ବିଜେପିର 'ଝାଡ଼ଖଣ୍ଡ' ସମରସଜ୍ଜାରେ ଓଡ଼ିଆ ଯୋଦ୍ଧାଙ୍କୁ ଗୁରୁଦାୟିତ୍ବ, ପୋଷ୍ଟର ବୟ୍ ସାଜିବେ ମୋହନ ମାଝୀ

ଓଡ଼ିଶାରେ ବାଜିମାତ୍ ପରେ, ପଡ଼ୋଶୀ ଝାଡ଼ଖଣ୍ଡ ଉପରେ ବିଜେପିର ନଜର। ସେଠାରେ ବହୁ ସଂଖ୍ୟକ ଓଡ଼ିଆ ଭୋଟର ଥିବାରୁ, ବିଜେପିର ଝାଡ଼ଖଣ୍ଡ ଷ୍ଟ୍ରାଟେଜିରେ ଓଡ଼ିଶା ନେତାଙ୍କର ରହିପାରେ ଗୁରୁତ୍ବପୂର୍ଣ୍ଣ ଭୂମିକା।

ବିଜେପିର 'ଝାଡ଼ଖଣ୍ଡ' ସମରସଜ୍ଜାରେ ଓଡ଼ିଆ ଯୋଦ୍ଧାଙ୍କୁ ଗୁରୁଦାୟିତ୍ବ, ପୋଷ୍ଟର ବୟ୍ ସାଜିବେ ମୋହନ ମାଝୀ

ଆସନ୍ତା ନଭେମ୍ବର ଆଡ଼କୁ ହୋଇପାରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ । ଓଡ଼ିଶାରେ ୨୪ ବର୍ଷର ବିଜେଡି ଦୁର୍ଗ ଭୁଶୁଡ଼ାଇ ଉତ୍ସାହିତ ଥିବା ରାଜ୍ୟ ବିଜେପିର ଛାମୁଆ ନେତା, ପଡ଼ୋଶୀ ଝାଡ଼ଖଣ୍ଡରେ ବି ପଦ୍ମ ଫୁଟାଇବାକୁ ଆରମ୍ଭ କଲେଣି କସରତ । ସେଠାରେ ଥିବା ଓଡ଼ିଆ ଭୋଟରଙ୍କୁ ପରିବର୍ତ୍ତନର ବାର୍ତ୍ତା ଦେବାକୁ, ନିଜେ ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଆସନ୍ତା ୩୦ରେ ମୋହନ ମାଝୀ ୨ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ । ୩୦ରେ ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଓ ଅକ୍ଟୋବର ୧ରେ ଚାଇଁବାସାର କୋହ୍ଲାନ୍‌ରେ ବିଜେପିର ପରିବର୍ତ୍ତନ ଯାତ୍ରାରେ ସାମିଲ ହେବେ । ସଫଳ ସାନ୍ତାଳ ଜନଜାତି ଚେହେରା ଭାବେ ମୋହନଙ୍କ ଉପସ୍ଥିତି, ବିଜେପିର ଆଦିବାସୀ ଭୋଟ୍ ବ୍ୟାଙ୍କକୁ ବଳ ଦେବ ବୋଲି ଆଶା କରାଯାଉଛି। ସେପଟେ ଝାଡ଼ଖଣ୍ଡରେ ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଯୋଜନାର ଶୁଭାରମ୍ଭ ସହ ପରିବର୍ତ୍ତନ ଯାତ୍ରାରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ । ବିଜେପି ସାଂସଦ ମମତା ମହାନ୍ତ ବି ସେଠାରେ ବୈଠକ କରିବା ସହ କୁଡ଼ୁମୀ ଭୋଟ୍ ଉପରେ ଫୋକସ୍ କରିଛନ୍ତି ।

ଝାଡ଼ଖଣ୍ଡ ଭୋଟରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କର ଭୂମିକା କ’ଣ ରହିବ, ତା ଉପରେ ବି ନଜର ରହିଛି । ରଘୁବର ଦାସ ଥିଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ, ଦୁଇ ଦୁଇଥର ଝାଡ଼ଖଣ୍ଡ ବିଜେପି ସଭାପତି ଏବଂ ୫ଥର ବିଧାୟକ ବନିଥିବା ହେଭିୱେଟ୍ ନେତା । ତେବେ ତାଙ୍କ ହୋମ୍ ଗ୍ରାଉଣ୍ଡ୍ ଜାମସେଦପୁର ଇଷ୍ଟରୁ ଏବେ ବିଧାୟକ ଅଛନ୍ତି ସରଜୁ ରୟ୍, ଯିଏ କି ଜେଡିୟୁରେ ସାମିଲ ହୋଇଛନ୍ତି ଓ ଭଲ ଦବଦବା ରଖିଛନ୍ତି । ଯେହେତୁ ବିଜେପି ଝାଡ଼ଖଣ୍ଡରେ ଜେଡିୟୁ ଓ ଆଜ୍ସୁ ସହ ମେଣ୍ଟରେ ଲଢ଼ିବ, ତେଣୁ ରଘୁବର ଦାସ ଏଥର ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇନପାରନ୍ତି ବୋଲି ଅନୁମାନ କରାଯାଉଛି ।

ଏପଟେ ଗତକାଲି ତାଙ୍କୁ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଥିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ହିମନ୍ତ ଝାଡ଼ଖଣ୍ଡର ବିଜେପି ନିର୍ବାଚନ ସହପ୍ରଭାରୀ ଥିବାରୁ ରଘୁବରଙ୍କ ସହ ପ୍ରାୟ ଅଢ଼େଇ ଘଣ୍ଟାର ଏହି ସାକ୍ଷାତ ବେଳେ, ଝାଡ଼ଖଣ୍ଡ ରାଜନୀତି ପ୍ରସଙ୍ଗରେ ବି ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି।

ଝାଡ଼ଖଣ୍ଡରେ ରହନ୍ତି ପ୍ରାୟ ୨୦ ଲକ୍ଷ ଓଡ଼ିଆ ଭାଷାଭାଷୀ ଲୋକ ଏବଂ ପ୍ରାୟ ୧୮ ପ୍ରତିଶତ ଓଡ଼ିଆ ଭୋଟର୍ । ଏକଦା ଓଡ଼ିଶାର ୨ଟି ଗଡ଼ଜାତ ଅଞ୍ଚଳ ଥିବା ଷଢ଼େଇକଳା ଓ ଖରସୁଆଁରେ ୭୦ ପ୍ରତିଶତ ଲୋକ ଓଡ଼ିଆ କହୁଥିବା ବେଳେ, ପୂର୍ବ ଓ ପଶ୍ଚିମ ସିଂଭୂମ ସମେତ ୧୦ଟି ଜିଲ୍ଲାରେ ବି ରହନ୍ତି ଓଡ଼ିଆ ଭାଷାଭାଷୀ । ତେଣୁ ଝାଡ଼ଖଣ୍ଡର ଓଡ଼ିଆ ବେଲ୍ଟରେ ଓଡ଼ିଶାର ନେତାମାନେ ବିଜେପିର ବାର୍ତ୍ତାକୁ ତୃଣମୂଳ ସ୍ତରରେ ପହଞ୍ଚାଇପାରିବୋ ବୋଲି ଆଶା ରଖିଛନ୍ତି କେନ୍ଦ୍ରୀୟ ନେତୃତ୍ବ ।

ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଝାଡ଼ଖଣ୍ଡ ସୀମାକୁ ଲାଗିଥିବାରୁ ଏହି ୪ ଜିଲ୍ଲାର ବରିଷ୍ଠ ବିଜେପି ନେତା, ସାଂସଦ ଓ ବିଧାୟକମାନଙ୍କୁ ଝାଡ଼ଖଣ୍ଡରେ ଡେରା ପକାଇବାକୁ ଓ ପ୍ରତିଟି ଜୋନ୍ ଜଗିବାକୁ ଦାୟିତ୍ବ ମିଳିଥିବା ସୂଚନା ମିଳିଛି । ଝାଡ଼ଖଣ୍ଡର ପ୍ରାୟ ୨୬ ପ୍ରତିଶତ ଆଦିବାସୀ ଜନସଂଖ୍ୟାକୁ ଦେଖି, ଓଡ଼ିଶାର ଆଦିବାସୀ ନେତାଙ୍କୁ ଏହିସବୁ ଇଲାକାରେ ପ୍ରଚାର ମଙ୍ଗ ସମ୍ଭାଳିବାକୁ ଦାୟିତ୍ବ ମିଳିପାରେ ବୋଲି କୁହାଯାଉଛି ।

୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ୨୦୧୯ରେ JMM, କଂଗ୍ରେସ ଓ RJD ମେଣ୍ଟ ସରକାର ଗଢ଼ିଥିଲେ । ତେବେ ୨୦୨୪ ଲୋକସଭା ନିର୍ବାଚନରେ ୧୪ ଆସନରୁ ୮ଟି ଜିତିଥିବା ବିଜେପି ବେଶ୍ ଆଶାବାଦୀ ଅଛି ।