ବେଙ୍ଗଲରେ ବିହାରର ୨ ପରୀକ୍ଷାର୍ଥୀଙ୍କୁ ନିର୍ଯାତନା: ଭିଡିଓ ଭାଇରାଲ ପରେ ବର୍ଷିଲେ ୨ କେନ୍ଦ୍ରମନ୍ତ୍ରୀ

ସେମାନଙ୍କୁ କ୍ଷମା ମାଗିବାକୁ ବାଧ୍ୟ କରାଯିବା ସହ ବସ ଉଠ କରାଯାଇଛି। ସେହିପରି ଜଣେ ଛାତ୍ରଙ୍କୁ ଆକ୍ରମଣକାରୀମାନେ ଧକ୍କା ମାରୁଛନ୍ତି। ଦୁଇ ଛାତ୍ର ସେମାନଙ୍କ ସ୍ଥାନୀୟ ପ୍ରମାଣପତ୍ରରେ ହେରଫେର କରିଥିବା ଆକ୍ରମଣକାରୀମାନେ ଅଭିଯୋଗ କରି ଏପରି କାଣ୍ଡ ଘଟାଇଛନ୍ତି।

ବେଙ୍ଗଲରେ ବିହାରର ୨ ପରୀକ୍ଷାର୍ଥୀଙ୍କୁ ନିର୍ଯାତନା: ଭିଡିଓ ଭାଇରାଲ ପରେ ବର୍ଷିଲେ ୨ କେନ୍ଦ୍ରମନ୍ତ୍ରୀ

ପଶ୍ଚିମବଙ୍ଗକୁ ପରୀକ୍ଷା ଦେବାକୁ ଯାଇଥିବା ଦୁଇ ଜଣ ଛାତ୍ରଙ୍କୁ କିଛି ଲୋକ ପୁଲିସ୍‌ ନାଁରେ ନିର୍ଯାତନା ଦେବାର ଭିଡିଓ ସାମ୍ନାକୁ ଆସିବା ପରେ ରାଜନୀତିକ ହଟଚମଟ ସୃଷ୍ଟି ହୋଇଛି। ସିଲିଗୁଡ଼ି ଭିଡିଓ ଘଟଣାରେ ବେଙ୍ଗଲର କ୍ଷମତାସୀନ ମମତା ବାନାର୍ଜୀ ସରକାର ଉପରେ ବର୍ଷିଛନ୍ତି ୨ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶ୍ୱାନ ଓ ଗିରିରାଜ ସିଂହ।

ସାମ୍ନାକୁ ଆସିଥିବା ଭିଡିଓଟି ସିଲିଗୁଡ଼ିର। ଭିଡିଓରେ ଦୁଇ ଜଣ ପରୀକ୍ଷାର୍ଥୀଙ୍କୁ କିଛି ଲୋକ ଗୋଟିଏ ରୁମ ଭିତରେ ନିର୍ଯାତନା ଦେଉଛନ୍ତି। ଦୁଇ ଛାତ୍ର ଏସଏସସି ନିଯୁକ୍ତି ପରୀକ୍ଷା ଦେବାକୁ ବେଙ୍ଗଲ ଯାଇଥିଲେ।

ସେମାନଙ୍କୁ କ୍ଷମା ମାଗିବାକୁ ବାଧ୍ୟ କରାଯିବା ସହ ବସ ଉଠ କରାଯାଇଛି। ସେହିପରି ଜଣେ ଛାତ୍ରଙ୍କୁ ଆକ୍ରମଣକାରୀମାନେ ଧକ୍କା ମାରୁଛନ୍ତି। ଦୁଇ ଛାତ୍ର ସେମାନଙ୍କ ସ୍ଥାନୀୟ ପ୍ରମାଣପତ୍ରରେ ହେରଫେର କରିଥିବା ଆକ୍ରମଣକାରୀମାନେ ଅଭିଯୋଗ କରି ଏପରି କାଣ୍ଡ ଘଟାଇଛନ୍ତି।

ଘଟଣା ବେଳର ଭିଡିଓକୁ ପୋଷ୍ଟ କରି କେନ୍ଦ୍ରମନ୍ତ୍ରୀ ଚିରାଗ ପଶ୍ଚିମବଙ୍ଗରେ ପରୀକ୍ଷା ଦେବା କ’ଣ ଅପରାଧ ବୋଲି ପ୍ରଶ୍ନ କରିଛନ୍ତି। ଚିରାଗ ବିହାରର ଦୁଇ ବିରୋଧୀ ଦଳ କଂଗ୍ରେସ ଓ ଆରଜେଡିକୁ ମଧ୍ୟ ସମାଲୋଚନା କରିଛନ୍ତି। ଆରଜେଡି ଓ କଂଗ୍ରେସ ବେଙ୍ଗଲର ଟିଏମସି ସହ ମେଣ୍ଟ କରିଥିବାରୁ ଏହା ଉପରେ ଚିରାଗ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। 

ସେ କହିଛନ୍ତି, “ପଶ୍ଚିମବଙ୍ଗରେ ବିହାରୀ ଛାତ୍ରୀଙ୍କୁ ଭୟଙ୍କ ନିର୍ଯାତନା ଦେବାର ଖବର ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ। ଉକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ପୁଣିଥରେ ବିହାରୀମାନଙ୍କୁ ଅପମାନିତ କରିଛନ୍ତି। ଏହାକୁ ଆଦୌ ସହ୍ୟ କରାଯାଇ ପାରିବ ନାହିଁ। ମୁଁ ମମତା ବାନାର୍ଜୀଙ୍କୁ ପ୍ରଶ୍ନ କରିବାକୁ ଚାହେଁ ଯେ କଣ ବେଙ୍ଗଲରେ ପରୀକ୍ଷା ଦେବାକୁ ଯିବା ଅପରାଧ?

କ’ଣ ଏବେ ବି ବିରୋଧୀ ଦଳର ନେତାମାନେ ଚୁପ ରହିବେ? ମୁଁ ବିହାରର ବିରୋଧୀ ଦଳ ନେତାଙ୍କୁ ପଚାରିବାକୁ ଚାହେଁ ଯେ ଏବେ ସେ କେଉଁ ଆଧାରରେ ଟିଏମସିକୁ ସମର୍ଥନ କରିବେ? ଘଟଣାର ଉପଯୁକ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଅନୁରୋଧ କରୁଛି।”

ବିଜେପି ନେତା ତଥା ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଯହ ମଧ୍ୟ ଭିଡିଓ ପୋଷ୍ଟ କରି ବେଙ୍ଗଲରେ ରୋହିଙ୍ଗ୍ୟା ମୁସଲିମଙ୍କ ପାଇଁ ରେଡ କାରପେଟ ବିଛା ଯାଉଛି। କିନ୍ତୁ ପରୀକ୍ଷା ଦେବାକୁ ଯାଉଥିବା ବିହାର ଯୁବକଙ୍କୁ ମାଡ଼ ମରାଯାଉଛି। କ’ଣ ଏହି ପିଲାମାନେ ଭାରତର ନୁହନ୍ତି? ମମତା ସରକାର କେବଳ କ’ଣ ଦୁଷ୍କର୍ମକାରୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ୨ ଜଣ ଯୁବକ ଗୋଟିଏ ରୁମରେ ଶୋଇଛନ୍ତି। ଏହି ସମୟରେ କିଛି ଲୋକ ରୁମ ଭିତରକୁ ଧସେଇ ପଶିବା ସହ ସେମାନଙ୍କୁ ଉଠିବାକୁ କହୁଛନ୍ତି। ବେଙ୍ଗଲୀରେ ସେମାନେ କେଉଁଠୁ ଆସିଛନ୍ତି ବୋଲି ପ୍ରଶ୍ନ କରୁଛନ୍ତି। ବେଙ୍ଗଲ ବୁଝୁଛ କି ନାହିଁ ପ୍ରଶ୍ନ ପଚାରିବା ବେଳେ ସେମାନେ ବିହାରରୁ ଆସିଥିବା କହୁଛନ୍ତି। ଏଠାକୁ ଆସିବାର କାରଣ ମଧ୍ୟ ସେମାନେ ପଚାରୁଛନ୍ତି।

ଦୁଇ ଛାତ୍ରଙ୍କ ମଧ୍ୟରେ ଥିବା ଅଙ୍କିତ ଯାଦବ ଶାରିରୀକ ପରୀକ୍ଷା ଦେବାକୁ ଆସିଥିବା କହିଥିଲେ। ବେଙ୍ଗଲର ହୋଇ ନଥିବା ବେଳେ କେମିତି ସେ ପରୀକ୍ଷା ଦେବେ ବୋଲି ଜଣେ କେହି ପଚାରିଥିଲେ। ଏହାର ଜବାବରେ ଅଙ୍କିତ କହିଥିଲେ ଯେ ତାଙ୍କୁ ସିଲିଗୁଡ଼ି ପରୀକ୍ଷା କେନ୍ଦ୍ରକୁ ଡକାଯାଇଛି। ଯେଉଁମାନଙ୍କ ପାଖରେ ବେଙ୍ଗଲରେ କିଛି ସମୟ ରହିବା ପାଇଁ ପ୍ରମାଣପତ୍ର ରହିଛି, ସେମାନେ ହିଁ ଉକ୍ତ ପରୀକ୍ଷା କେନ୍ଦ୍ର ପାଇଁ ଆବେଦନ କରିପାରିବେ ବୋଲି ଆକ୍ରମଣକାରୀମାନେ କହିଥିଲେ। ନିଜକୁ ପୁଲିସର ପରିଚୟ ଦେଇ ସେମାନେ ଅଙ୍କିତ ଯାଦବଙ୍କୁ କାଗଜପତ୍ର ଦେଖାଇବାକୁ କହିଥିଲେ।

କଥାବାର୍ତ୍ତା ବଢ଼ିବାରେ ଲାଗିଥିବା ବେଳେ ସଂଘବଦ୍ଧ ହୋଇ ଆସିଥିବା ଲୋକମାନେ ଦୁଇ ପରୀକ୍ଷାର୍ଥୀଙ୍କୁ ଧମକାଇବା ଆରମ୍ଭ କରିଥିଲେ। ଅଙ୍କିତ ନ ଡରି ତାଙ୍କୁ ପୁଲିସ ଷ୍ଟେସନ ନେବାକୁ କହିଥିଲେ। କିନ୍ତୁ ତାଙ୍କୁ ବଳ ପୂର୍ବକ ତଳେ ବସାଇବାରୁ ସେ ବିହାର ଫେରିଯିବେ ବୋଲି କହିଥିଲେ।

ଅଙ୍କିତ ଓ ତାଙ୍କ ସହ ଥିବା ଯୁବକଙ୍କୁ ଆକ୍ରମଣକାରୀମାନେ ଉଠବସ କରାଇଥିଲେ। ଏଥିସହ ପୁଣିଥରେ ବେଙ୍ଗଲକୁ ପରୀକ୍ଷା ଦେବାକୁ ନ ଆସିବା ପାଇଁ ଧମକ ଦେଇଥିଲେ। ଅଙ୍କିତ ନିଜ ଦସ୍ତାବିଜ ନ ଦେବାରୁ ସେମାନେ ତାଙ୍କୁ ଧକ୍କା ମାରିଥିଲେ।