ବାଂଲାଦେଶରେ ଆସନ୍ତା ବର୍ଷ ହେବ ସାଧାରଣ ନିର୍ବାଚନ

ବ୍ୟାପକ ବିକ୍ଷୋଭ ଓ ହିଂସାକାଣ୍ଡ ପରେ ୨୦୨୪ ଅଗଷ୍ଟ ମାସରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ସେ ଭାରତ ପଳାଇ ଆସି ଶରଣ ନେଇଥିଲେ। ସେହିଦିନଠାରୁ ବିନା ନିର୍ବାଚିତ ସରକାରରେ ଚାଲିଛି ବାଂଲାଦେଶ। ଅନ୍ତରୀଣ ସରକାର ଦେଶ ଚଲାଉଛନ୍ତି।

ବାଂଲାଦେଶରେ ଆସନ୍ତା ବର୍ଷ ହେବ ସାଧାରଣ ନିର୍ବାଚନ

ବାଂଲାଦେଶରେ ୨୦୨୬ ଏପ୍ରିଲ ମାସରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ। ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଶୁକ୍ରବାର ଏହି ଘୋଷଣା କରିଛନ୍ତି। ସେନା ଓ ବାଂଲାଦେଶର ଅନ୍ୟତମ ପ୍ରମୁଖ ରାଜନୀତିକ ଦଳ ବିଏନ୍‌ପି ଶୀଘ୍ର ସାଧାରଣ ନିର୍ବାଚନ କରିବାକୁ ବାରମ୍ବାର ଦାବି କରିଥିଲେ ହେଁ ଅନ୍ତରୀଣ ସରକାର ଏହାକୁ ଆସନ୍ତାବର୍ଷ କରିବାକୁ ଘୋଷଣା କରିଛନ୍ତି।

ଶୁକ୍ରବାର ଇଦ-ଉଲ-ଅଜହା ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରି ମହମ୍ମଦ ୟୁନୁସ କହିଥିଲେ, ୨୦୨୬ ଏପ୍ରିଲ ପ୍ରଥମାର୍ଦ୍ଧରେ ଦେଶର ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ କେମିତି ହେବ, ସେ ନେଇ ଆସନ୍ତା ମାସଗୁଡ଼ିକରେ ନିର୍ବାଚନ କମିଶନ ଏକ ରୂପରେଖ ପ୍ରଦାନ କରିବେ।

ବାଂଲାଦେଶର ସାଧାରଣ ନିର୍ବାଚନକୁ ନେଇ ମହମ୍ମଦ ୟୁନୁସ ଓ ବାଂଲାଦେଶ ନ୍ୟାଶନାଲ ପାର୍ଟି (ବିଏନ୍‌ପି) ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ଯୁକ୍ତିତର୍କ ଚାଲିଥିବା ବେଳେ ଅନ୍ତରୀଣ ସରକାର ଆସନ୍ତାବର୍ଷ ନିର୍ବାଚନ କରିବାକୁ ଘୋଷଣା କରିଛନ୍ତି। ଚଳିତ ବର୍ଷ ଡିସେମ୍ବର ମାସ ସୁଦ୍ଧା ସାଧାରଣ ନିର୍ବାଚନ ଶେଷ କରିବାକୁ ଖାଲିଦା ଜିଆ ଦାବି କରି ଆସୁଛନ୍ତି।

ସପ୍ତାହେ ତଳେ ମହମ୍ମଦ ୟୁନୁସ ଜାପାନ ଗସ୍ତରେ ଯାଇଥିଲେ। ଟୋକିଓରେ ସାଧାରଣ ସଭାକୁ ସମ୍ବୋଧିତ କଲାବେଳେ ସେ କହିଥିଲେ ଯେ ଚଳିତ ବର୍ଷ ଡିସେମ୍ବରରୁ ୨୦୨୬ ଜୁନ୍ ମଧ୍ୟରେ କୌଣସି ସମୟରେ ବାଂଲାଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇପାରେ। ନିର୍ବାଚନ ଓ ଶାସନରେ ସଂସ୍କାର ଆଣିବା ପାଇଁ ଅନ୍ତରୀଣ ସରକାର କାର୍ଯ୍ୟ କରୁଛନ୍ତି।

ଅନ୍ୟପକ୍ଷରେ ସେହିଦିନ ବାଂଲାଦେଶର ରାଜଧାନୀ ଢାକାରେ ଖାଲିଦା ଜିଆଙ୍କ ବିଏନ୍‌ପି ପକ୍ଷରୁ ଏକ ବିଶାଳ ରାଲି କରାଯାଇଥିଲା। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ନିର୍ବାଚନ କରିବା ଦାବିରେ ସେମାନେ ଏହି ରାଲି କରିଥିଲେ। ନିର୍ବାଚନ ତାରିଖରେ ଏପଟସେପଟ ନ କରିବାକୁ ବିଏନ୍‌ପିର କାର୍ଯ୍ୟକାରୀ ଅଧ୍ୟକ୍ଷ ତାରିକ ରହମାନ ଚେତାବନୀ ଦେଇଥିଲେ। କିନ୍ତୁ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାର ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ।

ସଂରକ୍ଷଣ ବ୍ୟବସ୍ଥାକୁ ନେଇ ବାଂଲାଦେଶରେ ବ୍ୟାପକ ବିକ୍ଷୋଭ ଓ ହିଂସାକାଣ୍ଡ ପରେ ୨୦୨୪ ଅଗଷ୍ଟ ମାସରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ସେ ଭାରତ ପଳାଇ ଆସି ଶରଣ ନେଇଥିଲେ। ସେହିଦିନଠାରୁ ବିନା ନିର୍ବାଚିତ ସରକାରରେ ଚାଲିଛି ବାଂଲାଦେଶ। ଅନ୍ତରୀଣ ସରକାର ଦେଶ ଚଲାଇଛନ୍ତି।