବା ପରେ ଏବେ ଫସଲ ପଚି, ସଢ଼ି ସବୁ ନଷ୍ଟ । ବାଇଗଣ, ଭେଣ୍ଡି, ଜହ୍ନି, କଖାରୁ, କାଙ୍କଡ଼, ବରଗୁଡ଼ି ଓ ପୋଇ ଆଦି ଫସଲ କିଆରି ପାଣିରେ ପଚି ଯିବା ପରେ ଏବେ ଖରା ପ୍ରକୋପରେ ଜଳି ପୋଡ଼ି ଗଲାଣି।

ବନ୍ୟା ପୂର୍ବରୁ ଭଲ ଅମଳ ସାଙ୍ଗକୁ ପରିବା ଦର ମଧ୍ୟ ଉଚ୍ଚା ରହି ଥିବାରୁ ଚାଷୀର ମନ କୁଣ୍ଡୋମୋଟ ଥିଲା । କିନ୍ତୁ ଏ ଲଗାଣ ବର୍ଷା ଓ ଆକସ୍ମିକ ବନ୍ୟାର ଆଁ ଭିତରେ ସବୁ ଚାଲିଯିବା ପରେ ଚୁରମାର ହୋଇଯାଇଛି ଚାଷୀର ସ୍ବପ୍ନ। ସେହିଭଳି ଅଞ୍ଚଳରେ ଶହ ଶହ ଏକର ଧାନ ଜମିରେ ମଧ୍ୟ ଏବେ ବି ଜମି ରହିଛି, ବନ୍ୟା ପାଣି। ଫଳରେ ପରିବା ଭଳି ଧାନ ଚାଷ ବି ନଷ୍ଟ ହେବା ଅପେକ୍ଷାରେ ।

ବାଲେଶ୍ବର ସଦର ବ୍ଲକରେ ଏ ବର୍ଷ ପ୍ରାୟ ୨୪ ହଜାର ହେକ୍ଟର ଜମିରେ ଚାଷ କାର୍ଯ୍ୟ ହୋଇଥିଲା । ତା ଭିତରୁ ୧୮ ଶହ ୨୫ ହେକ୍ଟର ଜମିରେ ପରିବା ଚାଷ କରିଥିଲେ ଅଞ୍ଚଳର ଚାଷୀ। କିଏ ଋଣ, ତ କିଏ ଧାର କରଜ ଏବଂ ଆଉ କିଏ ଜମି ଭାଗକୁ ଆଣି ସୁନା ଫଳାଇଥିଲେ। ହେଲେ ଠିକ୍ ଅମଳ ବେଳରେ ହିଁ ବନ୍ୟା ଦାଉ ସାଧିବାରୁ ବହୁ କ୍ଷୁଦ୍ର ଓ ଗରିବ ଚାଷୀଙ୍କ ହାତରୁ ରୋଜଗାର ଛଡ଼ାଇ ନେଇଛି ବନ୍ୟା । ଏପଟେ ଚାଷ କ୍ଷୟକ୍ଷତିର ଅନୁଧ୍ୟାନ ଲାଗି ପ୍ରଶାସନ ଏଯାଏଁ ଗ୍ରାଉଣ୍ଡରେ ପହଞ୍ଚି ନଥିବା ଅନେକ ଚାଷୀଙ୍କ ଅଭିଯୋଗ ।

ସେପଟେ ଚାଷ କ୍ଷୟକ୍ଷତିର ଯାଞ୍ଚ ଲାଗି ଟିମ୍ ଗଠନ ହୋଇଛି ଏବଂ ଆସନ୍ତା ୭ ଦିନ ଭିତରେ ଟିମ୍ ପ୍ରଭାବିତ ଅଞ୍ଚଳ ବୁଲି ରିପୋର୍ଟ ଦେବେ ବୋଲି ବାଲେଶ୍ବର ଏଡିଏମ୍ କହିଛନ୍ତି । ସେହିଭଳି ଚାଷୀ ନିଜ ତରଫରୁ କ୍ଷୟକ୍ଷତି ସମ୍ପର୍କରେ ଯାଞ୍ଚ୍ ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିପାରିବେ ବୋଲି ସୂଚନା ଦେଇଛନ୍ତି ବାଲେଶ୍ବର ସଦର ବିଧାୟକ ।