ବର୍ଷା ଧୋଇଦେଲା ଭାରତ-ନ୍ୟୁଜିଲ୍ୟାଣ୍ଡ ଟେଷ୍ଟର ପ୍ରଥମ ଦିନ

ବାକି ୪ ଦିନ ମ୍ୟାଚ୍‌ ୧୫ ମିନିଟ ଆଗୁଆ ଆରମ୍ଭ ହେବ ଓ ୧୫ ମିନିଟ ବିଳମ୍ବରେ ଶେଷ ହେବ।

ବର୍ଷା ଧୋଇଦେଲା ଭାରତ-ନ୍ୟୁଜିଲ୍ୟାଣ୍ଡ ଟେଷ୍ଟର ପ୍ରଥମ ଦିନ

ଲଗାଣ ବର୍ଷା ଯୋଗୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନ ବିନା କ୍ରିକେଟରେ ବାତିଲ ହୋଇଯାଇଛି। ବେଙ୍ଗାଲୁରୁରେ ଲଗାଣ ବର୍ଷା ଯୋଗୁ ମ୍ୟାଚ୍‌ ଆରମ୍ଭ କରିବା ସମ୍ଭବ ପର ହୋଇପାରି ନାହିଁ।

ମଙ୍ଗଳବାର ଠାରୁ ବେଙ୍ଗାଲୁରୁରେ ବର୍ଷା ଲାଗି ରହିଥିବା ବେଳେ ଆଜି ସକାଳୁ ଆହୁରି ତୀବ୍ର ହୋଇଥିଲା। ତଥାପି ଦିନ ୨ଟା ଯାଏ ମ୍ୟାଚ୍‌ ଆରମ୍ଭ କରିବାକୁ ସମସ୍ତେ ଅପେକ୍ଷା କରିଥିଲେ। ହେଲେ ବର୍ଷା ନ ଛାଡ଼ିବାରୁ ପ୍ରଥମ ଦିନର ଖେଳକୁ ବାତିଲ କରି ଦିଆଯାଇଛି।

ଆଜି ସକାଳୁ ବେଙ୍ଗାଲୁରୁରେ ଝିପଝିପ ବର୍ଷା ହେଉଥିଲା। କିନ୍ତୁ ସମୟକ୍ରମେ ଏହାର ପରିମାଣ ବଢ଼ିଥିଲା। ମଧ୍ୟାହ୍ନ ବେଳକୁ ବର୍ଷା ଛାଡ଼ିବାରୁ ପ୍ରଥମ ଦିନର ଖେଳ ଆରମ୍ଭ ହେବ ବୋଲି ଆଶା ସୃଷ୍ଟି ହୋଇଥିଲା। ହେଲେ ପୁଣି ବର୍ଷା ବଢ଼ିବାରୁ ଦିନ ପ୍ରାୟ ୨.୩୦ରେ ମ୍ୟାଚ୍‌ର ପ୍ରଥମ ଦିନ ବିନା ଖେଳରେ ବାତିଲ ହୋଇଥିଲା।

ଏବେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ୪ ଦିନିଆ ହୋଇଯାଇଛି। ଆସନ୍ତାକାଲି ଯଦି ପାଗ ଠିକ ରହିବ, ତା’ହେଲେ ଟସ୍‌ ପଡ଼ି ମ୍ୟାଚ୍‌ ଆରମ୍ଭ ହେବ। ସେହିପରି ଫୋଲଅନ ରନ ସଂଖ୍ୟା ୨୦୦ ବଦଳରେ ୧୫୦ ହୋଇଯିବ।

ବାକି ୪ ଦିନ ମ୍ୟାଚ୍‌ ୧୫ ମିନିଟ ଆଗୁଆ ଆରମ୍ଭ ହେବ ଓ ୧୫ ମିନିଟ ବିଳମ୍ବରେ ଶେଷ ହେବ। ଏହାର ଅର୍ଥ ପ୍ରତିଦିନ ୯୮ ଓଭର ବୋଲିଂ ହେବ। ସେହିପରି ଧିମା ଓଭର ରେଟକୁ ମେକଅପ କରିବା ପାଇଁ ଅତିରିକ୍ତ ୩୦ ମିନିଟ ଖେଳ ହୋଇପାରିବ।