ବିନା ସୂଚନା ଫଳକରେ ଉନ୍ନୟନ କାର୍ଯ୍ୟ
ନବରଙ୍ଗପୁର,୨୧।୪(ସଦାଶିବ ପ୍ରହରାଜ): ନବରଙ୍ଗପୁର ବ୍ଲକ୍ର ବିଭିନ୍ନ ସ୍ଥାନରେ ବିନା ସୂଚନା ଫଳକରେ ବହୁ ଉନ୍ନୟନ କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି । କିଏ ଓ କେଉଁ ବିଭାଗ ଏହି ଉନ୍ନୟନ କାମ କରୁଛି ସେ ନେଇ ଜନସାଧାରଣ, ସ୍ଥାନୀୟ ଜନପ୍ରତିନିଧି କାହାକୁ ଜଣାନାହିଁ। ଫଲ୍ସ ବିଲ୍ କରି ଯନ୍ତ୍ରୀ ଓ ଠିକାଦାର ମାଲାମାଲ ହେବାର ମସୁଧା ହେଉଥିବା ଅଭିଯୋଗ ହେଉଛି। ନବରଙ୍ଗପୁର ବ୍ଲକ ଭତରା ସିୟୁନି ପଞ୍ଚାୟତ ସଦର ମହକୁମାରେ ଏକ କଲଭର୍ଟ, ଖଳା ପିଣ୍ଡି ଓ […] The post ବିନା ସୂଚନା ଫଳକରେ ଉନ୍ନୟନ କାର୍ଯ୍ୟ appeared first on Dharitri Odia News.
ନବରଙ୍ଗପୁର,୨୧।୪(ସଦାଶିବ ପ୍ରହରାଜ): ନବରଙ୍ଗପୁର ବ୍ଲକ୍ର ବିଭିନ୍ନ ସ୍ଥାନରେ ବିନା ସୂଚନା ଫଳକରେ ବହୁ ଉନ୍ନୟନ କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି । କିଏ ଓ କେଉଁ ବିଭାଗ ଏହି ଉନ୍ନୟନ କାମ କରୁଛି ସେ ନେଇ ଜନସାଧାରଣ, ସ୍ଥାନୀୟ ଜନପ୍ରତିନିଧି କାହାକୁ ଜଣାନାହିଁ। ଫଲ୍ସ ବିଲ୍ କରି ଯନ୍ତ୍ରୀ ଓ ଠିକାଦାର ମାଲାମାଲ ହେବାର ମସୁଧା ହେଉଥିବା ଅଭିଯୋଗ ହେଉଛି।
ନବରଙ୍ଗପୁର ବ୍ଲକ ଭତରା ସିୟୁନି ପଞ୍ଚାୟତ ସଦର ମହକୁମାରେ ଏକ କଲଭର୍ଟ, ଖଳା ପିଣ୍ଡି ଓ ଏକ ଛାତ ଘର ନିର୍ମାଣ ଚାଲିଛି । ଶିରିଶି ଗାଁରେ ମଧ୍ୟ ସେହିଭଳି ଏକ କଲଭର୍ଟ ନିର୍ମାଣ ହୋଇଛି ଓ ପିଣ୍ଡି କାର୍ଯ୍ୟ ଭଳି ରାସ୍ତା କଡରେ ମୂଳଦୁଆ ଖୋଳି ମେଟାଲ ଓ ବାଲି ପକାଯାଇଛି । ତେବେ କେଉଁ ବିଭାଗ ଓ କିଏ ଏହି କାମ କରୁଛନ୍ତି, ସେ ନେଇ ସ୍ଥାନୀୟ ଲୋକେ ଜାଣି ନ ଥିବା କହିଛନ୍ତି । ଉକ୍ତ ପ୍ରକଳ୍ପ ନିକଟରେ ସୂଚନା ଫଳକ ନ ଥିବାରୁ ଏ ସମସ୍ତ ଉନ୍ନୟନ କାର୍ଯ୍ୟ ବିଷୟରେ ଜାଣିବା କଷ୍ଟକର ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଶିରିଶି ଗାଁର ମୁନି ସାହିରେ ଏକ କଲଭର୍ଟ ନିର୍ମାଣ କାର୍ଯ୍ୟ ସରିଛି। ତେବେ ୩ଟି ରାସ୍ତାର ସଂଯୋଗୀକରଣ ସ୍ଥାନରେ କମ୍ ଚଉଡା ଓ ବିନା ମୂଳଦୁଆରେ କଲଭର୍ଟ ନିର୍ମାଣ କରାଯାଇଛି। ତେବେ ଉକ୍ତ ରାସ୍ତାର ପାର୍ଶ୍ୱ ନଦୀକୂଳିଆ ଅଞ୍ଚଳ ହୋଇଥିବାରୁ ବନ୍ୟାଜଳରେ ନିମ୍ନମାନର କାମ ହୋଇଥିବା କଲଭର୍ଟ ଭାଙ୍ଗିଯିବ ନଚେତ ଭୁଶୁଡି ପଡିବ ବୋଲି ଗ୍ରାମବାସୀ କରିଛନ୍ତି। ସେହିଭଳି ଉକ୍ତ ଗାଁର ମୁଖ୍ୟ ରାସ୍ତା କଡରେ ୫ ଫୁଟ ନିମ୍ନ ଭାଗରେ ବାଲି, ମେଟାଲ ପକାଇବା ସହିତ ମେଶିନ ମାଧ୍ୟମରେ ମୂଳଦୁଆ ଖୋଳା ଯାଇଛି । ଲକ୍ଷାଧିକ ଟଙ୍କାର କାମ ହେଉଥିଲେ ହେଁ ଏହି ଉନ୍ନୟନ କାର୍ଯ୍ୟ ନିକଟରେ କୌଣସି ସୂଚନା ଫଳକ ନାହିଁ। ସେହିଭଳି ଭତରା ସିୟୁନି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏକ କଲଭର୍ଟ କାର୍ଯ୍ୟ ଚାଲିଛି । ଗାଁ ମୁଣ୍ଡରେ ଏକ ଛାତ ଘର ସେଣ୍ଟରିଂ ହୋଇ ଛାତ ସ୍ତର ପର୍ଯ୍ୟନ୍ତ କାମ ସରିଲାଣି । ସେମିତି ଏସ୍ଏସ୍ଡି ହାଇସ୍କୁଲ ରାସ୍ତା କଡରେ ଖଳା ପାଇଁ ପିଣ୍ଡି ନିର୍ମାଣ କାର୍ଯ୍ୟ ଚାଲିଛି । ତେବେ ଉକ୍ତ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ନିକଟରେ ଗୋଟିଏ ବି ସୂଚନା ଫଳକ ଏଯାଏ ଲଗା ଯାଇନାହିଁ। କୌଣସି କାର୍ଯ୍ୟରେ ସ୍ଥାନୀୟ ଶ୍ରମିକଙ୍କୁ କାମରେ ଡକା ଯାଉନାହିଁ ଓ କାମରେ ଲଗାଉନାହାନ୍ତି ବୋଲି ୱାର୍ଡମେମ୍ବର ଲିଙ୍ଗରାଜ ରନ୍ଧାରି ଓ ପୂର୍ବତନ ସରପଞ୍ଚ ଧନୁର୍ଜୟ ନାୟକ କହିଛନ୍ତି । ଅନ୍ୟପକ୍ଷରେ ସୂଚନା ଫଳକ ଲଗାଇ କାର୍ଯ୍ୟ ହେଉ ନ ଥିବାରୁ ଏ ସମସ୍ତ ଉନ୍ନୟନ କାର୍ଯ୍ୟରେ ଦୁର୍ନୀତିର ବାସ୍ନା ବାହାରୁଛି । ଅନ୍ୟପକ୍ଷରେ ୧୦ ଲକ୍ଷ ଟଙ୍କାରୁ କମ୍ ଉନ୍ନୟନ କାର୍ଯ୍ୟ ବିନା ଟେଣ୍ଡରରେ ବିଭାଗଗୁଡିକ ଯନ୍ତ୍ରୀମାନଙ୍କ ନାଁରେ କାର୍ଯ୍ୟାଦେଶ ରଖି କାମ ହେଉଥିବା ଅଭିଯୋଗ ହେଉଛି। ଏଭଳି ବିନା ସୂଚନା ଫଳକରେ କାର୍ଯ୍ୟ ଚାଲିଥିବାରୁ ଏ ସମସ୍ତ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି । ପ୍ରଥମେ ସୂଚନା ଫଳକ ଲଗାଯାଇ ଉନ୍ନୟନ କାର୍ଯ୍ୟ କରାଯିବାକୁ ଦାବି ହେଉଛି । ଏ ନେଇ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚତ୍ ନାରାୟଣ ଦରୱାନଙ୍କ ମୋବାଇଲ ନମ୍ବର ୯୪୩୭୦୯୪୭୨୫କୁ ଯୋଗାଯୋଗ କରାଯିବାରୁ ସୁଇଚ ଅଫ ରହିଥିଲା। ସମନ୍ବିତ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ପ୍ରକଳ୍ପ ପ୍ରଶାସକ ରାଜୀବ କୁମାର ସାହୁଙ୍କୁ ତାଙ୍କ ମୋବାଇଲ ନମ୍ବର ୯୪୩୭୧୪୫୪୦୨କୁ ଯୋଗାଯୋଗ କରିବା ପରେ ମଧ୍ୟ କୌଣସି ଉତ୍ତର ମିଳିପାରି ନାହିଁ।
The post ବିନା ସୂଚନା ଫଳକରେ ଉନ୍ନୟନ କାର୍ଯ୍ୟ appeared first on Dharitri Odia News.