ବିଷ୍ଣୁପୁରରେ ଝାଡ଼ାବାନ୍ତି ଆତଙ୍କ, ୧୫ ଜଣ ଡାକ୍ତରଖାନାରେ ଭର୍ତ୍ତି
ଆଠଗଡ଼ ଡାକ୍ତରଖାନାରେ ୧୦ ଜଣ ଭର୍ତ୍ତି ହୋଇଥିବା ବେଳେ ଅନ୍ୟମାନେ ତିଗିରିଆ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ବିଷ୍ଣୁପୁର ଗାଁରେ ଦେଖାଦେଇଛି ଝାଡ଼ାବାନ୍ତି ଆତଙ୍କ। ଗାଁର ୧୫ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଆଠଗଡ଼ ଓ ତିଗିରିଆ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆଠଗଡ଼ ଡାକ୍ତରଖାନାରେ ୧୦ ଜଣ ଭର୍ତ୍ତି ହୋଇଥିବା ବେଳେ ଅନ୍ୟମାନେ ତିଗିରିଆ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ଆଠଗଡ଼ ଡାକ୍ତରଖାନାର ଡାକ୍ତର ମାନସ ରଞ୍ଜନ ପାଣି କହିଛନ୍ତି, ୪ ତାରିଖରେ ୫ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଅତି ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଥିଲେ। ଗତକାଲି ଆଉ ୫ ଜଣ ଭର୍ତ୍ତି ହୋଇଛନ୍ତି। ସମସ୍ତଙ୍କ ଅବସ୍ଥା ବର୍ତ୍ତମାନ ଭଲ ଅଛି। ସମସ୍ତଙ୍କ ଚିକିତ୍ସା ଚାଲିଛି। କେବଳ ଜଣେ ବ୍ୟକ୍ତିଙ୍କର ବ୍ଲଡ୍ ପ୍ରେସର ଟିକେ କମ୍ ରହୁଛି। କିନ୍ତୁ ସେ ଭଲ ହୋଇଯିବେ। ଅଧିକାଂଶ ଆକ୍ରାନ୍ତ ଗୋଟିଏ ପରିବାରର ହୋଇଥିବା ବେଳେ ଅନ୍ୟମାନେ ସେହି ପରିବାର ଆଖପାଖ ଲୋକ। ଦୂଷିତ ପାଣି ଅବା ଦୂଷିତ ଖାଦ୍ୟ ସେବନ ଯୋଗୁ ଝାଡ଼ାବାନ୍ତି ହୋଇଥାଏ। ତେବେ ଆମେ ଯାହା ଅନୁମାନ କରୁଛୁ ଦୂଷିତ ପାଣି ପିଇ ଏହି ଲୋକମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।
ବିଷ୍ଣୁପୁର ଗାଁର ମୁଣ୍ଡିଆ ସାହିରେ ଝାଡ଼ାବାନ୍ତି ବ୍ୟାପୀ ଥିବା ବେଳେ ସେଠାକାର ଲୋକେ ଏକ ଖୋଲା କୂଅରୁ ପାଣି ବ୍ୟବହାର କରୁଛନ୍ତି। ଝାଡ଼ାବାନ୍ତିରେ ଆକ୍ରାନ୍ତ ଅନୁପମା ସ୍ୱାଇଁ କହିଛନ୍ତି ଯେ ଯେଉଁମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି, ସେମାନେ ସମସ୍ତେ ସେହି କୂଅର ପାଣି ବ୍ୟବହାର କରନ୍ତି।