ବେଦ ମନ୍ତ୍ର ଧ୍ୱନିରେ ଗୁଞ୍ଜରିତ ହେଉଛି ଶ୍ରୀମନ୍ଦିରର ଚଉଦିଗ

ମକର ସଂକ୍ରାନ୍ତିରୁ ତ୍ରିଦିନାତ୍ମକ ଯଜ୍ଞର ଶୁଭାରମ୍ଭ, ବେଦଧ୍ବନିରେ କଂପୁଛି ଚଉଦିଗ । ଶ୍ରୀସେତୁରୁ ଶ୍ରୀମାର୍ଗ ଯାଏଁ ସ୍ଥିତି ପରଖିଲେ ମୁଖ୍ୟ ଶାସନ ସଚିବ ଓ ଡିଜିପି ।

ବେଦ ମନ୍ତ୍ର ଧ୍ୱନିରେ ଗୁଞ୍ଜରିତ ହେଉଛି ଶ୍ରୀମନ୍ଦିରର ଚଉଦିଗ

ମକର ସଂକ୍ରାନ୍ତିର ଶୁଭ ମୂହୁର୍ତ୍ତ । ମନ୍ତ୍ରରେ କଂପୁଛି ଖଣ୍ଡମଣ୍ଡଳ । ଶ୍ରୀମନ୍ଦିର ଚାରିଦ୍ୱାରରେ ଚାଲିଛି ବେଦ ପାଠ । ସିହଂଦ୍ୱାରରେ ରୁଗ୍, ପଶ୍ଚିମରେ ସାମ୍, ଉତ୍ତରରେ ଯଦୁ ଓ ଦକ୍ଷିଣରେ ଅଥର୍ବ ବେଦର ଧ୍ୱନିରେ ଗୁଂଜରିତ ହେଉଛି ଚଉଦିଗ । ଗତକାଲି ଯଜ୍ଞ ଅଧିବାସ ସମ୍ପନ୍ନ ପରେ ଆଜି ସୂର୍ଯ୍ୟୋଦୟରୁ ଅଖଣ୍ଡ ଦୀପ ପ୍ରଜ୍ୱଳନ ପୂର୍ବକ ହୋଇଥିଲା ପରିକ୍ରମା ପ୍ରକଳ୍ପ ଲୋକର୍ପଣ ଉତ୍ସବ ମହାଯଜ୍ଞର ଶୁଭାରମ୍ଭ।

ଶ୍ରୀମନ୍ଦିର ଐଶାନ୍ୟକୋଣରେ ସ୍ଥାପିତ ବିଶାଳ ଯଜ୍ଞ କୁଣ୍ଡରେ ଅପରାହ୍ନ ୩ଟାରେ ରୋଷଶାଳାରୁ ବୈଷ୍ଣବାଗ୍ନୀ ସଂସ୍କାର ପରେ ଆରମ୍ଭ ହୋଇଛି ଯଜ୍ଞକାର୍ଯ୍ୟ। ଗଜପତି ମହାରାଜାଙ୍କ ଦ୍ବାରା ବରଣ ହୋଇଥିବା ଆଚାର୍ଯ୍ୟ ବ୍ରାହ୍ମଣ ମାନେ ଦେଉଛନ୍ତି ଘୃତାହୂତୀ। ଯାହାକି ସାରା ଶ୍ରୀକ୍ଷେତ୍ରରେ ସୃଷ୍ଟି କରିଛି ଆଧ୍ୟାତ୍ମିକମୟ ପରିବେଶ । ବୁଧବାର ଗଜପତି ମହାରାଜା ଯଜ୍ଞରେ ଦେବେ ପୂର୍ଣ୍ଣାହୂତୀ। 

ସେପଟେ ୧୭ ତାରିଖ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ମୁହୂର୍ତ୍ତ ଯେତିକି ପାଖେଇ ଆସୁଛି, ପ୍ରଶାସନିକ ପ୍ରସ୍ତୁତି ସେତିକି ଜୋର ଧରୁଛି। ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ପୋଲିସ୍ ଡିଜି ଅରୁଣ ଷଡ଼ଙ୍ଗୀ, ଉଭୟେ ଗ୍ରାଉଣ୍ଡ ଜିରୋକୁ ଯାଇ ଶ୍ରୀସେତୁରୁ ଶ୍ରୀମାର୍ଗ ଓ ପରିକ୍ରମା ପ୍ରକଳ୍ପରୁ ଯଜ୍ଞସ୍ଥଳ ଯାଏଁ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ମୁଖ୍ୟ ଶାସନ ସଚିବ କହିଛନ୍ତି- ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବା ପରେ ଶ୍ରୀଜଗନ୍ନାଥ ପରିକ୍ରମା ମାର୍ଗ ଭକ୍ତଙ୍କ ଉଦ୍ଦେଶ୍ୟରେ ସମର୍ପିତ ହେବ। ବାହରୁ ଆସୁଥିବା ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ସେପଟେ ନିଜେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରି ଡିଜିପି କହିଛନ୍ତି- ଲୋକର୍ପଣ ଉତ୍ସବ ପାଇଁ ସିକ୍ୟୁରିଟି ବ୍ଲାଙ୍କେଟ୍ ରେ ରହିବ ସାରା ପୁରୀ ସହର। ୧୭ ତାରିଖରେ ୪ ଥାକିଆ ସୁରକ୍ଷା ବ୍ୟବସ୍ଥା ରହିବ। ଟ୍ରାଫିକ, ଭିଆଇପି ଓ ଭକ୍ତଙ୍କ ସୁରକ୍ଷା- ସବୁ ଦିଗକୁ ଦିଆଯାଇଛି ଗୁରୁତ୍ବ। ଏଥିପାଇଁ ୮୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ୧୦୦ ସୁପରଭାଇଜର, ୨୫୦ SI ଓ ASI ନିୟୋଜିତ ହେବେ। ତାସହ ବୋମା ନିଷ୍କ୍ରିୟକାରୀ ଟିମ୍ ।

ଏଣେ ସଞ୍ଜ ନଇଁଲେ ଆଲୋକମାଳାରେ ଝଲସୁଛି ଶ୍ରୀମନ୍ଦିର ଚଉହଦୀ। ଆଉ କାଳିଆ ସାଆନ୍ତଙ୍କ ଡୋରି ବି ଭକ୍ତଙ୍କୁ, ଶ୍ରୀକ୍ଷେତ୍ରକୁ ଟାଣି ଆଣୁଛି।