ବିରାଟଙ୍କ ସହଜ ରନଆଉଟକୁ ହାତଛଡ଼ା କଲା ବାଂଲାଦେଶ, ଏମିତି କଲେ ପନ୍ତ; ଦେଖନ୍ତୁ ଭିଡିଓ

ଋଷଭ ପନ୍ତଙ୍କ ସହ ତାଳ ମେଳ ଅଭାବରୁ ବିରାଟ ରନ ଆଉଟ ହେବାକୁ ଯାଉଥିଲେ।

ବିରାଟଙ୍କ ସହଜ ରନଆଉଟକୁ ହାତଛଡ଼ା କଲା ବାଂଲାଦେଶ, ଏମିତି କଲେ ପନ୍ତ; ଦେଖନ୍ତୁ ଭିଡିଓ

ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟର ୪ର୍ଥ ଦିନରେ ଭାରତୀୟ ଟିମ ଆଟାକିଂ ମୁଡରେ ରହିଛି। ଯିଏ ବ୍ୟାଟିଂ କରିବାକୁ ଆସୁଛନ୍ତି, ସିଏ ବଡ଼ ବଡ଼ ଶଟ ଖେଳୁଛନ୍ତି। ଏସଭୁ ଭିତରେ ବିରାଟ କୋହଲିଙ୍କ ଅତି ସହଜ ରନ ଆଉଟକୁ ହାତ ଛଡ଼ା କରିଛି ବାଂଲାଦେଶ।

ଋଷଭ ପନ୍ତଙ୍କ ସହ ତାଳ ମେଳ ଅଭାବରୁ ବିରାଟ ରନ ଆଉଟ ହେବାକୁ ଯାଉଥିଲେ। କିନ୍ତୁ ବାଂଲାଦେଶର ଖାଲେଦ ଅହମଦ ଏହି ସୁଯୋଗକୁ ହାତ ଛଡ଼ା କରିଛନ୍ତି। ବିରାଟ ରନ ଆଉଟରୁ ବର୍ତ୍ତିବା ପରେ ପନ୍ତ ତାଙ୍କ ପାଖକୁ ଯାଇଥିଲେ। ଏଥିସହ ବିରାଟଙ୍କୁ କୁଣ୍ଢାଇ ନିଜ ଭୁଲ ସ୍ୱୀକାର କରିଥିଲେ।

ପୂରା ଘଟଣା ୧୯ତମ ଓଭରରେ ଘଟିଥିଲା। ଖାଲେଦ ଅହମଦ ପକାଉଥିବା ସ୍ଲୋର ୱାନକୁ ବିରାଟ ଟ୍ୟାପ କରି ୧ ରନ ନେବାକୁ ଚେଷ୍ଟା କରିଥିଲେ। ପନ୍ତ ମଧ୍ୟ ଏଥିପାଇଁ ପ୍ରଥମେ ହଁ ଭରିଥିଲେ। କିନ୍ତୁ ବିରାଟ ପିଚ୍‌ରେ ଅଧାରେ ପହଞ୍ଚି ଥିବା ବେଳେ ସେ ରନ ନେବାକୁ ମନା କରି ଦେଇଥିଲେ। ଏହି ସମୟରେ ବଲ ଖାଲେଦଙ୍କ ହାତରେ ରହିଥିଲା। ବିରାଟ ମଧ୍ୟ ଆଉଟ ହେବାକୁ ଯାଉଥିବା ଜାଣି କ୍ରିଜରେ ପହଞ୍ଚିବାକୁ ଚେଷ୍ଟା କରି ନଥିଲେ।

କିନ୍ତୁ ଖାଲେଦ ବଲକୁ ୱିକେଟରେ ଲଗାଇବା ପରିବର୍ତ୍ତେ କିଛି ଦୂରରୁ ଏହାକୁ ଥ୍ରୋ କରିଥିଲେ। କିନ୍ତୁ ଏହା ୱିକେଟରେ ବାଜି ନଥିଲା। ଫଳରେ ବିରାଟ ନିଶ୍ଚିତ ରନଆଉଟରୁ ବର୍ତ୍ତି ଯାଇଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ବିରାଟ ପୂରା ରାଗି ଯାଇଥିଲେ।

ଏହା ଦେଖି ପନ୍ତ ତାଙ୍କ ପାଖକୁ ଯାଇଥିଲେ ଓ କୁଣ୍ଢାଇ ଧରି ଭୁଲ ସ୍ୱୀକାର କରିଥିଲେ। ବିରାଟ ଏହାପରେ ହସିବା ସହ ପୁଣି ଦୁହେଁ ବ୍ୟାଟିଂ କରିଥିଲେ। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ପରବର୍ତ୍ତୀ ଅବସ୍ଥାରେ ବିରାଟ କୋହଲି ୪୭ ରନରେ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ପନ୍ତ ମଧ୍ୟ କେବଳ ୯ ରନ କରିବାକୁ ସକ୍ଷମ ହୋଇଥିଲେ।