ବୁର୍ଖା ପିନ୍ଧି ପ୍ରେମିକାଙ୍କ ଘରେ ପଶିଲା, ୫ମ ମହଲାରୁ ଠେଲି ଦେଲା

ସେ ତା’ର ପ୍ରେମିକ ନେହାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ରାତିରେ ପୁଲିସ୍‌ ତା’କୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

ବୁର୍ଖା ପିନ୍ଧି ପ୍ରେମିକାଙ୍କ ଘରେ ପଶିଲା, ୫ମ ମହଲାରୁ ଠେଲି ଦେଲା

ନିଜର ୧୯ ବର୍ଷୀୟ ପ୍ରେମିକାଙ୍କୁ ୫ମ ମହଲାରୁ ତଳକୁ ଠେଲି ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଛି ଜଣେ ୨୬ ବର୍ଷୀୟ ଯୁବକ। ଉତ୍ତରପୂର୍ବ ଦିଲ୍ଲୀର ଅଶୋକ ନଗର ଗୋଟିଏ ଆବାସିକ ଅଞ୍ଚଳରେ ଏପରି ଘଟଣା ଘଟିଛି। ଗିରଫ ଅଭିଯୁକ୍ତ ଜଣକ ହେଲା ତୌଫିକ। ତା’ ଘର ଉତ୍ତର ପ୍ରଦେଶର ରାମପୁର ଅଞ୍ଚଳରେ। ସେ ତା’ର ପ୍ରେମିକ ନେହାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ରାତିରେ ପୁଲିସ୍‌ ତା’କୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

ସୋମବାର ସକାଳ ୮.୩୦ରେ ଜ୍ୟୋତି ନଗର ପୁଲିସ୍‌ ଷ୍ଟେସନରେ ପ୍ରଥମେ ଘଟଣା ସମ୍ପର୍କରେ ଖବର ପହଞ୍ଚିଥିଲା। ନେହାଙ୍କୁ ତାଙ୍କ ଘରର ୫ମ ମହଲାର ଛାତରୁ କେହି ଜଣେ ଠେଲି ଦେବାରୁ ତାଙ୍କ ଅବସ୍ଥା ଗୁରୁତର ହୋଇଛି। ପରିବାର ଲୋକ ତାଙ୍କୁ ଗୁରୁ ତେଜ ବାହାଦୂର ହସ୍ପିଟାଲକୁ ନେଇ ଯାଇଥିବା ପୁଲିସ୍‌ ଖବର ପାଇ ସେଠାରେ ପହଞ୍ଚିଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ନେହା ଆଖି ବୁଜିଥିଲେ।

ପୁଲିସ୍‌ ଯାଞ୍ଚ ବେଳେ ନେହାଙ୍କ ପ୍ରେମିକ ତୌଫିକର ନାଁ ସାମ୍ନାକୁ ଆସିଥିଲା। ସେ ଘଟଣା ଦିନ ନେହାଙ୍କ ପରିବାର ଲୋକ ଓ ପଡ଼ୋଶୀଙ୍କୁ ଚକମା ଦେବା ପାଇଁ ବୁର୍ଖା ପିନ୍ଧି ଥିଲା। ସେ ବୁର୍ଖା ପିନ୍ଧି ନେହାଙ୍କ ଘରେ ପଶିବା ସହ ତାଙ୍କୁ ଛାତ ଉପରକୁ ନେଇ ଯାଇଥିଲା। ଏକଥା ଗିରଫ ପରେ ତୌଫିକ ସ୍ୱୀକାର ମଧ୍ୟ କରିଛି। ହେଲେ ସେ ତାଙ୍କୁ ଠେଲି ଥିଲା ନା ନେହା ନିଜେ ତଳକୁ ଡେଇଁ ପଡ଼ିଥିଲେ, ସେକଥା ସ୍ପଷ୍ଟ ହୋଇନି। 

ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିରୁ ସ୍ପଷ୍ଟ ହୋଇଛି ଯେ କେହି ଜଣେ ବୁର୍ଖା ପିନ୍ଧି ବିଲଡିଂ ମଧ୍ୟରେ ପ୍ରବେଶ କରୁଛି। କିଛି ସମୟରେ ସନ୍ଦେହ ଜନକ ଅବସ୍ଥାରେ ସେ ସେଠାରୁ ଦୌଡ଼ି ଚାଲି ଯାଉଛି। ପୁଲିସ୍‌ ଏବେ ଘଟଣାର ସମୟକ୍ରମକୁ ଯାଞ୍ଚ କରି ସିସିଟିଭିରେ ଦେଖାଯାଇଥିବା ବୁର୍ଖା ପିନ୍ଧା ସନ୍ଦିଗ୍ଧ ଜଣଙ୍କ ତୌଫିକ ନା ଆଉ କିଏ, ତା’କୁ ନିଶ୍ଚିତ କରିବାକୁ ଚାହୁଁଛି। ଏଥିପାଇଁ ଆଖପାଖ ଅଞ୍ଚଳ ସିସିଟିଭିକୁ ମଧ୍ୟ ପୁଲିସ୍‌ ଯାଞ୍ଚ କରୁଛି।

ଦିଲ୍ଲୀ ପୁଲିସ୍‌ର କହିବା କଥା ଯେ ତୌଫିକ ଓ ନେହା ବେଶ କିଛି ମାସ ହେଲା ପରସ୍ପରକୁ ପ୍ରେମ କରୁଥିଲେ। ଏସବୁ ଭିତରେ ତୌଫିକଙ୍କ ଘର ଲୋକ ତା’ ବାହାଘର ଆଉ ଜଣଙ୍କ ସହ ଠିକ କରି ଦେଇଥିଲେ। ତୌଫିକ ମଧ୍ୟ ବାହା ହେବାକୁ ରାଜି ଥିବା ନେହା ଜାଣିବା ପରେ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା।

ସେହିପରି ପୂର୍ବରୁ ତୌଫିକ ନିୟମିତ ନେହାଙ୍କ ଘରକୁ ଯାଆନ୍ତି। ହେଲେ କିଛି ଦିନ ହେବ ନେହାଙ୍କ ପରିବାର ଲୋକ ମଧ୍ୟ ତାକୁ ବିରୋଧ ଆରମ୍ଭ କରିଥିଲେ। ଏଥିପାଇଁ ଘଟଣା ଦିନ ତୌଫିକ ବୁର୍ଖା ପିନ୍ଧି ନେହାଙ୍କ ପାଖରେ ପହଞ୍ଚିଥିଲା। ଏହାପରେ ବାହାଘର ଖବରକୁ ନେଇ ନେହା ଓ ତୌଫିକ ମଧ୍ୟରେ ଛାତ ଉପରେ ଯୁକ୍ତିତର୍କ ହୋଇଥିଲା। ଏତିକି ବେଳେ ତୌଫିକ ତାଙ୍କୁ ଠେଲି ଦେଇଥିବା କୁହାଯାଉଛି। କିନ୍ତୁ ଯାଞ୍ଚ ପରେ ଏକଥା ସ୍ପଷ୍ଟ ହେବ ବୋଲି ପୁଲିସ୍‌ କହିଛି।

ଅନ୍ୟପକ୍ଷରେ ନେହାଙ୍କ ପରିବାର ଲୋକ ପୁଲିସର ଏହି ଦିଗକୁ ଗ୍ରହଣ କରି ନାହାନ୍ତି। ନେହାଙ୍କ ବାପା କହିଛନ୍ତି ଯେ ତୌଫିକ ସହ ତାଙ୍କ ଝିଅର କୌଣସି ପ୍ରେମ ସମ୍ପର୍କ ନଥିଲା। ପ୍ରତି ବର୍ଷ ତୌଫିକ ହାତରେ ନେହା ରାକ୍ଷୀ ବାନ୍ଧନ୍ତି। ଦୀର୍ଘ ୩ ବର୍ଷ ହେଲା ସେମାନେ ତୌଫିକକୁ ଜାଣି ଥିବା ବେଳେ ସେ ମଧ୍ୟ ତାଙ୍କ ଘରକୁ ନିୟମିତ ଆସନ୍ତି ବୋଲି ନେହାଙ୍କ ବାପା ଦାବି କରିଛନ୍ତି।