ବୁଥ୍ ରିଗିଂକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ

ପୁଲିସ ପହଞ୍ଚିବା ପରେ ଗଣ୍ଡଗୋଳକାରୀମାନେ ଫେରାର ହୋଇଯାଇଥିଲେ।

ବୁଥ୍ ରିଗିଂକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଥିବା ବେଳେ କିଛି ସ୍ଥାନରେ ହିଂସାକାଣ୍ଡ ଘଟିଥିବା ଦେଖିବାକୁ ମିଳିଥିଲା। ଗଞ୍ଜାମ ଜିଲ୍ଲାର ଚିକିଟି ନିର୍ବାଚନ ମଣ୍ଡଳୀର ଚିକିଟି ଏନଏସି ଅନ୍ତର୍ଗତ କରବାଲୁଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬୪ ଓ ୬୫ ନମ୍ବର ବୁଥ୍‌ରେ ବୁଥ ରିଗିଂକୁ ନେଇ ଗଣ୍ଡଗୋଳ ହୋଇଥିଲା।

ଭୋଟ୍ ଗ୍ରହଣ ଚାଲିଥିବା ବେଳେ ଅପରାହ୍ନ ପ୍ରାୟ ୫ଟା ବେଳେ ୬୫ ନମ୍ବର ବୁଥ ଭିତରେ ମାରପିଟ ଆରମ୍ଭ ହୋଇଥିଲା । ପ୍ରବଳ ପାଟିତୁଣ୍ଡ ସହିତ ଗୋଟିଏ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀ ଉପରେ ଆକ୍ରମଣ କରିଥିଲେ।

ବୁଥ୍‌ ଭିତରେ ମାରପିଟ ଚାଲିଥିବା ବେଳେ ଭିଡିଓ ନକରିବାକୁ କହି କିଛି ଲୋକ ଓଟିଭି ଟିମକୁ ଠେଲାପେଲା ମଧ୍ୟ କରିଥିଲେ। ପୁଲିସ ପହଞ୍ଚିବା ପରେ ଗଣ୍ଡଗୋଳକାରୀ ମାନେ ଫେରାର ହୋଇଯାଇଥିଲେ। ଏହି ସମାନ ବୁଥ୍‌ରେ ସକାଳେ ମଧ୍ୟ ପ୍ରବଳ ଗଣ୍ଡଗୋଳ ଘଟିଥିଲା ଓ ଏକାଧିକ ଲୋକ ଆହତ ହୋଇଥିଲେ।

ସୂଚନାଯୋଗ୍ୟ, ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ଏକ ବୁଥ୍‌ରେ ବିଜେଡି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।