ବାର୍ଥଡେ' ପାର୍ଟିରେ ବଟି ମାଗିବାକୁ ଗଲେ ଡିଏସ୍‌ପି, ନ ମିଳିବାରୁ କଲେ ଫାୟରିଂ

ଗୁଳିମାଡ଼ରେ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଦୁଇ ଜଣ ଗୁରୁତର ହୋଇଛନ୍ତି।

ବାର୍ଥଡେ' ପାର୍ଟିରେ ବଟି ମାଗିବାକୁ ଗଲେ ଡିଏସ୍‌ପି, ନ ମିଳିବାରୁ କଲେ ଫାୟରିଂ

ଚାଲିଥିଲା ବାର୍ଥଡେ' ପାର୍ଟି। ନାଚ ଗୀତରେ ମସଗୁଲ ଥିଲେ ଲୋକେ। ମଦ ମାଂସର ଆସର ବି ଜମିଥିଲା। ଏତିକି ବେଳେ ପାର୍ଟିରେ ହଠାତ୍‌ ପହଞ୍ଚିଗଲେ ଟ୍ରାଫିକ୍‌ ଡିଏସ୍‌ପି। ଆଉ ମାଗିଲେ ବଟି। ତେବେ ଲୋକେ ଟଙ୍କା ନଦେବାରୁ ରାଗି ଯାଇ ସେ ଫୁଟାଇଥିଲେ ଗୁଳି। ଏଥିରେ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଦୁଇ ଜଣ ଆହତ ହୋଇଛନ୍ତି। ବିହାରରେ ଘଟିଛି ଏଭଳି କିଛି ଗୁଳିକାଣ୍ଡ ଘଟଣା।

ବିହାରରେ ବ୍ୟାନ୍‌ ସତ୍ତ୍ୱେ ବହୁ ସଂଖ୍ୟକ ଲୋକ ଏଠାରେ ମଦ୍ୟପାନ କରୁଛନ୍ତି। ବେଆଇନ ମଦ ଏଠାରେ ବହୁ ପରିମାଣରେ ଉତ୍ପାଦିତ ହେଉଛି। ପଡୋଶୀ ରାଜ୍ୟରୁ ମଧ୍ୟ ମଦ କାରବାର କରାଯାଉଛି। ସମୟ ସମୟରେ ମଦ କାରବାରରେ ପୁଲିସ୍ ସମ୍ପୃକ୍ତ ଥିବା ଖବର ଆସୁଛି। ଏଭଳି ସ୍ଥିତି ଏକ ନୂଆ ଘଟଣା ସାମ୍ନାକୁ ଆସିଛି ରୋହତସରୁ। ଏଠାରେ ଶୁକ୍ରବାର ରାତିରେ ଏକ ବାର୍ଥଡେ' ପାର୍ଟି ଚାଳିଥିବା ବେଳେ ଲୋକେ ମଦ ପିଉଥିଲେ।

ଏନେଇ ଟ୍ରାଫିକ୍ ପୁଲିସକୁ ସୂଚନା ମିଳିଥିଲା। ଏହାପରେ ଟ୍ରାଫିକ୍‌ ଡିସଏସ୍‌ପି ତିନି ଚାରି ଜଣଙ୍କ ସହ ମିଶି ସେଠାରେ ପହଞ୍ଚିଥିଲେ। ତେବେ ପୁଲିସକର୍ମୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ବଟି ଆଦାୟ କରିବାକୁ ସେଠାକୁ ଯାଇଥିଲେ। ଏହାକୁ ନେଇ ବିବାଦ ଦେଖାଦେଇଥିଲା। ଜନ୍ମଦିନ ଉତ୍ସବ ପାଳନ କରୁଥିବା ଲୋକେ ଟ୍ରାଫିକ୍‌ ପୁଲିସକୁ ଟଙ୍କା ଦେବାକୁ ମନା କରିଥିଲେ। ବାସ୍‌ ଏତିକିରେ ରାଗି ଯାଇ ଟ୍ରାଫିକ୍‌ ଡିଏସ୍‌ପି ନିଜ ସର୍ଭିସ ବନ୍ଧୁକରୁ ଫାୟରିଂ କରିଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ, ପୁଲିସ ୬ ରାଉଣ୍ଡ ଗୁଳିମାଡ଼ କରିଥିଲା। ଏଥିରେ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଦୁଇ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ରାଣା ଓମ୍‌ ପ୍ରକାଶ। ଓମ୍‌ ପ୍ରକାଶଙ୍କର ହିଁ ଜନ୍ମଦିନ ଥିଲା। ଏଥିପାଇଁ ପାର୍ଟି ଆୟୋଜନ କରାଯାଇଥିଲା। ତାଙ୍କ ଛାତିରେ ଗୁଳି ବାଜିବା ଯୋଗୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ସେହିପରି ଗୁରୁତର ଦୁଇ ଜଣ ହେଲେ ଅତୁଲ କୁମାର ଓ ବିନୋଦ କୁମାର। ଏମାନଙ୍କ ହାତ ଓ କାନ୍ଧରେ ଗୁଳି ବାଜିଛି। ଭୟଙ୍କ ଚିକିତ୍ସା ଜାରି ରହିଛି।

ଟ୍ରାଫିକ୍ ପୁଲିସ ଡିଏସ୍‌ପି ଗୁଳିମାଡ଼ କରିବା ପରେ ମିଛ କେସ୍‌ରେ ସମସ୍ତଙ୍କୁ ଫସାଇବାକୁ ଧମକ ଦେଇ ଘଟଣାସ୍ଥଳରୁ ଚାଲିଯାଇଥିବା ମୃତକଙ୍କ ଭାଇ ଥାନାରେ ଅଭିଯୋଗ କରିଛନ୍ତି। ପୂରା ମାମଲାର ତଦନ୍ତ ଜାରି ରହିଛି।