ବିଜେପି ବିଧାୟକଙ୍କୁ ସିଟ୍‌ ନଦେବାରୁ ପ୍ରବଳ ମାଡ଼ ଖାଇଲେ ‘ବନ୍ଦେ ଭାରତ’ ଯାତ୍ରୀ

ବ୍ୟକ୍ତି ଜଣଙ୍କ ବିଜେପି ବିଧାୟକଙ୍କୁ ସିଟ ନ ଛାଡ଼ିବାରୁ ତାଙ୍କ ସମର୍ଥକମାନେ ନିଜ କ୍ଷମତା ପ୍ରଦର୍ଶନ କରିଛନ୍ତି। ସେମାନେ ଉକ୍ତ ବ୍ୟକ୍ତିଙ୍କୁ ଟ୍ରେନ ଭିତରେ ପ୍ରବଳ ମାଡ଼ ମାରିଛନ୍ତି। ବିଜେପି ବିଧାୟକ, ତାଙ୍କ ପତ୍ନୀ ଓ ପୁଅ ସେଠାରେ ଉପସ୍ଥିତ ଥିଲେ ହେଁ କେହି ବି ଏଥିରେ ପ୍ରତିବାଦ କରି ନାହାନ୍ତି।

ବିଜେପି ବିଧାୟକଙ୍କୁ ସିଟ୍‌ ନଦେବାରୁ ପ୍ରବଳ ମାଡ଼ ଖାଇଲେ ‘ବନ୍ଦେ ଭାରତ’ ଯାତ୍ରୀ

କ୍ଷମତାର ଅହଂକାରରେ ଅନ୍ଧ ହୋଇ ଜଣେ ବିଜେପି ବିଧାୟକ ଓ ତାଙ୍କ ସମର୍ଥକମାନେ ସାଂଘାତିକ କାଣ୍ଡ ଘଟାଇଛନ୍ତି। ଦିଲ୍ଲୀ-ଭୋପାଲ ବନ୍ଦେ ଭାରତ ଟ୍ରେନରେ ସେମାନେ ନିଜର ଦାଦାଗିରି ଦେଖାଇଛନ୍ତି। ଏହି ଟ୍ରେନରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ବିଜେପି ବିଧାୟକଙ୍କ ସହ ସିଟ ଅଦଳବଦଳ କରିବାକୁ ମନା କରି ଦେଇଥିଲେ। ସେ ନିଜ ସିଟରେ ବସିବାକୁ ଚାହୁଁଥିବା ଆଗ୍ରହ ଦେଖାଇଥିଲେ।

ବାସ୍‌ ବ୍ୟକ୍ତି ଜଣଙ୍କ ବିଜେପି ବିଧାୟକଙ୍କୁ ସିଟ ନ ଛାଡ଼ିବାରୁ ତାଙ୍କ ସମର୍ଥକମାନେ ନିଜ କ୍ଷମତା ପ୍ରଦର୍ଶନ କରିଛନ୍ତି। ସେମାନେ ଉକ୍ତ ବ୍ୟକ୍ତିଙ୍କୁ ଟ୍ରେନ ଭିତରେ ପ୍ରବଳ ମାଡ଼ ମାରିଛନ୍ତି। ବିଜେପି ବିଧାୟକ, ତାଙ୍କ ପତ୍ନୀ ଓ ପୁଅ ସେଠାରେ ଉପସ୍ଥିତ ଥିଲେ ହେଁ କେହି ବି ଏଥିରେ ପ୍ରତିବାଦ କରି ନାହାନ୍ତି। ବରଂ ବିଜେପି ବିଧାୟକ ଜଣଙ୍କ ଅଧିକ ମାଡ଼ ମାରିବାକୁ ଉସକାଇଛନ୍ତି। ଘଟଣା ପରେ ମାଡ଼ ଖାଇଥିବା ବ୍ୟକ୍ତିଙ୍କ ବିରୋଧରେ ଓଲଟି ବିଧାୟକ ଶ୍ରୀ ସିଂହ ପାଲଟା ଅଭିଯୋଗ କରିଛନ୍ତି। 

ଘଟଣାଟି ଗତ ଗୁରୁବାର ଘଟିଥିବା ବେଳେ ଆକ୍ରମଣ ବେଳର ସିସିଟିଭି ଫୁଟେଜ ଏବେ ସାମ୍ନାକୁ ଆସିଛି। ଆଉ ଦବଙ୍ଗଗିରି ଦେଖାଇଥିବା ବିଧାୟକ ଜଣଙ୍କ ହେଲେ ଉତ୍ତର ପ୍ରଦେଶର ଝାନସୀର ରାଜୀବ ସିଂହ। ସେ ନିଜ ନିର୍ବାଚନ ମଣ୍ଡଳୀକୁ ପତ୍ନୀ ଓ ପୁଅଙ୍କ ସହ ଯାଉଥିବା ବେଳେ ଏପରି ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁସାରେ, ବିଧାୟକ ସିଂହ ଟ୍ରେନର ବଗିର ପଛ ପାର୍ଶ୍ୱରେ ଗୋଟିଏ ସିଟ ପାଇଥିଲେ। ତାଙ୍କ ପରିବାର ଲୋକ ବଗିର ସାମ୍ନା ପଟେ ବସିଥିଲେ। ଏଠାରେ ଆଉ ଜଣେ ବ୍ୟକ୍ତିଙ୍କ ସିଟ ରହିଥିଲା। ବିଧାୟକ ସିଂହ ଉକ୍ତ ବ୍ୟକ୍ତିଙ୍କୁ ବଗିର ପଛ ପାଖକୁ ଯିବା କହିଥିଲେ। ସେ ପରିବାର ଲୋକଙ୍କ ପାଖରେ ବସିବାକୁ ଚାହୁଁଥିବାରୁ ବ୍ୟକ୍ତିଙ୍କ ସହ ସିଟ ଅଦଳ ବଦଳ କରିବାକୁ ଚେଷ୍ଟା କରିଥିଲେ। ହେଲେ ବ୍ୟକ୍ତି ଜଣଙ୍କ ନିଜ ସିଟ ଛାଡ଼ି ନଥିଲେ।

ଏହା ବିଧାୟକଙ୍କ ସିଂହଙ୍କୁ ବେଶ ଆଘାତ ଦେଇଥିଲା। ଏସବୁ ଭିତରେ ଝାନସୀ ଷ୍ଟେସନରେ ବିଧାୟକ ଶ୍ରୀ ସିଂହଙ୍କ ଜଣାଶୁଣା କିଛି ଲୋକ ଚଢ଼ିବା ପରେ ସ୍ଥିତି ଭୟଙ୍କର ରୂପ ନେଇଥିଲା। ବିଧାୟକଙ୍କ ସମର୍ଥକମାନେ ସିଟ ପାଇଁ ମନା କରିଥିବା ବ୍ୟକ୍ତିଙ୍କ ପାଖକୁ ଯାଇଥିଲେ। ଏହାପରେ ତାଙ୍କୁ ମାଡ଼ ମାରି ଲହୁ ଲୁହାଣ କରିଥିଲେ।

ସାମ୍ନାକୁ ଆସିଥିବା ଭିଡିଓରେ ଦେଖାଯାଉଛି ଯେ ପ୍ରାୟ ୬ ଜଣ ଲୋକ ସିଟରେ ବସିଥିବା ବ୍ୟକ୍ତିଙ୍କୁ ବିଧା ଓ ମୁଥ ମାରୁଛନ୍ତି। ସେମାନେ ତାଙ୍କୁ ଚପଲରେ ମଧ୍ୟ ମାଡ଼ ମାରୁଥିବା ଦେଖାଯାଉଛି। ଆକ୍ରମଣ ଯୋଗୁ ବ୍ୟକ୍ତିଙ୍କ ନାକ ଫାଟି ଯାଇଛି ଓ ତାଙ୍କ ପୋଷାକରେ ରକ୍ତ ଛିଟା ପଡ଼ିଥିବା ମଧ୍ୟ କ୍ୟାମେରାରେ ରେକର୍ଡ ହୋଇଛି।

ରେଳବାଇ ପୁଲିସ୍‌ ଏସ୍‌ପି ବିପୁଲ କୁମାର ଶ୍ରୀବାସ୍ତ ଘଟଣାକୁ ନିଶ୍ଚିତ କରିବା ସହ ସିଟ ଅଦଳବଦଳକୁ ନେଇ ମାରପିଟ ହୋଇଥିଲା। ସିସିଟିଭି ଫୁଟେଜକୁ ବିଶ୍ଲେଷଣ କରି ଦୋଷୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଧାୟକ ସିଂହଙ୍କ ସମର୍ଥକମାନେ ଭୋପାଲ ଯାଉଥିବା ବ୍ୟକ୍ତିଙ୍କୁ ମାଡ଼ ମାରିଥିବା ବେଳେ ତାଙ୍କ ବିରୋଧରେ ପାଲଟା ଅଭିଯୋଗ ମଧ୍ୟ କରିଛନ୍ତି। ଶ୍ରୀ ସିଂହ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ ସେ ତାଙ୍କ ପତ୍ନୀ ଓ ପୁଅଙ୍କ ସହ ଯାତ୍ରା କରୁଥିବା ବେଳେ ଜଣେ ସହ ଯାତ୍ରୀ ଅଭଦ୍ର ବ୍ୟବହାର ପ୍ରଦର୍ଶନ କରିଥିଲେ।

ସେ ଏହାକୁ ପ୍ରତିବାଦ କରିବାରୁ ସହ ଯାତ୍ରୀ ଜଣଙ୍କ ତାଙ୍କ ପରିବାର ଲୋକଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହାପରେ ବ୍ୟକ୍ତି ଜଣଙ୍କ ଝାନ୍‌ସୀ ଷ୍ଟେସନରେ ନିଜର କିଛି ଲୋକଙ୍କୁ ଡାକିଥିଲେ ଓ ସେମାନେ ମଧ୍ୟ ଦୁର୍ବ୍ୟବହାର କରିଥିଲେ ବୋଲି ଶ୍ରୀ ସିଂହ ନିଜ ଅଭିଯୋଗରେ ଦର୍ଶାଇଛନ୍ତି।