ବିଜେପିକୁ ଫେରିଲେ ଧର୍ମଶାଳାର ‘ବାଘ’

କଳ୍ପତରୁ ଦାସ ଲଗାତାର ୪ ଥର ବିଜୟୀ ହୋଇଥିଲେ। କଳ୍ପତରୁଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ପ୍ରଣବ କୁମାର ବଳବନ୍ତରାୟ ଲଗାତାର ଦୁଇ ଥର ବିଜୟୀ ହୋଇଥିଲେ। ହେଟ୍ରିକ୍‌ ମାରିବା ପୂର୍ବରୁ ଚିତ୍‌ପଟାଙ୍ଗ ହୋଇଛନ୍ତି ପ୍ରଣବ ବଳବନ୍ତରାୟ।

ବିଜେପିକୁ ଫେରିଲେ ଧର୍ମଶାଳାର ‘ବାଘ’

ବିଜେପିକୁ ଫେରିଲେ ଧର୍ମଶାଳାର ‘ବାଘ’! ଇଏ ବାଘ ସେଇ ‘ବାଘ’ ଯିଏ ଏକା ଲଢ଼ିଥିଲେ। ଆଉ ସାଥୀରେ ଥିଲେ ସହକର୍ମୀ ଓ ଜନତା ଜନାର୍ଦ୍ଦନ। ସମସ୍ତଙ୍କ ସହଯୋଗରେ ବିରୋଧୀଙ୍କୁ ଚକ୍‌ମା ଦେଇ ବିଜୟ ହାସଲ କରିଛନ୍ତି ଧର୍ମଶାଳା ‘ବାଘ’ ଆଖ୍ୟା ପାଇଥିବା ହିମାଂଶୁ ଶେଖର ସାହୁ। ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ୪୧୫୦ ଭୋଟ୍‌ରେ ବିଜେଡିର ପାୱାରଫୁଲ୍‌ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ପରାସ୍ତ କରିଛନ୍ତି। ବିଜୟ ପରେ ହିମାଂଶୁଙ୍କ ସମର୍ଥକଙ୍କ ଭିତରେ ଖୁସିର ଲହର ଖେଳି ଯାଇଛି। ବିଜୟ ପରେ ମଙ୍ଗଳବାର ରାତିରେ ସେ ବିଜେପିରେ ପୁଣି ଥରେ ସାମିଲ୍‌ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କ ଉପସ୍ଥିତିରେ ହିମାଂଶୁ ଶେଖର ସାହୁ ବିଜେପିରେ ମିଶିଛନ୍ତି।

ଯାଜପୁର ଜିଲ୍ଲାର ଚର୍ଚ୍ଚିତ ବିଧାନସଭା ଆସନ ହେଉଛି ଧର୍ମଶାଳା। ଏହି ନିର୍ବାଚନମଣ୍ଡଳୀରୁ କଳ୍ପତରୁ ଦାସ ଲଗାତାର ୪ ଥର ବିଜୟୀ ହୋଇଥିଲେ। କଳ୍ପତରୁଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ପ୍ରଣବ କୁମାର ବଳବନ୍ତରାୟ ଲଗାତାର ଦୁଇ ଥର ବିଜୟୀ ହୋଇଥିଲେ। ହେଟ୍ରିକ୍‌ ମାରିବା ପୂର୍ବରୁ ଚିତ୍‌ପଟାଙ୍ଗ ହୋଇଛନ୍ତି ପ୍ରଣବ ବଳବନ୍ତରାୟ। ତାଙ୍କୁ ଚକ୍‌ମା ଦେଇଥିଲେ ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ। ଚଳିତ ନିର୍ବାଚନରେ ତାଙ୍କୁ ପରାସ୍ତ କରିଛନ୍ତି।

ବିଧାୟକ ଭାବେ ନିର୍ବାଚିତ ହେବା ପରେ ହିମାଂଶୁ ଶେଖର ସାହୁ ବିଜେପିରେ ମିଶିଛନ୍ତି। ବିଜେପିରେ ମିଶିବା ପରେ ସେ କହିଛନ୍ତି, ଓଡ଼ିଶାର ସାଧାରଣ ଜନତାଙ୍କ ଭଲପାଇବା ଓ ଧର୍ମଶାଳାବାସୀଙ୍କ ଯୋଦ୍ଧାଙ୍କ ଯୁଦ୍ଧରେ ଆଜି ଅଧର୍ମକୁ ହଟାଇ ଧର୍ମର ଜୟ ହୋଇଛି। ଭାରତୀୟ ଜନତା ପାଟିର ଆମେ ସଦସ୍ୟ ଥିଲୁ। ଯେତେବେଳେ ଟିକେଟ୍‌ ମିଳିନଥିଲା, ସେତେବେଳେ ବିଜେପିରୁ ବିରତ ନେଇଥିଲୁ। ବିଜୟ ପରେ ମାନ୍ୟବର ମନ୍ତ୍ରୀ ଫୋନ୍‌ କରି ଡାକିଥିଲେ। ତାଙ୍କ ଡାକରା ପାଇ ଆସିଥିଲୁ। ତାଙ୍କ ପ୍ରେରଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଜନାକୁ ଘରେ ଘରେ ପହଞ୍ଚାଇବୁ ବୋଲି ଶ୍ରୀ ସାହୁ କହିଛନ୍ତି।

ପୂର୍ବତନ ବିଧାୟକଙ୍କୁ ଆକ୍ଷେପ କରି ହିମାଂଶୁ କହିଛନ୍ତି, ଧର୍ମଶାଳା ହେଉଛି ଖଣି ମାଫିଆଙ୍କ ଗନ୍ତାଘର। ଧର୍ମଶାଳା ବିଧାୟକ ସେଠାରେ ଖଣି ମାଫିଆଙ୍କର ରାଜୁତି ଚଳାଇ ଥିଲେ। ହଜାର ହଜାର କୋଟି ଟଙ୍କାର ରାଜସ୍ୱ ଚୋରି କରୁଥିଲେ। ସେହି ଟଙ୍କାକୁ ବିଜେଡି କୋଷଘରେ ପୂରାଇ ପୂରା ରାଜ୍ୟରେ ବିଜେଡି କାର୍ଯ୍ୟକ୍ରମ କରୁଥିଲେ। ସେଭଳିଆ ଚୋରଙ୍କୁ ଉଠାଇ ଫିଙ୍ଗିଥିବାରୁ ଧର୍ମଶାଳାର ସମସ୍ତ ଯୋଦ୍ଧାଙ୍କୁ ଧନ୍ୟବାଦ ଦେଉଛି। ଧର୍ମଶାଳାରେ ଅଧର୍ମ ଯାଇ ଧର୍ମ ପ୍ରତିଷ୍ଠା ହୋଇଛି। ଜୋରିମାନା ହୋଇଥିବା ୩୦୦ କୋଟିରୁ ଅଧିକ ରାଜସ୍ୱ ବର୍ଷେ ହେଲା ଆଦାୟ ହୋଇନାହିଁ। ସବୁ ରାଜସ୍ୱ ଆଦାୟ ହେବ। ବେଆଇନ୍‌ ଭାବେ ଚାଲୁଥିବା ଖଣି ବନ୍ଦ ହେବ। ସରକାରୀ ନିୟମ ଅନୁସାରେ ସବୁ ଚାଲିବ ବୋଲି ଶ୍ରୀ ସାହୁ କହିଛନ୍ତି।

ବିଜୟ ନେଇ ଶ୍ରୀ ସାହୁ କହିଛନ୍ତି, ବାପ-ପୁଅଙ୍କ ଖଣି ମାଫିଆଙ୍କ ରାଜ ଚାଲିଥିଲା। ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ଚାଲୁଥିବା ବେଳେ ଆମେ କେବଳ ଗୁଣ୍ଡୁଚି ମୂଷାଟିଏ ହୋଇ ଲଢ଼ୁଥିଲୁ। ଧର୍ମଶାଳାର ୫୪ଟି ପଞ୍ଚାୟତର ସବୁ ଗୁଣ୍ଡୁଚି ମୂଷା ହୃଦୟକୁ ହୃଦୟ ମିଶାଇ ଦେଲୁ। ବିନା ପଇସାରେ ଭାତ ଡାଲମା ଖାଇ ନିଷ୍ଠାପର ଭାବେ ଲଢ଼ିଲୁ। ବିଜୟ ହେଲୁ ଓ ସେ ଭଳିଆ ଚୋରଙ୍କୁ ବିଦା କଲୁ। ଗତକାଲି ବିଜେଡିର ମୁଖ୍ୟମନ୍ତ୍ରୀ ଛାଡ଼ି ପଳାଇଗଲେ। ଆଜି ପାଣ୍ଡୁ ମଉସା ପଳାଇଗଲେ। ଆଗାମୀ ୩୦ ବର୍ଷ ଯାଏଁ ବିଜେପି ସରକାର ରହିବ। ନରେନ୍ଦ୍ର ମୋଦିଙ୍କ ସୁସରକାର ଚାଲିବ ବୋଲି ଶ୍ରୀ ସାହୁ କହିଛନ୍ତି।

ସୂଚନାରୁ ପ୍ରକାଶ, ହିମାଂଶୁ ଶେଖର ସାହୁ ଚଳିତ ନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ। ହେଲେ ତାଙ୍କୁ ପ୍ରାର୍ଥୀ କରିନଥିଲା ବିଜେପି। ଯେଉଁଥିପାଇଁ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ବାରମ୍ୱାର ବିଜେପି ରାଇଜ ମୁଖିଆଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ ନିରାଶ ହୋଇଥିଲେ। ପରବର୍ତ୍ତୀ ସମୟରେ ସ୍ୱାଧୀନ ଭାବେ ଲଢ଼ିଥିଲେ। ଆଉ ସେଥିରେ ବିଜୟ ହାସଲ କରିଥିଲେ।