ବିଜେଡି କର୍ମକର୍ତ୍ତାଙ୍କୁ ନବୀନଙ୍କ ଗୁରୁମନ୍ତ୍ର : ‘ସଂଗଠନକୁ ମଜଭୁତ କର ଏବଂ ଲୋକଙ୍କ ସେବା ଜାରି ରଖ’
ଭୁବନେଶ୍ୱର : ଶଙ୍ଖ ଭବନରେ ଆୟୋଜିତ କଳାହାଣ୍ଡି ଜିଲ୍ଲା ସାଙ୍ଗଠନିକ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯୋଗଦେଇ ଜିଲ୍ଲାର କାର୍ଯ୍ୟକର୍ତ୍ତା, କର୍ମୀ ଓ ନିର୍ବାଚିତ ପ୍ରତିନିଧିମାନଙ୍କ ସହ ସଂଗଠନ ବିଷୟରେ ସିଧାସଳଖ ଆଲୋଚନା କରିଛନ୍ତି। ଆଗାମୀ ଦିନରେ କିଭଳି ଜିଲ୍ଲାରେ ବିଜେଡି ସଂଗଠନକୁ ମଜଭୁତ କରାଯିବ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ସଭାରେ ନବୀନ ପଟ୍ଟନାୟକ କହିଥିଲେ, ଗତ ୨୪ ବର୍ଷରେ ବିଜେଡି ସରକାର ବହୁ […]

ଭୁବନେଶ୍ୱର : ଶଙ୍ଖ ଭବନରେ ଆୟୋଜିତ କଳାହାଣ୍ଡି ଜିଲ୍ଲା ସାଙ୍ଗଠନିକ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯୋଗଦେଇ ଜିଲ୍ଲାର କାର୍ଯ୍ୟକର୍ତ୍ତା, କର୍ମୀ ଓ ନିର୍ବାଚିତ ପ୍ରତିନିଧିମାନଙ୍କ ସହ ସଂଗଠନ ବିଷୟରେ ସିଧାସଳଖ ଆଲୋଚନା କରିଛନ୍ତି। ଆଗାମୀ ଦିନରେ କିଭଳି ଜିଲ୍ଲାରେ ବିଜେଡି ସଂଗଠନକୁ ମଜଭୁତ କରାଯିବ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।
ଏହି ସଭାରେ ନବୀନ ପଟ୍ଟନାୟକ କହିଥିଲେ, ଗତ ୨୪ ବର୍ଷରେ ବିଜେଡି ସରକାର ବହୁ ଭଲ କାମ କରିଛି। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଗମନାଗମନ କ୍ଷେତ୍ରରେ ଓଡ଼ିଶା ବହୁ ଅଗ୍ରଗତି କରିଛି। ଭୋକର ଭୂଖଣ୍ଡ ଭଳି ଅପବାଦ ପାଇଥିବା କଳାହାଣ୍ଡି ଆଜି ବିଭିନ୍ନ କୃଷି ଉତ୍ପାଦନରେ ଉତ୍କର୍ଷ ଲାଭ କରିଛି। ଯାହାର ଫଳସ୍ୱରୂପ ଓଡ଼ିଶା ଆଜି ଧାନ ଉତ୍ପାଦନରେ ଦେଶରେ ତୃତୀୟ ସ୍ଥାନରେ ପହଞ୍ଚି ପାରିଛି। ଏଥିସହ ଜନସାଧାରଣଙ୍କ ସହିତ ରହି ଓଡ଼ିଶାର ସ୍ୱାର୍ଥ ପାଇଁ କାମ କରିବାକୁ ନବୀନ ପଟ୍ଟନାୟକ ପରାମର୍ଶ ଦେଇଥିଲେ।
ଦରଦାମ ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ପନିପରିବା ଠାରୁ ଆରମ୍ଭ କରି ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରବୃଦ୍ଧି ସାଧାରଣ ଲୋକଙ୍କୁ ଅତିଷ୍ଠ କଲାଣି। ସାଧାରଣ ଲୋକଙ୍କ ସ୍ୱାର୍ଥ ର ସୁରକ୍ଷା ଓ ମହିଳାଙ୍କ ସମ୍ମାନ ପାଇଁ ବିଜେଡି ଲଢେଇ ଜାରି ରଖିବ। ବିଜେଡି ସରକାର ରେ ଥିବା ବେଳେ ଲୋକଙ୍କ ପାଇଁ ଅନେକ ଭଲ କାମ କରିଥିଲା। ଲୋକଙ୍କ ଭଲ ପାଇବା ଏବେବି ଆମ ସହିତ ରହିଛି। ତେଣୁ ଲୋକଙ୍କ ସେବା ଜାରି ରଖିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।
ଏହି କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ନର୍ଲା ବିଧାୟିକା ମନୋରମା ମହାନ୍ତି, ମହିଳା ଜିଲ୍ଲା ସଭାନେତ୍ରୀ ଲଳିତା ନାୟକ, ଜିଲ୍ଲାର ବିଭିନ୍ନ ନିର୍ବାଚିତ ପ୍ରତିନିଧି ଓ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ହୋଇ ସଂଗଠନ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହି ସଭାରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କହିଥିଲେ, ଆଗାମୀ ଦିନରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳ ସୁସଂଗଠିତ ହୋଇ ରାଜ୍ୟରେ ଥିବା ବିଜେପି ସରକାର ବିରୋଧରେ ଲଢେ଼ଇ ଜାରି ରଖିବ।