ବୋଟ୍‌ରେ ନଥିଲା ଲାଇଫ୍‌ ଜ୍ୟାକେଟ୍‌, ନେଭି ଡ୍ରାଇଭର୍‌ଙ୍କ ବିରୋଧରେ FIR

ମୁମ୍ବାଇ ଗେଟ୍‌ଓ୍ୱେ ଅଫ୍ ଇଣ୍ଡିଆ ନିକଟରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଫେରିବୋଟ୍‌କୁ ନୌସେନାର ସ୍ପିଡ୍ ବୋଟ୍ ଧକ୍କା ଦେଇଥିଲା। ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି।

ବୋଟ୍‌ରେ ନଥିଲା ଲାଇଫ୍‌ ଜ୍ୟାକେଟ୍‌, ନେଭି ଡ୍ରାଇଭର୍‌ଙ୍କ ବିରୋଧରେ FIR

ମୁମ୍ବାଇ ଗେଟ୍‌ଓ୍ୱେ ଅଫ୍‌ ଇଣ୍ଡିଆ ପାଖରେ ହୋଇଥିବା ଡଙ୍ଗା ଦୁର୍ଘଟଣା ମାମଲାରେ ନୌସେନା ସ୍ପିଡ୍‌ ବୋଟ୍‌ ଡ୍ରାଇଭରଙ୍କ ବିରୋଧରେ ହେବ ଆକ୍ସନ୍‌। ପୁଲିସ୍‌ ନେଭି ଡ୍ରାଇଭରଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିଛି।

ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ନାଥାରାମ ଚୌଧୁରୀ ନୌସେନା ଡ୍ରାଇଭରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଏହାକୁ ଆଧାର କରି କୋଲାବା ପୁଲିସ ମାମଲା ରୁଜୁ କରିଛି।

ସେପଟେ ଆଉ ଜଣେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଯାତ୍ରୀଙ୍କ କହିବା ମୁତାବକ, ଫେରିବୋଟ୍‌ରେ କାହା ପାଖରେ ମଧ୍ୟ ଲଇଫ୍‌ ସେଫ୍‌ ଜ୍ୟାକେଟ୍‌ ନଥିଲା। ତେଣୁ ଅଧିକାଂଶ ଲୋକଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାର ୨୦ରୁ ୨୫ ମିନିଟ୍‌ ପରେ ନୌସେନା ଉଦ୍ଧାର ପାଇଁ ଆସିଥିଲା।

କହିରଖୁ ଯେ, ବୁଧବାର ଅପରାହ୍ଣରେ ମୁମ୍ବାଇ ଗେଟ୍‌ଓ୍ୱେ ଅଫ୍ ଇଣ୍ଡିଆ ନିକଟରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଫେରିବୋଟ୍‌କୁ ନୌସେନାର ସ୍ପିଡ୍ ବୋଟ୍ ଧକ୍କା ଦେଇଥିଲା। ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ଭିତରେ ୧୦ ଜଣ ସାଧାରଣ ଲୋକ ଓ ୩ ଜଣ ନୌସେନା କର୍ମଚାରୀ ଅଛନ୍ତି।

ପାଖାପାଖି ଶହେରୁ ଅଧିକ ଜଣଙ୍କୁ ଉଦ୍ଧାର କରାଯାଇଛି। ନିଖୋଜଙ୍କୁ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି। ମୁମ୍ବାଇ ଗେଟ୍ ୱେ ଅଫ୍ ଇଣ୍ଡିଆ ନିକଟରେ ଗତକାଲି ଅପରାହ୍ଣ ୩ଟା ୫୫ ମିନିଟରେ ଏହି ଅଘଟଣ ଘଟିଥିଲା। ମିଳିଥିବା ସୂଚନା ଅନୁଯାୟୀ, ପର୍ଯ୍ୟଟକଙ୍କୁ ନେଇ ଏଲିଫାଣ୍ଟା ଯାଉଥିଲା ଏହି ଡଙ୍ଗା। ଏଥିରେ ୫ କ୍ରିଉ ମେମ୍ବରଙ୍କୁ ନେଇ ପ୍ରାୟ ଶହେରୁ ଅଧିକ ଯାତ୍ରୀ ଥିଲେ ବୋଲି କୁହାଯାଉଛି।

ଏତିକିବେଳେ କରଞ୍ଜ ନିକଟ ଉରାନରେ ହଠାତ୍ ନୌସେନାର ସ୍ପିଡ୍ ବୋଟ ଆସି ଡଙ୍ଗାକୁ ଧକ୍କା ଦେଇଥିଲା। ନୌସେନା ପକ୍ଷରୁ କୁହାଯାଇଛି ସ୍ପିଡ ବୋଟ ସମୁଦ୍ରରେ ଟ୍ରାଏଲ୍ କରୁଥିଲା। ଇଞ୍ଜିନରେ ତ୍ରୁଟି ଯୋଗୁ ଭାରସାମ୍ୟ ହରାଇ ଯାତ୍ରାବାହୀ ଡଙ୍ଗାକୁ ଧକ୍କା ଦେଇଥିଲା।