'ବିଜେପି ହଟାଅ, ଦେଶ ବଞ୍ଚାଅ'

ରାହୁଲଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ସାମିଲ ହୋଇ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ବିଜେପି ଉପରେ ବର୍ଷିଛନ୍ତି।

'ବିଜେପି ହଟାଅ, ଦେଶ ବଞ୍ଚାଅ'

'ବିଜେପି ହଟାଅ, ଦେଶ ବଞ୍ଚାଅ। ସଙ୍କଟ ଦୂର କର।' କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଜାରି ରହିଥିବା ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ସାମିଲ ହୋଇ ବିଜେପି ଉପରେ ଏଭଳି କିଛି କହି ବର୍ଷିଛନ୍ତି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ।

ଆଜି ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଉତ୍ତର ପ୍ରଦେଶର ଆଗ୍ରରେ ପହଞ୍ଚିଥିଲା। ଲୋକସଭା ନିର୍ବାଚନକୁ ନେଇ ସିଟ୍‌ ସେୟାରିଂ ଅଙ୍କ ଛିଣ୍ଡିବା ପରେ ରାହୁଲ ଏହି ଯାତ୍ରାରେ ଆଜି ସାମିଲ ହୋଇଛନ୍ତି ସାମଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ। ଏହି ସମୟ ମଧ୍ୟରେ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ଅଖିଳେଶ ଯାଦବ ବିଜେପିକୁ କଡା ଟାର୍ଗେଟ୍‌ କରିଛନ୍ତି।

ନ୍ୟାୟ ଯାତ୍ରାରେ ସାମିଲ ହୋଇ ଅଖିଳେଶ କହିଛନ୍ତି, 'ଆମର କେବଳ ଗୋଟିଏ ବାର୍ତ୍ତା, ବିଜେପି ହଟାଅ, ଦେଶ ବଞ୍ଚାଅ, ସଙ୍କଟ ଦୂର କର। ଆମେ ଜୟ ଯବାନ, ଜୟ କିସାନର ନାରା ଦେଉଛୁ। କିନ୍ତୁ ବିଜେପିର ଲୋକମାନେ ଭାରତ ମାତା କି ଜୟ ଜପ କରିବାରେ ଥକୁ ନାହାନ୍ତି।'

ଅଖିଳେଶ ଆହୁରି କହିଛନ୍ତି, ରାହୁଲ ଗାନ୍ଧି ଦେଶରେ ପ୍ରେମ ବିଷୟରେ କଥାବାର୍ତ୍ତା କରନ୍ତି। କିନ୍ତୁ ଏହି ସହରଟି ସମ୍ପୂର୍ଣ୍ଣରୂପେ ପ୍ରେମ ସହର ଅଟେ। ଆମର ସଂଗ୍ରାମ ହେଉଛି ସମ୍ବିଧାନକୁ ବଞ୍ଚାଇବା। ଉତ୍ତରପ୍ରଦେଶରେ ବିଜେପି ହାରିଗଲେ ହିଁ ଆମର ଲଢ଼େଇ ସଫଳ ହେବ।

ରାହୁଲ ଗାନ୍ଧିଙ୍କ ଏହି ନ୍ୟାୟ ଯାତ୍ରାରେ ଅଖିଳେଶ ଯାଦବଙ୍କ ଶକ୍ତି ପ୍ରଦର୍ଶନ ମଧ୍ୟ ଦେଖିବାକୁ ମିଳିଥିଲା। ବହୁ ସଂଖ୍ୟକ ଏସପି କର୍ମୀ ମଧ୍ୟ ଉପସ୍ଥିତ ଥିଲେ। ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେବାପରେ ଉଭୟ ନେତା ପଦଯାତ୍ରା ଆରମ୍ଭ କରିଥିଲେ।

ସୂଚନାଯୋଗ୍ୟ, ନିକଟରେ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଏକ ମେଣ୍ଟ ଘୋଷଣା କରାଯାଇଥିଲା ଯେଉଁଥିରେ କଂଗ୍ରେସକୁ ୧୭ଟି ଲୋକସଭା ଆସନ ଦେବାକୁ ପ୍ରତିଶୃତି ଦେଇଛି ସପା। ଏଥିରେ ବାରାଣସୀ ଏବଂ ପ୍ରୟାଗରାଜ ମଧ୍ୟ ଅନ୍ତର୍ଭୁକ୍ତ। ଉଭୟ ଦଳ ମଧ୍ୟରେ ଏହି ମେଣ୍ଟ ଘୋଷଣା ହେବା ପରେ ସମାଜବାଦୀ ପାର୍ଟି ଭାରତ ଯୋଡୋ ନ୍ୟାୟା ଯାତ୍ରାରେ ଭାଗ ନେବାକୁ ଘୋଷଣା କରିଥିଲା।