ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୧୧ ମୃତ, ଜଳିଗଲେ ୬୦

ଅନେକ ଲୋକେ ଏବେବି ବାଣ ଫ୍ୟାକ୍ଟ୍ରିରେ ଭିତରେ ଫଶି ରହିଥିବା ଆଶଙ୍କା କରାଯାଉଛି।

ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୧୧ ମୃତ, ଜଳିଗଲେ ୬୦

ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ। ଥରେ କି ଦୁଇ ଥର ନୁହେଁ ରହି ରହି ବାରମ୍ବାର ହେଉଛି ବିସ୍ପୋରଣ। ଫଳରେ ପୂରା ଫ୍ୟାକ୍ଟ୍ରିରେ ହୁ ହୁ ହୋଇ ଜଳି ଉଠିଛି। ଫ୍ୟାକ୍ଟ୍ରିରେ ବିସ୍ଫୋରଣ ପରେ ନିଆଁ ଲାଗିବା ଯୋଗୁ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ ଜଣ ଜଳି ଯାଇଥିବା ସୂଚନା ମିଳିଛି। ମଧ୍ୟପ୍ରଦେଶର ହରଦା ଜିଲ୍ଲାରେ ଘଟିଛି ଏଭଳି କିଛି ଘଟଣା।

ସୂଚନା ମୁତାବକ, ନିଆଁ ଲାଗି ଆହତ ହୋଇଥିବା ୬୦ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଠାରେ କାମ କରୁଥିବା ଅନେକ ଲୋକ ଏବେ ବି ଫ୍ୟାକ୍ଟ୍ରି ଭିତରେ ଫଶି ରହିଥିବା କୁହାଯାଉଛି। ଏମାନଙ୍କୁ ଉଦ୍ଧାର କରିବା ପାଇଁ ଏସ୍‌ଡିଆର୍‌ଏଫ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ସେହିପରି ଅଗ୍ନିଶମ ବାହିନୀର କର୍ମଚାରୀମାନେ ନିଆଁ ଲିଭାରେ କାମରେ ନିୟୋଜିତ ଅଛନ୍ତି। ଘଟଣାସ୍ଥଳରେ ୫ରୁ ୬ଟି ଆମ୍ବୁଲାନ୍ସ ମଧ୍ୟ ଉପସ୍ଥିତ ଅଛି। ତେବେ ଏଯାଏଁ ନିଆଁକୁ ଆୟତ୍ତ କରାଯାଇପାରି ନାହିଁ। ସେପଟେ ଏହି ଘଟଣା ପରେ ପୂରା ଅଞ୍ଚଳରେ ଇଣ୍ଟରନେଟ୍‌ ସେବା ବନ୍ଦ କରିଦିଆଯାଇଛି। 

କୁହାଯାଉଛି ଯେ, ଏହି ବାଣ ଫ୍ୟାକ୍ଟ୍ରିଟି ଦୀର୍ଘ ଦିନ ଧରି ବେଆଇନ ଭାବେ କାର୍ଯ୍ୟ କରୁଥିଲା। ପ୍ରାୟ ୧୫୦ ଲୋକ ଫ୍ୟାକ୍ଟ୍ରିରେ କାମ କରୁଥିଲେ, ଯେଉଁମାନେ ଏହି ଘଟଣାରେ ଆହତ ହୋଇଛନ୍ତି। ଉକ୍ତ ଫ୍ୟାକ୍ଟ୍ରିରେ ବିପୁଳ ମାତ୍ରାରେ ବାରୁଦ ଓ ବିସ୍ଫୋରକ ସାମଗ୍ରୀ ଭରି ହୋଇ ରହିଥିଲା। ଏଥିଯୋଗୁଁ ଏଠାରେ ରହି ରହି ବାରମ୍ବର ବିସ୍ଫୋରଣ ହୋଉଥିବା ଶବ୍ଦ ଶୁଣିବାକୁ ମିଳିଛି। ଏହି କାରଣ ଯୋଗୁ ନିଆଁକୁ କାବୁ କରିବା ମୁସ୍‌କିଲ ହୋଇଛି। ସେହିପରି ବିସ୍ଫୋରଣ ଯୋଗୁ ପୂରା ଅଞ୍ଚଳରେ କଳା ଧୂଆଁ ବ୍ୟାପି ଯାଇଛି। ଲୋକେ ଆତଙ୍କିତ ହୋଇପଡିଛନ୍ତି।

ସେପଟେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ ହରଦାଠାରେ ଘଟିଥିବା ବିସ୍ଫୋରଣ ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କଠାରୁ ପଚାରି ବୁଝିଛନ୍ତି। ଘଟଣାସ୍ଥଳରେ ସରକାରୀ ଅଧିକାରୀମାନେ ମଧ୍ୟ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି।