ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ଭାବେ ଶପଥ ନେଲେ ମହମ୍ମଦ ୟୁନୁସ

ଚାକିରିରେ ସଂରକ୍ଷଣ ପ୍ରସଙ୍ଗକୁ ନେଇ ଅଶାନ୍ତ ହୋଇଛି ବାଂଲାଦେଶ।

ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ଭାବେ ଶପଥ ନେଲେ ମହମ୍ମଦ ୟୁନୁସ

ଅଶାନ୍ତ ବାଂଲାଦେଶରେ ଆଜି ଗଠନ ହୋଇଛି ଅନ୍ତରୀଣ ସରକାର। ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସ ଅନ୍ତରୀଣ ସରକାରର ମୁଖ୍ୟ ଭାବେ ଶପଥ ନେଇଛନ୍ତି। ବଙ୍ଗଭବନରେ ବାଂଲାଦେଶର ରାଷ୍ଟ୍ରପତି ମହମ୍ମଦ ଶାହବୁଦ୍ଦିନ ତାଙ୍କୁ ଶପଥପାଠ କରାଇଛନ୍ତି। 

ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ଭାବେ ଶପଥ ନେବା ପରେ ମହମ୍ମଦ ୟୁନୁସ କହିଛନ୍ତି ଯେ ସେ ସମ୍ବିଧାନକୁ ମାନିବେ ଓ ଏହାର ସୁରକ୍ଷା କରିବେ। ସେ ସଚ୍ଚୋଟତାର ସହିତ ତାଙ୍କୁ ଦିଆଯାଇଥିବା କାର୍ଯ୍ୟ ସଂପାଦନ କରିବେ। 

ମହମ୍ମଦ ୟୁନୁସ ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ଭାବେ ଶପଥ ନେବା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ତା’ସହିତ ମୋଦି କହିଛନ୍ତି, ବାଂଲାଦେଶର ପରିସ୍ଥିତି ଖୁବଶୀଘ୍ର ସାଧାରଣ ହୋଇଯିବ ବୋଲି ଭାରତ ଆଶା କରୁଛି, ଯାହା ସେଠାରେ ବସବାସ କରୁଥିବା ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ସୁରକ୍ଷାକୁ ମଧ୍ୟ ସୁନିଶ୍ଚିତ କରିବ। ଉଭୟ ଦେଶର ଶାନ୍ତି, ସୁରକ୍ଷା ଓ ବିକାଶକୁ ବଜାୟ ରଖିବାକୁ ଭାରତ ଏବେବି ବାଂଲାଦେଶ ସହିତ ମିଶି କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି। 

ଚାକିରିରେ ସଂରକ୍ଷଣ ପ୍ରସଙ୍ଗକୁ ନେଇ ଅଶାନ୍ତ ହୋଇଛି ବାଂଲାଦେଶ। ଏଥିପାଇଁ ହୋଇଥିବା ବଡ଼ ବିକ୍ଷୋଭ ଓ ହିଂସା ପରେ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ସେ ଇସ୍ତଫା ଦେବା ସହିତ ଦେଶ ମଧ୍ୟ ଛାଡ଼ି ଦେଇଛନ୍ତି। ସେ କେଉଁ ଦେଶରେ ଶରଣ ନେବେ, ତାହା ସ୍ପଷ୍ଟ ହୋଇପାରି ନଥିବା ବେଳେ ଏବେ ଭାରତରେ ଅଛନ୍ତି। ଶେଖ ହସିନା ଆହୁରି କିଛି ଦିନ ଭାରତରେ ରହିବେ ବୋଲି ଜଣାପଡ଼ିଛି।