ବରିଷ୍ଠ ଆଇନଜୀବୀ ପଦ୍ମ ବିଭୂଷଣ ଫଲି ଏସ୍‌ ନରିମନଙ୍କ ପରଲୋକ

ଫଲି ଏସ୍‌ ନରିମନ ସୁପ୍ରିମକୋର୍ଟର ଜଣେ ବରିଷ୍ଠ ଓକିଲ ଥିଲେ। ସେ ଦେଶର ଜଣେ ଆଗଧାଡ଼ିର ଆଇନଜୀବୀ ଭାବେ ବେଶ୍‌ ଜଣାଶୁଣା ଥିଲେ।

ବରିଷ୍ଠ ଆଇନଜୀବୀ ପଦ୍ମ ବିଭୂଷଣ ଫଲି ଏସ୍‌ ନରିମନଙ୍କ ପରଲୋକ

ଆଉ ନାହାନ୍ତି ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଫଲି ଏସ୍‌ ନରିମନ । ୯୫ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି। ଦିଲ୍ଲୀସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ନରିମନ । ଆଇନ ଜଗତରେ ବେଶ୍‌ ସୁନାମ କରି ପାରିଥିବା ନରିମନ ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣ ପରି ସମ୍ମାନରେ ସମ୍ମାନିତ ହୋଇଥିଲେ। 

ଫଲି ଏସ୍‌ ନରିମନ ସୁପ୍ରିମକୋର୍ଟର ଜଣେ ବରିଷ୍ଠ ଓକିଲ ଥିଲେ। ସେ ଦେଶର ଜଣେ ଆଗଧାଡ଼ିର ଆଇନଜୀବୀ ଭାବେ ବେଶ୍‌ ଜଣାଶୁଣା ଥିଲେ। ଫଲି ଦୀର୍ଘ ୭୦ ବର୍ଷ କାଳ ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ଓକିଲାତି କରିଥିଲେ।

ଏହାପରେ ୧୯୯୯ରୁ ୨୦୦୫ ମସିହା ପର୍ଯ୍ୟନ୍ତ ସେ ରାଜ୍ୟସଭା ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ଆଇନ ବିଷୟ ଉପରେ ତାଙ୍କର ବହୁ ବହି ବେଶ୍‌ ଲୋକପ୍ରିୟ ହୋଇ ପାରିଛି।

ଆଇନ କ୍ଷେତ୍ରରେ ବିଶେଷ ଅବଦାନ ନିମନ୍ତେ ନରିମନଙ୍କୁ ୧୯୯୧ ମସିହାରେ ପଦ୍ମ ଭୂଷଣ ଓ ୨୦୦୭ ମସିହାରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ଖେଳି ଯାଇଛି।

ନରିମନଙ୍କ ମୃତ୍ୟୁ ପରେ ଏକ ଯୁଗର ଅବସାନ ଘଟିଲା। ସେ ଆଉ ଇହଧାମରେ ନାହାନ୍ତି। ମାତ୍ର ତାଙ୍କ ସ୍ମୃତି ସବୁବେଳେ ଆମ ହୃଦୟରେ ସାଇତି ହୋଇ ରହିବ ବୋଲି ଟ୍ୱିଟ କରିଛନ୍ତି କଂଗ୍ରେସ ନେତା ଅଭିଷେକ ମନୁ ସିଂଘବୀ।

ନରିମନଙ୍କ ମୃତ୍ୟୁରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଗଭୀର ଶୋକ ପ୍ରକଟ କରିଛନ୍ତି। ଏନେଇ ଟ୍ୱିଟ କରି ସେ କହିଛନ୍ତି, ନିଜ ଜୀବନକାଳ ମଧ୍ୟରେ ନିଜକୁ କିମ୍ବଦନ୍ତୀ ରୂପେ ପ୍ରତିଷ୍ଠିତ କରି ପାରୁଥିବା ବ୍ୟକ୍ତିତ୍ୱଙ୍କ ମଧ୍ୟରେ ନରିମନ ଜଣେ। ଏପରି ଜଣେ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସାକ୍ଷାତ କରିବାର ମୁଁ ସୌଭାଗ୍ୟ ପାଇଛି। ଆଇନଗତ ଦିଗରେ ମୁଁ ତାଙ୍କ ସହାୟତା ଲୋଡ଼ିଥିବା ବେଳେ ପାର୍ଲାମେଣ୍ଟରେ ବି ତାଙ୍କ ସହ ମିଶି କାମ କରିବାକୁ ସୁଯୋଗ ପାଇଛି। ଜଣେ ଶ୍ରେଷ୍ଠ, ଦକ୍ଷତା ସମ୍ପନ୍ନ, ପ୍ରତିଭାବାନ ବ୍ୟକ୍ତିତ୍ୱ ହେବା ସହ ସେ ଜଣେ ଖୁବ୍‌ ଭଦ୍ର, ନମ୍ର ଓ ଅମାୟିକ ବ୍ୟକ୍ତିତ୍ୱ ଥିଲେ। ଓମ୍‌ ଶାନ୍ତି ।