ବସ୍‌ ଡିପୋ ପଛରୁ ମିଳିଥିଲା କ୍ଷତାକ୍ତ ମୃତଦେହ, ପୁଲିସ୍‌ ଦେଲା ଭୟଙ୍କର ତଥ୍ୟ

ପୁଲିସ୍‌ର କହିବା କଥା ଯେ ବ୍ୟକ୍ତି ଜଣଙ୍କୁ ପିଟିପିଟି ହତ୍ୟା କରାଯାଇଛି। ତାଙ୍କ ଗୁପ୍ତାଙ୍ଗରେ ଲୁହା ରଡ ମଧ୍ୟ ଭର୍ତ୍ତି କରି ଦିଆଯାଇଛି।

ବସ୍‌ ଡିପୋ ପଛରୁ ମିଳିଥିଲା କ୍ଷତାକ୍ତ ମୃତଦେହ, ପୁଲିସ୍‌ ଦେଲା ଭୟଙ୍କର ତଥ୍ୟ

ଫେବୃଆରୀ ୭ ତାରିଖରେ ଦିଲ୍ଲୀ ପୁଲିସ୍‌ ଜଣେ ବ୍ୟକ୍ତିଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରିଥିଲା। ବାୱାନା ସ୍ଥିତ ଡିଟିସି ଡିପୋ ପଛରେ ଥିବା ଗୋଟିଏ ପୋଖରୀ ନିକଟରୁ ମୃତଦେହକୁ ଜବତ କରାଯାଇଥିଲା। ଏବେ ପୁଲିସ ଘଟଣାର ତଦନ୍ତ କରି ମୃତଦେହ ମିଳିବା ଘଟଣା ପଛରେ ଥିବା ଭୟଙ୍କର ତଥ୍ୟକୁ ସାର୍ବଜନୀନ କରିଛି। 

ପୁଲିସ୍‌ର କହିବା କଥା ଯେ ବ୍ୟକ୍ତି ଜଣଙ୍କୁ ପିଟିପିଟି ହତ୍ୟା କରାଯାଇଛି। ତାଙ୍କ ଗୁପ୍ତାଙ୍ଗରେ ଲୁହା ରଡ ମଧ୍ୟ ଭର୍ତ୍ତି କରି ଦିଆଯାଇଛି। ପ୍ରଥମେ ଏହାକୁ ଏକ ସାଧାରଣ ହତ୍ୟା ଭାବେ ବିବେଚନା କରାଯାଉଥିଲା। କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଥିଲା। ପୀଡ଼ିତଙ୍କୁ ଭୟଙ୍କର ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଥିବା ରିପୋର୍ଟ ମିଳିବା ପରେ ପୁଲିସ ତଦନ୍ତର ବେଗକୁ ଆହରୁ ତ୍ୱରାନ୍ୱିତ କରିଥିଲା। ପ୍ରଥମେ ମୃତବ୍ୟକ୍ତିଙ୍କ ନାଁ ମନୋଜ ବୋଲି ଜଣାପଡ଼ିଥିଲା।

ତଦନ୍ତ ବେଳେ ପୁଲିସ୍‌ ମୃତଦେହ ମିଳିଥିବା ଅଞ୍ଚଳର ସିସିଟିଭି ଫୁଟେଜକୁ ଭଲ ଭାବେ ଯାଞ୍ଚ କରିଥିଲା। ଫୁଟେଜରେ ଥିବା ଗୋଟିଏ ଆରଟିଭି ବସ୍‌ ଉପରେ ପୁଲିସ୍‌ର ସନ୍ଦେହ ବଢ଼ିଥିଲା। ପରବର୍ତ୍ତୀ ଅବସ୍ଥାରେ ପୁଲିସ୍‌ ଉକ୍ତ ବସ୍‌କୁ ଠାବ କରିବା ସହ ଏହାର ଡ୍ରାଇଭରକୁ ଗିରଫ କରିଥିଲା।

ପୁଲିସ୍‌ର କହିବା କଥା ଯେ ପୂରା ଘଟଣା ଫେବୃଆରୀ ୬ ତାରିଖ ବିଳମ୍ବିତ ରାତିରେ ଘଟିଛି। ମନୋଜ ହେଉଛନ୍ତି ଜଣେ ଅଭ୍ୟାସଗତ ମଦୁଆ। ସେ ସବୁବେଳେ ମଦ ପିଇ ରାତିରେ ଘରକୁ ଫେରନ୍ତି। ଫେବୃଆରୀ ୬ରେ ମଧ୍ୟ ସେ ପେଟେ ମଦ ପିଇବା ପରେ ନିଜର ଖାଇବା ଧରି ବସ୍‌ରେ ଚଢ଼ିଥିଲେ। ବସ୍‌ ମଧ୍ୟ ଆଗକୁ ବଢ଼ିଥିଲା। କିନ୍ତୁ କିଛି ସମୟ ପରେ ସେ ଧରିଥିବା ଖାଇବା ବସ୍‌ରେ ପଡ଼ି ଯାଇଥିଲା।

ଚାରିଆଡ଼େ ଖାଇବା ଜିନିଷ ପଡ଼ିବାରୁ ବସ୍‌ର ଡ୍ରାଇଭର ଓ ତାଙ୍କର କିଛି ସାଙ୍ଗ ରାଗି ଯାଇଥିଲେ। ସେମାନେ ମନୋଜଙ୍କୁ ଶାର୍ଟ ଖୋଲି ସବୁ ଜିନିଷ ସଫା କରିବାକୁ ବାଧ୍ୟ କରିଥିଲେ। କିନ୍ତୁ ମନୋଜ ମନା କରିବାରୁ ଆରମ୍ଭ ହୋଇଥିବା ମାଡ଼। ଡ୍ରାଇଭର ଓ ତାଙ୍କ ସାଙ୍ଗମାନେ ବସ୍‌ ଭିତରେ ମନୋଜଙ୍କୁ ପଶୁଙ୍କ ଭଳି ପିଟି ଚାଲିଥିଲା। ଏପରି କି ବସରେ ଥିବା ଗୋଟିଏ ରଡକୁ ସେମାନେ ମନୋଜଙ୍କ ଗୁପ୍ତାଙ୍ଗା ଭର୍ତ୍ତି କରି ଦେଇଥିଲେ। ନିର୍ଯାତନା ସହି ନ ପାରି ମନୋଜ ଆଖି ବୁଜି ଦେଇଥିଲେ। ସେ ମରି ସାରିଥିବା ଅଭିଯୁକ୍ତମାନେ ଜାଣିବା ପରେ ବସ୍‌କୁ ସିଧା ଡିଟିସି ଡିପୋକୁ ନେଇ ଯାଇଥିଲେ। ସେଠାରେ ଥିବା ଗୋଟିଏ ପୋଖରୀ ନିକଟରେ ମୃତଦେହକୁ ଫିଙ୍ଗି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ପୁଲିସ୍‌ ଘଟଣାର ତଦନ୍ତ କରି ବସ୍‌ ଡ୍ରାଇଭରଙ୍କୁ ଗିରଫ କରିଛି। କିନ୍ତୁ ଏଥିରେ ସାମିଲ ଥିବା ତାଙ୍କର ୨ ବନ୍ଧୁ ଏବେ ବି ଫେରାର ରହିଛନ୍ତି।