ବିଜୟୀ ଟିମ୍‌ ଇଣ୍ଡିଆ ପାଇଁ ୧୨୫ କୋଟି ଟଙ୍କାର ପୁରସ୍କାର ଘୋଷଣା

ବିଜୟୀ ଟିମ୍‌ ପାଇଁ ୧୨୫ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି BCCI ସମ୍ପାଦକ ଜୟ ଶାହ।

ବିଜୟୀ ଟିମ୍‌ ଇଣ୍ଡିଆ ପାଇଁ ୧୨୫ କୋଟି ଟଙ୍କାର ପୁରସ୍କାର ଘୋଷଣା

ଦ୍ୱିତୀୟ ଥର ପାଇଁ T-20 ବିଶ୍ୱକପ୍‌ ହାତେଇଛି ଭାରତ। ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକାକୁ ୭ ରନ୍‌ରେ ପରାସ୍ତ କରି ବିଶ୍ୱ ବିଜେତା ହୋଇଛି ଭାରତ। ଏହି ବିଜୟ ପରେ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ(BCCI) ଭାରତୀୟ ଖେଳାଳିଙ୍କ ପାଇଁ ବଡ଼ ଘୋଷଣା କରିଛି। ବିଜୟୀ ଟିମ୍‌ ପାଇଁ ୧୨୫ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି BCCI ସମ୍ପାଦକ ଜୟ ଶାହ।

Xରେ ସେ ଲେଖିଛନ୍ତି, ଟିମ୍ ଇଣ୍ଡିଆ ପୂରା ଟୁର୍ଣ୍ଣାମେଣ୍ଟରେ ଅସାଧାରଣ ପ୍ରତିଭା ପ୍ରଦର୍ଶନ କରିଛନ୍ତି। ଏହି ଉତ୍‌କୃଷ୍ଟ ଉପଲବ୍ଧ ପାଇଁ ସମସ୍ତ ଖେଳାଳି, କୋଚ ଓ ଷ୍ଟାଫଙ୍କୁ ଅନେକ ଅନେକ ଅଭିନନ୍ଦନ ବୋଲି ଶ୍ରୀ ଶାହ Xରେ ଲେଖିଛନ୍ତି।

ଶନିବାର ଖେଳାଯାଇଥିଲା ଫାଇନାଲ ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୭୬ ରନ କରିଥିଲା। ଏହାର ଜବାବରେ ଦକ୍ଷିଣ ଆଫ୍ରିକା ୮ ୱିକେଟ ହରାଇ ୧୬୯ ରନ କରିଛି। ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ କୌଣସି ବିଶ୍ୱକପର ଫାଇନାଲ ଖେଳୁଥିବା ବେଳେ ଚାମ୍ପିୟନ ଠାରୁ ଅଳ୍ପ ଦୂରରେ ରହି ଯାଇଛି।

୧୭ ବର୍ଷର ଟି-୨୦ ବିଶ୍ୱକପ ଇତିହାସରେ ପ୍ରଥମଥର ପାଇଁ ଉଭୟ ଦଳ ଅପରାଜେୟ ରହି ଫାଇନାଲରେ ପ୍ରବେଶ କରିଥିଲେ। ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ମାତ ଦେଇ ଅପରାଜେୟ ଧାରା ମଧ୍ୟ ବଜାୟୀ ରଖିଛି।