ବିଜେପିରେ ମିଶିଲେ ସୀତା ସୋରେନ୍; ଆଜି ସକାଳେ JMMରୁ ଦେଇଥିଲେ ଇସ୍ତଫା

ବିଜେପିରେ ମିଶିଲେ ଶିବୁ ସୋରନଙ୍କ ବଡ ବୋହୂ ସୀତା ସୋରେନ୍ ।ସୀତା ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ ଆଜି ସକାଳେ ସୀତା ଜେଏମଏମରୁ ଇସ୍ତଫା ଦେଇଥିଲେ ।

ବିଜେପିରେ ମିଶିଲେ ସୀତା ସୋରେନ୍; ଆଜି ସକାଳେ JMMରୁ ଦେଇଥିଲେ ଇସ୍ତଫା

ଭାରତୀୟ ଜନତା ପାର୍ଟିରେ ମିଶିଲେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ ତଥା ଜେଏମଏମ୍ ବିଧାୟକ ସୀତା ସୋରେନ୍। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରତିଷ୍ଠାତା ଶିବୁ ସୋରେନଙ୍କ ବଡ ବୋହୁ ସୀତା ଆଜି ନୂଆଦିଲ୍ଲୀରେ ବିଜେପି କାର୍ଯ୍ୟାଳୟକୁ ଆସି ଦଳରେ ସାମିଲ ହୋଇଛନ୍ତି । ଜାମା ଆସନରୁ ୩ ଥର ବିଧାୟକ ଥିବା ସୀତା ,ଶିବୁ ସୋରେନଙ୍କ ବଡ ପୁଅ ସ୍ବର୍ଗତ ଦୁର୍ଗା ସୋରେନଙ୍କ ପତ୍ନୀ।

ଆଜି ଜେଏମଏମ୍‌ରୁ ଇସ୍ତଫା ଦେଇଥିଲେ ସୀତା ସୋରେନ୍ । ଏନେଇ ସେ ଚିଠି ଲେଖି ଦଳର ଅଧ୍ୟକ୍ଷ ତଥା ନିଜ ଶ୍ୱଶୁର ଶିବୁ ସୋରେନଙ୍କୁ ପଠାଇଥିଲେ । ତାଙ୍କ ଓ ତାଙ୍କ ପରିବାର ବିରୋଧରେ ଗଭୀର ଷଡ଼ଯନ୍ତ୍ର ରଚା ଯାଇଥିବା ସେ ଅଭିଯୋଗ ଆଣିଥିଲେ । 

ସୀତା ସୋରେନ କହିଥିଲେ ଯେ, ‘ମୁଁ କେନ୍ଦ୍ରୀୟ ସାଧାରଣ ସମ୍ପାଦକ ଏବଂ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ସକ୍ରିୟ ସଦସ୍ୟ । ବର୍ତ୍ତମାନ ମୁଁ ଦଳର ବିଧାୟକ ଅଛି । ଅତ୍ୟନ୍ତ ଦୁଃଖ ମନରେ ମୁଁ ମୋର ଇସ୍ତଫା ପତ୍ର ଦାଖଲ କରୁଛି । ମୋର ସ୍ୱାମୀ ସ୍ୱର୍ଗତ ଦୁର୍ଗା ସୋରେନ୍ ଝାଡଖଣ୍ଡ ଆନ୍ଦୋଳନର ଜଣେ ଅଗ୍ରଣୀ ଯୋଦ୍ଧା ତଥା ଜଣେ ମହାନ ବିପ୍ଳବୀ ଥିଲେ । ତାଙ୍କ ମୃତ୍ୟୁ ପରଠାରୁ ମୁଁ ଏବଂ ମୋ ପରିବାର କ୍ରମାଗତ ଅବହେଳାର ଶିକାର ହୋଇଛୁ । ଦଳ ଏବଂ ପରିବାର ସଦସ୍ୟଙ୍କ ଦ୍ୱାରା ଆମକୁ ଅଲଗା କରାଯାଇଛି, ଯାହା ମୋ ପାଇଁ ଅତ୍ୟନ୍ତ କଷ୍ଟଦାୟକ।’

କହି ରଖିଛୁ ଯେ, ଦୁର୍ନୀତି ମାମଲାରେ ହେମନ୍ତ ସୋରେନ ଗିରଫ ହେବା ପରେ ତାଙ୍କ ପତ୍ନୀ କଳ୍ପନାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ଯୋଜନାକୁ ସୀତା ଖୋଲାଖୋଲି ବିରୋଧ କରିଥିଲେ । ଏପରିକି ଚମ୍ପାଇ ସୋରେନ ମନ୍ତ୍ରିମଣ୍ଡଳରେ ତାଙ୍କୁ ସାମିଲ କରା ନଯିବା ପରେ ସୀତା ଅସନ୍ତୁଷ୍ଟ ଥିବା କୁହାଯାଉଥିଲା । ଝାଡ଼ଖଣ୍ଡରେ ଜେଏମଏମ୍‌ ଓ କଂଗ୍ରେସ ମେଣ୍ଟ କରି ସରକାର ଗଠନ କରିଛନ୍ତି ।