ବାଂଲାଦେଶରେ ସଂରକ୍ଷଣ ବିବାଦ ଦଙ୍ଗାରେ ପରିଣତ, ହିନ୍ଦୁଙ୍କୁ କରାଯାଉଛି ଟାର୍ଗେଟ
ବାଂଲାଦେଶରେ ଥିବା ହିନ୍ଦୁ ଏବଂ ହିନ୍ଦୁ ମନ୍ଦିର ଉପରେ କରାଯାଉଥିବା ଆକ୍ରମଣ ପଛରେ ରହିଛି କାହାର ହାତ?
ବାଂଲାଦେଶରେ ସଂରକ୍ଷଣ ବ୍ୟବସ୍ଥା ବିରୋଧରେ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନ ଦଙ୍ଗାରେ ପରିଣତ ହୋଇଛି। ସେଠାରେ ରହୁଥିବା ହିନ୍ଦୁଙ୍କୁ ଟାର୍ଗେଟ କରାଯାଇ ଆକ୍ରମଣ କରା ଯାଉଥିବା ସୂଚନା ମିଳିଛି।
ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଶେଖ୍ ହସିନା ବିଦେଶ ପଳାଇବା ପରେ ବାଂଲାଦେଶରେ ଥିବା ହିନ୍ଦୁ ମନ୍ଦିରଗୁଡିକରେ ଭଙ୍ଗାରୁଜା କରାଯିବା ସହ ହିନ୍ଦୁମାନଙ୍କ ଘର ଏବଂ ସେମାନଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଆକ୍ରମଣ କରାଯାଉଥିବାର ଭିଡିଓ ସାମ୍ନାକୁ ଆସିଛି। ଅନେକ ଲୋକ ହାତରେ ବାଡ଼ି ଧରି ପ୍ରତିବାଦ କରୁଥିବା ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।
ବାଂଲାଦେଶର ଡେଲି ଷ୍ଟାରରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ହିନ୍ଦୁମାନଙ୍କର ଘର ଏବଂ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ଉପରେ ଭିକ୍ଷୋଭକାରୀମାନେ ଆକ୍ରମଣ କରିଛନ୍ତି। ସୋମବାର ରାତିରେ ପ୍ରାୟ ୨୭ ଜିଲ୍ଲାରେ ଥିବା ହିନ୍ଦୁଙ୍କ ଉପରେ ଏହି ଆକ୍ରମଣ କରାଯାଇଛି। ଏପରିକି ସେମାନଙ୍କ ମୂଲ୍ୟବାନ ସାମଗ୍ରୀ ମଧ୍ୟ ଲୁଟି ନେଇଛନ୍ତି।
ଖୁଲନା ଡିଭିଜନ ମେହେରପୁରର ଥିବା ଏକ ଇସ୍କନ ମନ୍ଦିରରେ ଭଙ୍ଗାରୁଜା କରିବା ସହ ଭିକ୍ଷୋଭକାରୀମାନେ ଦେବଦେବୀଙ୍କ ମୂର୍ତ୍ତିରେ ଅଗ୍ନି ସଂଯୋଗ କରିଥିଲେ। ସୌଭାଗ୍ୟବଶତଃ କିଛି ମନ୍ଦିର କର୍ମକର୍ତ୍ତା ମହାପ୍ରଭୁ ଜଗନ୍ନାଥ, ବଡ଼ ଠାକୁର ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ମୂର୍ତ୍ତିକୁ ସୁରକ୍ଷିତ ରଖିବାରେ ସଫଳ ହୋଇଛନ୍ତି।
ତେବେ ସଂରକ୍ଷଣ ବ୍ୟବସ୍ଥା ବିରୁଦ୍ଧର ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ କାହିଁକି ଦଙ୍ଗାରେ ପରିଣତ ହେଉଛି। ୩୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ, ବ୍ୟାପକ କ୍ଷୟକ୍ଷତି ଏବଂ ଶେଖ୍ ହସିନାଙ୍କ ସରକାରର ପତନ ପଛରେ ବାସ୍ତବରେ କାହାର ହାତ ରହିଛି ତାହା ବିଶ୍ୱସ୍ତରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।