ବାର୍ବାଡସରୁ ଫେରିବେ ଭାରତୀୟ ଖେଳାଳି, BCCI ପଠାଇଲା ସ୍ୱତନ୍ତ୍ର ବିମାନ
ଟି-ଟ୍ୱେଣ୍ଟି ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ପରେ ଘୂର୍ଣ୍ଣିଝଡ଼ କାରଣରୁ ବାର୍ବାଡସରୁ ଫେରି ପାରିନାହାନ୍ତି ଭାରତୀୟ ଖେଳାଳି।
ବାର୍ବାଡସରେ ଫସି ରହିଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍ ବିଜେତା ଭାରତୀୟ ଟିମ୍ ଖୁବଶୀଘ୍ର ଭାରତ ଫେରିବେ। ଆସନ୍ତାକାଲି ସ୍ୱତନ୍ତ୍ର ବିମାନ ଯୋଗେ ସମସ୍ତ ଖେଳାଳି ଓ ସେମାନଙ୍କ ପରିବାରବର୍ଗ ଭାରତ ଫେରିବେ। ଏନେଇ BCCI ଏକ ସ୍ୱତନ୍ତ୍ର ବିମାନର ଆୟୋଜନ କରିଛି।
ବାର୍ବାଡସରେ ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଜୁନ୍ ୨୯ରୁ ଫାଇନାଲ୍ ମ୍ୟାଚ୍ ସରିଥିଲେ ବି ଆଇଲାଣ୍ଡ ଦେଶରେ ଘୂର୍ଣ୍ଣିଝଡ଼ କାରଣରୁ ସେମାନେ ସେଠାରେ ଫସି ରହିଛନ୍ତି। ଗତକାଲି ଘୂର୍ଣ୍ଣିଝଡ଼ ଲ୍ୟାଣ୍ଡଫଲ୍ କରିବା ପରେ ଟିମ୍ ଇଣ୍ଡିଆକୁ ଫେରାଇ ଆଣିବାକୁ ଯୋଜନା କରୁଛି BCCI।
ରିପୋର୍ଟ ଅନୁସାରେ, ମଙ୍ଗଳବାର ବାର୍ବାଡସ୍ ସମୟ ସନ୍ଧ୍ୟା 6ଟାରେ ଖେଳାଳିଙ୍କୁ ନେଇ ବିସିସିଆଇ ବିମାନ ଉଡ଼ାଣ ଭରିବ। ଯଦି ଭାରତ ସମୟ କଥା ଦେଖିବା ତେବେ ଏହା ବୁଧବାର ଭୋଅର ୩ଟା ୩୦ ହୋଇଥିବ। ଖେଳାଳିମାନେ ଦିଲ୍ଲୀରେ ୩ ଜୁଲାଇ ୭ଟା ୪୫ରେ ପହଞ୍ଚିବେ।
ପ୍ରକାଶ ଥାଉକି, ୧୭ ବର୍ଷ ପରେ ଟି-୨୦ ବିଶ୍ୱକପ୍ ବିଜୟୀ ହୋଇଛି ଭାରତ। ୨୦୦୭ରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଭାରତ ଟି-୨୦ ବିଶ୍ୱକପ ଜିତିଥିଲା। ୨୦୨୪ରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଦକ୍ଷିଣ ଆଫ୍ରିକାକୁ ହରାଇ ଚାମ୍ପିଅନ ହୋଇଛି। ବିଜୟୀ ଟିମକୁ ସ୍ୱାଗତ କରିବା ପାଇଁ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି କ୍ରିକେଟ ପ୍ରେମୀ।