ବିଜେପିକୁ କେତେ ଟଙ୍କା ଚାନ୍ଦା ଦେଲେ ମୋଦି?

ନିଜ ଦଳକୁ ଚାନ୍ଦା ଦେଇ ଏହାର ରସିଦ ସୋଶାଲ୍ ମିଡିଆରେ ସେୟାର କରିଛନ୍ତି ମୋଦି।

ବିଜେପିକୁ କେତେ ଟଙ୍କା ଚାନ୍ଦା ଦେଲେ ମୋଦି?

ନିଜ ଦଳ ବିଜେପିକୁ ଚାନ୍ଦା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲୋକସଭା ନିର୍ବାଚନ ପୂର୍ବରୁ ସେ ନିଜ ଦଳକୁ ଦେଇଛନ୍ତି ଚାନ୍ଦା। ଦଳକୁ ଆର୍ଥିକ ରୂପରେ ଅଧିକ ସଶକ୍ତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଡୋନେସନ୍ ଫର୍ ନେସନ୍ ବିଲ୍ଡିଂ’ ନାମରେ ଏକ ଅଭିଯାନ ଆରମ୍ଭ କରିଛନ୍ତି। ଏହି କ୍ରମରେ ମୋଦି ପ୍ରଥମେ ନିଜ ଦଳକୁ ୨୦୦୦ ଟଙ୍କା ଚାନ୍ଦା ଦେଇ ଏହାର ରସିଦ ସୋଶାଲ୍ ମିଡିଆରେ ସେୟାର କରିଛନ୍ତି।

ସୋଶାଲ୍ ମିଡିଆ 'X'ରେ ନରେନ୍ଦ୍ର ମୋଦି ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ, 'ବିଜେପିକୁ ଏହି ଯୋଗଦାନ ଦେଇ ଏକ ବିକଶିତ ଭାରତ ନିର୍ମାଣର ପ୍ରୟାସକୁ ଅଧିକ ମଜଭୁତ କରିଥିବାରୁ ଖୁସି ଲାଗୁଛି।' ଏଥିସହ ସମସ୍ତେ NaMoApp ମାଧ୍ୟମରେ ରାଷ୍ଟ୍ର ନିର୍ମାଣ ପାଇଁ ଏହି ଡୋନେସନ୍‌ରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

କେବଳ ସେତିକି ନୁହେଁ, ସାଧାରଣ ଜନତା କିପରି ବିଜେପିକୁ ଚାନ୍ଦା ଦେଇପାରିବେ, ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଲିଙ୍କ ମଧ୍ୟ ସେୟାର କରିଛନ୍ତି। ଏହି ଲିଙ୍କରେ କ୍ଲିକ୍ କରିବା ପରେ ଏକ ପେଜ୍ ଖୋଲିବ। ଯେଉଁଠି ଆବଶ୍ୟକୀୟ ସୂଚନା ଦେଇ ଡୋନେସନ୍‌ ଟଙ୍କା ଭରିବାକୁ ପଡିବ। ଏହାପରେ  ଜଣେ ବ୍ୟକ୍ତି ବିଜେପିକୁ ନିଜର ଆର୍ଥିକ ସହାୟତା କରିପାରିବ।

ସୂଚନାଯୋଗ୍ୟ ଯେ, ନରେନ୍ଦ୍ର ମୋଦି ପ୍ରଥମେ ଚାନ୍ଦା ଦେବା ପରେ କିଛି ନେତା ମଧ୍ୟ ବିଜେପିର ଡୋନେସନ୍‌ ଫର୍‌ ନେସନ୍‌ ବିଲ୍ଡିଂ କ୍ୟାମ୍ପେନ୍‌ ଜରିଆରେ ଚାନ୍ଦା ଦେବା ଆରମ୍ଭ କରିଦେଇଛନ୍ତି।

ଗତକାଲି ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ପ୍ରଥମ ପର୍ଯ୍ୟାୟରେ ଦଳ ୧୬ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ପ୍ରଦେଶ ପାଇଁ ୧୯୫ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଜାରି କରିଛି। ଏହି ଲିଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ମଧ୍ୟ ନାଁ ରହିଛି।