ବ୍ରହ୍ମପୁର ଓ ରାଉରକେଲା ଷ୍ଟେସନରୁ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍; ଶୁଭାରମ୍ଭ କଲେ ମୋଦି

ପୂର୍ବରୁ ଓଡ଼ିଶା ଦେଇ ୩ଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲୁଥିବା ବେଳେ,୨ଟି ନୂଆ ସେମି-ହାଇସ୍ପିଡ୍ ଟ୍ରେନର ଶୁଭାରମ୍ଭ ପରେ ଏହା ୫କୁ ବୃଦ୍ଧି ପାଇଛି।

ବ୍ରହ୍ମପୁର ଓ ରାଉରକେଲା ଷ୍ଟେସନରୁ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍; ଶୁଭାରମ୍ଭ କଲେ ମୋଦି

ଓଡ଼ିଶାରେ ଗଡ଼ିଲା ଆଉ ଦୁଇଟି ‘ବନ୍ଦେ ଭାରତ’ଏକ୍ସପ୍ରେସ୍ ଟ୍ରେନ। ବ୍ରହ୍ମପୁର-ଟାଟାନଗର ଓ ରାଉରକେଲା-ହାୱାଡ଼ା ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରେନର ଭର୍ଚୁଆଲ୍ ମୋଡରେ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ବ୍ରହ୍ମପୁର-ଟାଟା ବନ୍ଦେ ଭାରତ ଟ୍ରେନ ବ୍ରହ୍ମପୁରରୁ ବାହାରି ବାଲୁଗାଁ, ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, କଟକ, ଜଖପୁରା, ହରିଚନ୍ଦନପୁର, କେନ୍ଦୁଝର ଗଡ଼,
ନୟାଗଡ଼, ବାଂଶପାଣି, ଡାଙ୍ଗୋଆପୋଷି, ଚାଇବାସା ହୋଇ ଟାଟାନଗରରେ ପହଞ୍ଚିବ। ଏହାର ଶୁଭାରମ୍ଭ ବେଳେ ବ୍ରହ୍ମପୁର ରେଳ ଷ୍ଟେସନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ ଥିଲେ।

ସେହିପରି ରାଉରକେଲା-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ ରାଉରକେଲାରୁ ହାୱଡ଼ା ଭିତରେ କେବଳ ୩ଟି ଷ୍ଟେସନ ଚକ୍ରଧରପୁର, ଟାଟାନଗର ଓ ଖଡ଼ଗପୁରରେ ଅଟକିବ ବୋଲି ସୂଚନା ମିଳିଛି। ଏହାର ଶୁଭାରମ୍ଭ ବେଳେ ରାଉରକେଲା ଷ୍ଟେସନରେ ରାଜ୍ୟପାଳ ରଘୁବର ଦାସ ଉପସ୍ଥିତ ଥିଲେ।

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ଗସ୍ତରେ ଆସିବେ। ଏହି ଗ୍ରସ୍ତ ସମୟରେ ମୋଦି ‘ସୁଭଦ୍ରା’ ଯୋଜନା ସହ ବିଭିନ୍ନ ସରକାରୀ ଯୋଜନାର ଉଦଘାଟନ କରିବେ। ଏଥିସହ ଦୁର୍ଗ- ବିଶାଖାପାଟଣା ବନ୍ଦେ ଭାରତର ଉଦଘାଟନ କରିବେ। ପୂର୍ବରୁ ଓଡ଼ିଶା ଦେଇ ୩ଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲୁଥିବା ବେଳେ,୨ଟି ନୂଆ ସେମି-ହାଇସ୍ପିଡ୍ ଟ୍ରେନର ଶୁଭାରମ୍ଭ ପରେ ଏହା ୫କୁ ବୃଦ୍ଧି ପାଇଛି।