ବିଜେଡିର ସଦସ୍ୟତା ସଂଗ୍ରହ ଅଭିଯାନ: ମିସଡକଲ ନୁହେଁ ଲୋକଙ୍କ ଘରକୁ ଯାଇ ଦଳରେ ସାମିଲ କରିବାକୁ ନବୀନଙ୍କ ଆହ୍ୱାନ…
ଭୁବନେଶ୍ୱର: ତ୍ୟାଗ ଓ ସେବାର ପ୍ରତୀକ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ଆଜି ଠାରୁ ତାର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି । ଏହା ଦୁଇ ମାସ ଧରି ଚାଲିବ। ଦଳ ସଭାପତି ନବୀନ ପଟ୍ଟନାୟକ ପ୍ରଥମ ସଭ୍ୟ ଭାବେ ଏକାମ୍ର ନିର୍ବାଚନ ମଣ୍ଡଳୀରୁ ପଞ୍ଜିକୃତ ହୋଇଥିଲେ। ବରିଷ୍ଠ ନେତା ଅଶୋକ ପଣ୍ଡା ଦଳ ସଭାପତିଙ୍କୁ ପ୍ରଥମ ସଭ୍ୟ ଭାବେ ପଞ୍ଜିକୃତ କରିଥିଲେ। ଏହି ଅବସରରେ ନବୀନ କହିଥିଲେ […]

ଭୁବନେଶ୍ୱର: ତ୍ୟାଗ ଓ ସେବାର ପ୍ରତୀକ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ଆଜି ଠାରୁ ତାର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି । ଏହା ଦୁଇ ମାସ ଧରି ଚାଲିବ। ଦଳ ସଭାପତି ନବୀନ ପଟ୍ଟନାୟକ ପ୍ରଥମ ସଭ୍ୟ ଭାବେ ଏକାମ୍ର ନିର୍ବାଚନ ମଣ୍ଡଳୀରୁ ପଞ୍ଜିକୃତ ହୋଇଥିଲେ। ବରିଷ୍ଠ ନେତା ଅଶୋକ ପଣ୍ଡା ଦଳ ସଭାପତିଙ୍କୁ ପ୍ରଥମ ସଭ୍ୟ ଭାବେ ପଞ୍ଜିକୃତ କରିଥିଲେ।
ଏହି ଅବସରରେ ନବୀନ କହିଥିଲେ ଯେ, ସଭ୍ୟ ସଂଗ୍ରହ ଅଭିଯାନ ଗୋଟେ ରାଜନୈତିକ ଦଳର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । ମୁଁ ଚାହେଁ, ଆମ ଦଳର ସକ୍ରିୟ ସଭ୍ୟ ମାନେ ପ୍ରତି ଘରକୁ ଯାଆନ୍ତୁ । ଆମ ଦଳର ଆଦର୍ଶ, ଦଳର କାର୍ଯ୍ୟକ୍ରମ ବିଷୟରେ ଲୋକଙ୍କୁ ବୁଝାନ୍ତୁ । ଲୋକଙ୍କ ମତ ନେଇ ସେମାନଙ୍କୁ ଦଳରେ ସାମିଲ କରିବା ପାଇଁ ନବୀନ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ଓଡିଶା ବାହାରେ ରହୁଥିବା ଓଡ଼ିଆ ମାନଙ୍କୁ ଅନଲାଇନ ଜରିଆରେ ଦଳରେ ସାମିଲ ହେବା ପାଇଁ ଶ୍ରୀ ପଟ୍ଟନାୟକ ନିମନ୍ତ୍ରଣ ଜଣାଇଥିଲେ। କିଛି ଦଳ ଯେପରି ମିସଡକଲ କରି ସଭ୍ୟ ସଂଗ୍ରହ କରୁଛନ୍ତି ତାକୁ ନାପସନ୍ଦ କରି ନବୀନ କହିଥିଲେ, ମିସଡକଲ ଡ଼ାଇରୀ ସେମାନଙ୍କ membership registar ହୋଇପାରେ। କିନ୍ତୁ ବିଜୁ ଜନତା ଦଳ ସେସବୁ ଠାରୁ ବହୁ ଦୂରରେ ।
ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ସେବା, ସ୍ୱାଭିମାନ ଓ ସଂଗ୍ରାମ ଆମର ଆଦର୍ଶ । ଓଡିଶା ବାସୀଙ୍କ ସେବା, ଓଡ଼ିଆ ଜାତିର, ସ୍ୱାଭିମାନର ସୁରକ୍ଷା ଏବଂ ଓଡିଶାର ସ୍ୱାର୍ଥ ପାଇଁ, ଆମର ପ୍ରିୟ ବିଜୁ ବାବୁ ଶେଷ ପର୍ଯ୍ୟନ୍ତ ସଂଗ୍ରାମ କରି ଯାଇଛନ୍ତି।ଆମ ସମସ୍ତଙ୍କ ପାଇଁ ବିଜୁ ବାବୁ ହେଉଛନ୍ତି ପ୍ରେରଣା । ବିଜୁ ଜନତା ଦଳ ସରକାର ସମୟରେ ହୋଇଥିବା ଭଲ କାମ ସମ୍ପର୍କରେ ଉଲ୍ଲେଖ କରି ନବୀନ ପଟ୍ଟନାୟକ କହିଥିଲେ ଯେ, ବିଜେଡି ସରକାରଙ୍କ ଯୋଜନା, ଅନ୍ୟ ମାନଙ୍କ ପାଇଁ ମଡେଲ ହୋଇଛି । ଭାରତ ସରକାର ବି, ଆମର ଅନେକ ଯୋଜନା ଗ୍ରହଣ କରିଛନ୍ତି ।
ଭୋଟ ବ୍ୟାଙ୍କ ସୃଷ୍ଟି କରିବା କେବେ ବି ବିଜେଡି ସରକାରର ଲକ୍ଷ୍ୟ ନ ଥିଲା । ବିକାଶ ଓ କଲ୍ୟାଣ ହେଉଛି, ଆମର ଫୋକସ୍ ବୋଲି ଶ୍ରୀ ପଟ୍ଟନାୟକ କହିବା ସହ ତାଙ୍କ ସରକାର ଆରମ୍ଭ କରିଥିବା ବିକାଶ ଓ କଲ୍ୟାଣ ଯୋଜନାରୁ, ଓଡିଶା ବାସୀଙ୍କୁ କେହି ବଞ୍ଚିତ କରି ପାରିବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ।
ନବୀନ କହିଥିଲେ ଯେ, ବିଜୁ ଜନତା ଦଳ, ଓଡିଶାର ଏକ ନମ୍ବର ଦଳ । ଗତ ନିର୍ବାଚନରେ ବିଜେଡି ଅଧିକ ଭୋଟ ପାଇଥିଲା ଓ ଭୋଟ ପ୍ରତିଶତ ମଧ୍ୟ ଅଧିକ ଥିଲା । ସେ କହିଥିଲେ ଯେବିଜୁ ଜନତା ଦଳ ଓଡିଶାବାସୀଙ୍କ ହୃଦୟରେ ଅଛି । ଓଡିଶାର ଗୌରବ ପାଇଁ ନିଷ୍ଠାର ସହ କାମ କରିଚାଲିଛି । ତେଣୁ ଆସନ୍ତୁ, ଆମେ ସମସ୍ତେ ଗର୍ବର ସହ କହିବା ଆମେ ବିଜୁ ଜନତା ଦଳର କର୍ମୀ। ଓଡିଶା ମାଆର ସେବକ।
ବିଜେଡିର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟ୍ୟରେ ସଭ୍ୟ ସଂଗ୍ରହ କମିଟିର ମୁଖ୍ୟ ଅତନୁ ସବ୍ୟସାଚୀ ନାୟକ,ବିଧାୟକ ଅନନ୍ତ ଜେନା, ସୁଶାନ୍ତ ରାଉତ, ଭୁବନେଶ୍ୱର ମେୟର ସୁଲୋଚନା ଦାସ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଅଶୋକ ପଣ୍ଡା ପ୍ରମୁଖ ଉଦବୋଧନ ଦେଇଥିଲେ।
ଭିଡ଼ିଓ କନଫରେନ୍ସ ଯୋଗେ ସାରା ରାଜ୍ୟର ସାଂଗଠନିକ ଜିଲ୍ଲାର ହଜାର ହଜାର କର୍ମୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ମୟୁରଭଞ୍ଜ, ମାଲକାନଗିରି, ଝାରସୁଗୁଡା, ପୁରୀ ବରଗଡ ଓ ରାଉରକେଲାରେ ବିଭିନ୍ନ ବର୍ଗର ଲୋକ ବିଜେଡିର ସଦସ୍ୟତା ଗ୍ରହଣ କରିଥିଲେ।