ବିକାଶର ରଙ୍ଗ!

ଓଡ଼ିଶାରେ ପ୍ରଥମ ଥର ପାଇଁ ଶାସନ କ୍ଷମତାକୁ ଆସିଥିବା ବିଜେପି ଦଳୀୟ ରଙ୍ଗ(ଗୈରିକ)ରେ ଓଡ଼ିଶାର ସରକାରୀ ସମ୍ପତ୍ତିକୁ ରଙ୍ଗାୟିତ କରିବାର ଉଦ୍ୟମ ଆରମ୍ଭ କରିଛି। ଏହି ମର୍ମରେ ଗତ ୭ ତାରିଖରେ ରାଜ୍ୟ ପୂର୍ତ୍ତ ବିଭାଗ ଏକ ନିର୍ଦ୍ଦେଶନାମା ଜାରି କରିବା ପରେ ବିବାଦ ଉଠିଛି। ଓଡ଼ିଶାବାସୀଙ୍କ ଟିକସ ଅର୍ଥରେ ଏଭଳି ରଙ୍ଗ ରାଜନୀତି ଓ ଅପବ୍ୟୟକୁ ବୁଦ୍ଧିଜୀବୀ ମହଲ ନାପସନ୍ଦ କରିଛନ୍ତି। ବିଜେପି ସରକାର ବୋଧହୁଏ ‘ଦୃଶ୍ୟମ୍‌‌’ ଚଳଚ୍ଚିତ୍ର ଦ୍ୱାରା ବହୁଳ ପ୍ରଭାବିତ ହୋଇଥିବାରୁ ଓଡ଼ିଶାଭୋଟରଙ୍କ […]

ବିକାଶର ରଙ୍ଗ!
sakala editorial

ଓଡ଼ିଶାରେ ପ୍ରଥମ ଥର ପାଇଁ ଶାସନ କ୍ଷମତାକୁ ଆସିଥିବା ବିଜେପି ଦଳୀୟ ରଙ୍ଗ(ଗୈରିକ)ରେ ଓଡ଼ିଶାର ସରକାରୀ ସମ୍ପତ୍ତିକୁ ରଙ୍ଗାୟିତ କରିବାର ଉଦ୍ୟମ ଆରମ୍ଭ କରିଛି। ଏହି ମର୍ମରେ ଗତ ୭ ତାରିଖରେ ରାଜ୍ୟ ପୂର୍ତ୍ତ ବିଭାଗ ଏକ ନିର୍ଦ୍ଦେଶନାମା ଜାରି କରିବା ପରେ ବିବାଦ ଉଠିଛି। ଓଡ଼ିଶାବାସୀଙ୍କ ଟିକସ ଅର୍ଥରେ ଏଭଳି ରଙ୍ଗ ରାଜନୀତି ଓ ଅପବ୍ୟୟକୁ ବୁଦ୍ଧିଜୀବୀ ମହଲ ନାପସନ୍ଦ କରିଛନ୍ତି। ବିଜେପି ସରକାର ବୋଧହୁଏ ‘ଦୃଶ୍ୟମ୍‌‌’ ଚଳଚ୍ଚିତ୍ର ଦ୍ୱାରା ବହୁଳ ପ୍ରଭାବିତ ହୋଇଥିବାରୁ ଓଡ଼ିଶାଭୋଟରଙ୍କ ମନରେ ଗୈରିକୀକରଣ ଜରିଆରେ ଦଳୀୟ ଛାପକୁ ସ୍ଥାୟୀ କରିବାର ଏଭଳି ବିକାର ସୃଷ୍ଟି ହୋଇଛି ବୋଲି ମଧ୍ୟ ମତ ପ୍ରକାଶ ପାଉଛି।

ବିଜେପିର ଏହି ‘ରଙ୍ଗବିକାର’ କେବଳ ଓଡ଼ିଶାରେ ନୁହେଁ, ଏହାପୂର୍ବରୁ ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାର ଅମଳରୁ ଦେଶରେ ଏହାର ପ୍ରୟୋଗ ଆରମ୍ଭ ହୋଇସାରିଛି। ଦୂରଦର୍ଶନ ‘ଲୋଗୋ’ର ରଙ୍ଗକୁ ମଧ୍ୟ ନାଲିରୁ ଗେରୁଆକୁ ପରିବର୍ତ୍ତନ କରାଯାଇଥିଲା, ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏଠାରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଏଭଳି ରଙ୍ଗ ରାଜନୀତି ବା ରଙ୍ଗ ପରିବର୍ତ୍ତନ ଦ୍ୱାରା ଜନସାଧାରଣଙ୍କ ବା ମୋଟ ଉପରେ ରାଜ୍ୟ ଓ ଦେଶର କି ଉପକାର ହେଉଛି? ଯଦି ଏହି ରଙ୍ଗ ରାଜନୀତିକୁ ଗଣତାନ୍ତ୍ରିକ ମାନସିକତାର ପରିପନ୍ଥୀ ଓ ରାଜତାନ୍ତ୍ରିକ ମାନସିକତାର ପ୍ରବୃତ୍ତି ବୋଲି କୁହାଯାଏ ତେବେ ବୋଧହୁଏ ଭୁଲ୍‌‌ ହେବ ନାହିଁ।

ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ଲାଲ ବାହାଦୂର ଶାସ୍ତ୍ରୀ ଭବନ ସମେତ ସମସ୍ତ ସରକାରୀ କୋଠାବାଡ଼ି ଓ ଧର୍ମାନୁଷ୍ଠାନ ଏପରିକି ହଜ୍‌‌ ହାଉସ୍‌‌କୁ ଗୈରିକ ରଙ୍ଗରେ ରଙ୍ଗାୟିତ କରିବା ପରେ ବିବାଦ ତୀବ୍ର ହୋଇଥିଲା। ଏହାପରେ ହଜ୍‌‌ ହାଉସ୍‌‌କୁ ପୂର୍ବବର୍ତ୍ତୀ ରଙ୍ଗରେ ପୁନଃରଙ୍ଗାୟିତ କରାଯାଇଥିଲା। ଉତ୍ତରପ୍ରଦେଶ ସରକାରଙ୍କ ରଙ୍ଗବିକାର ଦେଖାଦେଖି ପଶ୍ଚିମବଙ୍ଗରେ ଅନେକ ସଡ଼କ ଓ ସରକାରୀ କୋଠାବାଡ଼ି ସମେତ ଶିକ୍ଷାନୁଷ୍ଠାନଗୁଡ଼ିକୁ ନୀଳ-ଧଳା ରଙ୍ଗରେ ରଙ୍ଗାୟିତ କରିବା ପାଇଁ ସେଠାକାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବିଡ଼ମ୍ବନା ହେଉଛି ମମତାଙ୍କ ଏତାଦୃଶ କାର୍ଯ୍ୟକୁ ସେଠାକାର ବିଜେପି ନେତାମାନେ ବିରୋଧ କରିଥିଲେ। ଉତ୍ତରପ୍ରଦେଶରେ ଯାହା ଠିକ୍‌‌, ପଶ୍ଚିମବଙ୍ଗରେ ତାହା ଭୁଲ୍‌‌ କେମିତି ବୋଲି ଟିଏମ୍‌‌ସି ନେତ୍ରୀ ମମତା ବାନାର୍ଜୀ ସେତେବେଳେ ପ୍ରଶ୍ନ କରିଥିଲେ। ଏଭଳି ଏକ ପ୍ରଶ୍ନ ଆନ୍ଧ୍ରପ୍ରଦେଶ ସହିତ ମଧ୍ୟ ଯୋଡ଼ି ହୋଇଛି।

୨୦୧୯ରେ ଆନ୍ଧ୍ରପ୍ରଦେଶରେ ସରକାରୀ କୋଠାବାଡ଼ିକୁ ୱାଇଏସ୍‌‌ଆର କଂଗ୍ରେସର ଦଳୀୟ ପତାକାର ରଙ୍ଗ ଅନୁଯାୟୀ ପରିବର୍ତ୍ତନ ପରେ ରାଜନୈତିକ ବିବାଦ ତୀବ୍ର ହୋଇଥିଲା। ସେଠାରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରକାରୀ କୋଠାବାଡ଼ିର ଏଭଳି ରଙ୍ଗ ପରିବର୍ତ୍ତନ ବା ରଙ୍ଗ ରାଜନୀତି ବିରୋଧରେ ଆଗତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଆନ୍ଧ୍ର ଉଚ୍ଚ ନ୍ୟାୟାଳୟ ଏଭଳି କାର୍ଯ୍ୟକଳାପ ଉପରେ ରହିତାଦେଶ ଜାରି କରିବା ସହିତ ଏହି ପ୍ରକ୍ରିୟାରେ ରାଜକୋଷରୁ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାର ହିସାବ ଦେବାକୁ ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରେ ଦୀର୍ଘଶୁଣାଣି ପରେ ଆନ୍ଧ୍ର ଉଚ୍ଚ ନ୍ୟାୟାଳୟ ସେଠାରେ ତତ୍କାଳୀନ କ୍ଷମତାସୀନ ରାଜ୍ୟ ୱାଇଏସ୍‌‌ଆର କଂଗ୍ରେସ ସରକାର, କେନ୍ଦ୍ର ସରକାର ଓ ରାଜ୍ୟ ନିର୍ବାଚନ ଆୟୋଗଙ୍କଠାରୁ କୈଫିୟତ ତଲବ କରିଥିଲେ। ଏହାର ଉତ୍ତରରେ କେନ୍ଦ୍ର ସରକାର ସ୍ପଷ୍ଟ କରିଥିଲେ ଯେ ସରକାରୀ କୋଠାବାଡ଼ି ଦଳୀୟ ପ୍ରଚାରପ୍ରସାର ବା ବିଜ୍ଞାପନ ପାଇଁ ବ୍ୟବହାର କରାଯାଇପାରିବ ନାହିଁ। ଏଥିପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଜାରି କରିଥିବା ନିର୍ଦ୍ଦେଶନାମାକୁ ମଧ୍ୟ କେନ୍ଦ୍ର ସରକାର ସେତେବେଳେ ଉଲ୍ଳେଖ କରିଥିଲେ।

ଏ ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତ ଦେଇଥିବା ରାୟ ଅନୁଯାୟୀ, ସର୍ବସାଧାରଣ କିମ୍ବା ସରକାରୀ ସ୍ଥାବର ଅସ୍ଥାବର ସମ୍ପତ୍ତି ଶାସନରେ ଥିବା ରାଜନୈତିକ ଦଳର ନୁହେଁ, ବରଂ ଜନସାଧାରଣଙ୍କର। ତେଣୁ ସେଗୁଡ଼ିକର ରାଜନୀତିକରଣ କରାଯାଇପାରିବ ନାହିଁ। ସର୍ବୋଚ୍ଚ ନ୍ୟାୟାଳୟ ଆହୁରି ମଧ୍ୟ କହିଥିଲେ ଯେ ସରକାରୀ ଯୋଜନା ବିଷୟରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଚାର ପ୍ରସାର ବେଳେ ସରକାରରେ ବା ଶାସନ କ୍ଷମତାରେ ଥିବା ଦଳ ରାଜନୈତିକ ନିରପେକ୍ଷତା ବଜାୟ ରଖିବା ଆବଶ୍ୟକ। ସରକାରୀ ଯୋଜନା ବିଷୟରେ ବିଜ୍ଞାପନ ମଧ୍ୟ କେବଳ ବସ୍ତୁନିଷ୍ଠ ହେବା ବିଧେୟ। ଏହା ଯେପରି କୌଣସିପ୍ରକାରେ ଦଳୀୟ ପ୍ରଶଂସାସୂଚକ କିମ୍ବା ବିରୋଧୀଙ୍କ ପ୍ରତି ଅପମାନସୂଚକ କିମ୍ବା ବିଦ୍ରୂପାତ୍ମକ ନ ହେବ ତାହା ସରକାରରେ ଥିବା ରାଜନୈତିକ ଦଳ ସୁନିଶ୍ଚିତ କରିବାକୁ ପଡ଼ିବ।

୨୦୧୯ରେ କେନ୍ଦ୍ରରେ ଯେଉଁ ଦଳ ଶାସନରେ ଥିଲା ଏବେ ସେହି ଦଳ ସେଠାରେ ଓ ଓଡ଼ିଶାରେ ଶାସନ କ୍ଷମତାରେ ରହିଛି। ତେଣୁ ଆନ୍ଧ୍ରପ୍ରଦେଶରେ ରଙ୍ଗ ରାଜନୀତିକରଣ ପ୍ରସଙ୍ଗରେ ସେଠାକାର ଉଚ୍ଚ ନ୍ୟାୟାଳୟରେ ସେତେବେଳେ କେନ୍ଦ୍ର ସରକାର ଦେଇଥିବା ସ୍ପଷ୍ଟୀକରଣ କ’ଣ ଓଡ଼ିଶା ପରିପ୍ରେକ୍ଷୀରେ ପ୍ରଯୁଜ୍ୟ ନୁହେଁ କି? ଏହାର ଉତ୍ତର ବୋଧହୁଏ ହୋଇପାରେ ଯେ ଆନ୍ଧ୍ରପ୍ରଦେଶରେ ସେତେବେଳେ ଅଣଏନ୍‌‌ଡିଏ ଦଳର ଶାସନ ଚାଲିଥିବାରୁ କେନ୍ଦ୍ର ସରକାର ରଙ୍ଗ ରାଜନୀତି ବିପକ୍ଷବାଦୀ ଥିଲେ ଏବଂ ଏବେ ଓଡ଼ିଶାରେ ବିଜେପି ଶାସନ ଚାଲିଥିବାରୁ ରଙ୍ଗ ରାଜନୀତିକୁ ଉତ୍ସାହିତ କରୁଛନ୍ତି।

ଯେକୌଣସି ରାଜ୍ୟରେ ଯେକୌଣସି ଦଳୀୟ ଶାସନରେ ରଙ୍ଗକୁ ନେଇ ଏଭଳି ଅସୂୟା ଓ ପରଶ୍ରିକାତରତା ଆଦୌ ସ୍ପୃହଣୀୟ ନୁହେଁ। ରଙ୍ଗ ଦଳୀୟ ଅସ୍ମିତାର ପରିଚାୟକ ହୋଇପାରେ; କିନ୍ତୁ ସୁସ୍ଥ ଗଣତାନ୍ତ୍ରିକ ମୂଲ୍ୟବୋଧର ପରିପନ୍ଥୀ। ଆମେ ଭାରତବାସୀ ଗୋଟିଏ ତ୍ରିରଙ୍ଗା ତଳେ ଏକଠି ହୋଇ ଏକତା ଓ ଶାନ୍ତିର ଶପଥ ନେଉଛେ। ଭାରତୀୟତା ଆମ ଅସ୍ମିତା ଏବଂ ସଦ୍‌‌ଭାବନା ଆମର ମନ୍ତ୍ର। ବିବିଧତା ମଧ୍ୟରେ ଏକତା ଆମର ଗୌରବ। ଏହି ପୃଷ୍ଠଭୂମିରେ ଗଣତାନ୍ତ୍ରିକ ରାଷ୍ଟ୍ରରେ ଦଳୀୟ ରଙ୍ଗ ଅନୁଯାୟୀ ସରକାରୀ ସମ୍ପତ୍ତିର ରଙ୍ଗ ପରିବର୍ତ୍ତନ ଅସାମ୍ବିଧାନିକ ଓ ଅନୈତିକ। ବହୁଦଳୀୟ ଶାସନ ବ୍ୟବସ୍ଥାରେ ରାଜନୀତିର ପ୍ରତିଯୋଗିତା ବିକାଶ ଆଧାରିତ ହେଉ, ରଙ୍ଗକୁ ନେଇ ନୁହେଁ। ବିକାଶର ରଙ୍ଗରେ ଦେଶକୁ କେତେ ରଙ୍ଗାୟିତ କରାଯାଇଛି ତାହା ନିର୍ବାଚନୀ ରାଜନୀତିରେ ରାଜନୈତିକ ଦଳମାନଙ୍କର ଦକ୍ଷତା ଓ ଲୋକପ୍ରିୟତାର ମାପଦଣ୍ଡ ଓ ମାନଦଣ୍ଡ ହେଉ। ସରକାରମାନେ ଏଭଳି ରଙ୍ଗ ରାଜନୀତିରେ ନିଜର ବହୁମୂଲ୍ୟ ସମୟ ଓ ଅର୍ଥ ଅପଚୟ ନ କରି ବିକାଶଭିତ୍ତିକ ଲକ୍ଷ୍ୟପୂରଣ ଦିଗରେ ବ୍ରତୀ ହୁଅନ୍ତୁ। ଜନସାଧାରଣଙ୍କୁ ପ୍ରଗତିର ରଙ୍ଗରେ ରଙ୍ଗାୟିତ କରନ୍ତୁ।