ବାର୍ ବାଉନସର ନିଯୁକ୍ତି ଉପରେ ଲଗାମ୍ ! ବିନା ଅନୁମତିରେ ରଖିପାରିବେନି ବାର ମାଲିକ

ଗ୍ରାହକଙ୍କୁ ଦୁର୍ବ୍ୟବହାର ନେଇ ସୂଚନା ମିଳିଲେ । ବାଉନସରଙ୍କ ବିରୋଧରେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ ।

ବାର୍ ବାଉନସର ନିଯୁକ୍ତି ଉପରେ ଲଗାମ୍ ! ବିନା ଅନୁମତିରେ ରଖିପାରିବେନି ବାର ମାଲିକ

ବାହୁ ଦେଖାଇଲେ ବନ୍ଧା ହେବେ ବାଉନ୍ସର । ବାର୍ ଓ ପବ୍‌ରେ ବଳ ଦେଖାଇ ମାଡ ମାରିଲେ ନିଆଯିବ ଆକ୍ସନ । ବାହୁବଳୀ ବାଉନ୍ସରଙ୍କୁ ସାବାଡ଼ କରିବା ପାଇଁ ନୂଆ ଏସଓପି । ନୋଟିଫିକେସନରେ ସ୍ପଷ୍ଟ ଭାବେ ଉଲ୍ଳେଖ ଅଛି କମିଶନରେଟ ପୋଲିସର ବିନା ଅନୁମତିରେ ବାଉନ୍ସର ରଖିପାରିବେନି ମାଲିକ । PSARA ଆକ୍ଟ ଅଧୀନରେ ଥିବା ସିକ୍ୟୁରିଟି ଏଜେନ୍ସି ଗାର୍ଡ ନିୟୋଜିତ କରିପାରିବେ।

ବାର୍ ମାଲିକ ସମ୍ପୃକ୍ତ ଗାର୍ଡଙ୍କ ସମ୍ପର୍କରେ ଲିଖିତ ଭାବେ ଜଣାଇବେ । ବାର୍‌ରେ ନିୟୋଜିତ ହେବା ପରେ ବାଉନସର୍ ମାନଙ୍କୁ ନିର୍ଦ୍ଧାରିତ ନିୟମ କାନୁନ ମାନିବାକୁ ପଡ଼ିବ। ଗ୍ରାହକଙ୍କୁ ଦୁର୍ବ୍ୟବହାର ନେଇ ସୂଚନା ମିଳିଲେ, ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।

ଅତ୍ୟାବଶ୍ୟକ ସ୍ଥିତିରେ ବାଉନସର୍ ୧୧୨ ଏମର୍ଜେନ୍ସି ନମ୍ବରକୁ ଯୋଗାଯୋଗ କରିପାରିବେ, କିନ୍ତୁ ନିଜେ ଆଇନକୁ ହାତକୁ ନେଇପାରିବେ ନାହିଁ। ଦୈତ୍ୟ ନଗରୀରେ ବାରମ୍ବାର ବାର୍‌ରେ ଗ୍ରାହକ ଓ ବାଉନ୍ସରଙ୍କ ଭିତରେ ହାତାହାତି ପରିସ୍ଥିତି ହେବାପରେ ଆକ୍ସନ ମୋଡ଼କୁ ଆସିଛି ପୋଲିସ ।

ଅଣ୍ଡର ସେକ୍ସନ ୫୮, ଅର୍ବାନ ଆକ୍ଟ ୨୦୦୩ ମୁତାବକ ଯଦି କୌଣସି ବାର, ପବ ଏହି ନିୟମର ଉଲ୍ଲଂଘନ କରେ ତେବେ ଧାରା ୧୪୪ ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି ଆଇନଶୃଙ୍ଖଳା ପରିସ୍ଥିତି ସେଠାରେ ସୃଷ୍ଟି ହୁଏ, ତେବେ ୧୧୨କୁ କଲ କରି ସେମାନେ ପୋଲିସକୁ ଜଣାଇପାରିବେ । ବାରମ୍ବାର ଗଣ୍ଡଗୋଳ ଘଟଣା ନଜର ଆସିଲେ ଲାଇସେନ୍ସ ରଦ୍ଦ କରିପାରିବ ଅବକାରୀ ବିଭାଗ।

ବିଗତ କିଛି ଦିନର ରେକର୍ଡ ଦେଖିଲେ, ଝାରପଡା ହେଉ ଅବା ଏୟାରଫିଲ୍ଡ ଥାନା ଅଂଚଳ, ରାଜଧାନୀର ବିଭିନ୍ନ ଅଂଚଳରୁ ଆସିଛି ବାଉନ୍ସରଙ୍କ ଦାଦାଗିରି ଖବର। ଏହି SOP ପରେ ବାର୍ ମାଲିକ ଚେତିବା ସହ ଶୃଙ୍ଖଳିତ ହେବ ଗ୍ରାହକଙ୍କ ପ୍ରତି ବାଉନ୍ସରଙ୍କ ବ୍ୟବହାର।

ବାହୁ ଦେଖାଇଲେ ବନ୍ଧାହେବେ ବାଉନସର

କମିଶନରେଟ୍ ପୋଲିସର ନୂଆ ନିର୍ଦ୍ଦେଶନାମା