ବିଳମ୍ବରେ ଅଫିସ ଆସିଲେ କନଷ୍ଟେବଲ; ଗରମ ପାଣି ଫିଙ୍ଗିଲେ ହାବିଲଦାର
କାର୍ଯ୍ୟରତ କନଷ୍ଟେବଲ ଦୁଷ୍ମନ୍ତ ଦେହୁରୀଙ୍କୁ ବାରିପଦା ପିଆରଏମ୍ ମେଡିକାଲରେ ଭର୍ତ୍ତି କରାଯାଇଛି।
ଅଗ୍ନିଶମ ବାହିନୀରେ କାର୍ଯ୍ୟରତ କନଷ୍ଟେବଲ ଉପରକୁ ଗରମ ପାଣି ଫିଙ୍ଗିଦେଲେ ହାବିଲଦାର। ଏପରି ଅଘଟଣ ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅଗ୍ନିଶମ କାର୍ଯ୍ୟାଳୟରେ। କାର୍ଯ୍ୟରତ କନଷ୍ଟେବଲ ଦୁଷ୍ମନ୍ତ ଦେହୁରୀଙ୍କୁ ବାରିପଦା ପିଆରଏମ୍ ମେଡିକାଲରେ ଭର୍ତ୍ତି କରାଯାଇଛି।
ଅଭିଯୋଗ ଅନୁସାରେ, ଗତକାଲି ଦୁଷ୍ମନ୍ତ ବିଳମ୍ବରେ ଅଫିସ ଆସିଥିଲେ। କାହିଁକି ଅଫିସ ବିଳମ୍ବରେ ଆସିଲ ବୋଲି ହାବିଲଦାର ନୂତନ
ମଲ୍ଲିକ ଦ୍କଷ୍ମନ୍ତଙ୍କୁ ଗାଳିଗୁଲଜ କରିଥିଲେ। ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।
ପରେ ଉତକ୍ଷିପ୍ତ ହୋଇ ହାବିଲଦାର ଦୁଷ୍ମନ୍ତଙ୍କ ଉପରେ ଗରମ ପାଣି ଫିଙ୍ଗି ଦେଇଥିଲେ। ତାଙ୍କ ଦୁଇ ଜଙ୍ଗ ଓ ଗୋଡରେ ଗରମ ପାଣି ପଡ଼ି ଚମ ଉଠିଯାଇଥିଲା। ସହକର୍ମୀମାନେ ଦୁଷ୍ମନ୍ତଙ୍କୁ ପ୍ରଥମେ ବାଙ୍ଗିରିପୋଷି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରିପଦା ପିଆରଏମ୍ ମେଡିକାଲରେ ଭର୍ତ୍ତି କରାଯାଇଛି। ଏନେଇ ସଂପୃକ୍ତ ହାବିଲଦାର କିମ୍ବା ଅଗ୍ନିଶମ ବାହିନୀ ପକ୍ଷରୁ ପ୍ରତିକ୍ରିୟା ମିଳି ନାହିଁ।