ବ୍ୟବସାୟରେ ଧର୍ମ

ନିଜକୁ ଆତ୍ମଘୋଷିତ ଈଶ୍ୱର ଓ ବାବା ବୋଲି ଘୋଷଣା କରିବା ଏକ ପ୍ରକାର ବାଚାଳତା ଓ ସମଗ୍ର ସମାଜ, ମାନବ ଜଗତକୁ ତଥା ଈଶ୍ୱରଙ୍କର ସୃଷ୍ଟିକୁ ହେୟଜ୍ଞାନ କରିବା ସହିତ ସମାନ। ଆଧୁନିକ ସମାଜରେ ଏମିତି କିଛି ଗୋଷ୍ଠୀ ଅଛନ୍ତି ଏମାନେ ସମୟେ ସମୟେ ଲୋକମାନଙ୍କ ମନୋବଳକୁ ଦୁର୍ବଳ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ସହ ଏମିତି ସଂଯୋଗ ସ୍ଥାପନ କରିଥାନ୍ତି ଯେ ସେମାନେ ସେମାନଙ୍କୁ ନିଜର ଭକ୍ତ ଭାବରେ ଗ୍ରହଣ କରିନେଇ ନିଜ କାରନାମା ପ୍ରକଟ […] The post ବ୍ୟବସାୟରେ ଧର୍ମ appeared first on Dharitri Odia News.

ବ୍ୟବସାୟରେ ଧର୍ମ

ନିଜକୁ ଆତ୍ମଘୋଷିତ ଈଶ୍ୱର ଓ ବାବା ବୋଲି ଘୋଷଣା କରିବା ଏକ ପ୍ରକାର ବାଚାଳତା ଓ ସମଗ୍ର ସମାଜ, ମାନବ ଜଗତକୁ ତଥା ଈଶ୍ୱରଙ୍କର ସୃଷ୍ଟିକୁ ହେୟଜ୍ଞାନ କରିବା ସହିତ ସମାନ। ଆଧୁନିକ ସମାଜରେ ଏମିତି କିଛି ଗୋଷ୍ଠୀ ଅଛନ୍ତି ଏମାନେ ସମୟେ ସମୟେ ଲୋକମାନଙ୍କ ମନୋବଳକୁ ଦୁର୍ବଳ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ସହ ଏମିତି ସଂଯୋଗ ସ୍ଥାପନ କରିଥାନ୍ତି ଯେ ସେମାନେ ସେମାନଙ୍କୁ ନିଜର ଭକ୍ତ ଭାବରେ ଗ୍ରହଣ କରିନେଇ ନିଜ କାରନାମା ପ୍ରକଟ କରିଥାନ୍ତି। କହିବାକୁ ଗଲେ ବର୍ତ୍ତମାନ ଧର୍ମ ନୁହେଁ ଧର୍ମାନ୍ଧତା ହିଁ ସମାଜରେ ବେଶି ପରିଲକ୍ଷିତ ହଏ। ତେଣୁ ବସ୍ତୁତଃ ସହନଶୀଳତା, ଭାଇଚାରା, ସହାବସ୍ଥାନ, ପ୍ରେମ, ମୈତ୍ରୀ, ପର ଦୁଃଖ ସୁଖରେ ସହଭାଗୀ ହେବା ଦୁଷ୍ପ୍ରାପ୍ୟ।

ଈଶ୍ୱର ସୃଷ୍ଟ ପ୍ରକୃତିକୁ ବିଶ୍ୱାସ ରୂପେ ଶ୍ରେଷ୍ଠତର ମଣିଷ ଆବାହନ କରିଛି। ସୂର୍ଯ୍ୟ, ଚନ୍ଦ୍ର, ଆକାଶ, ମରୁତ, ମାଟି, ଜଳରୁ ହିଁ ଧର୍ମବିଶ୍ୱାସର ଶବ୍ଦ ସୃଷ୍ଟି କରିଛି। କଲ୍ୟାଣକାରୀ ପ୍ରକୃତିର ଉପାଦାନକୁ ମଣିଷ ସ୍ବୀକାର ବି କରେ। ତା’ର ଭାବନାର ଈଶ୍ୱରୀୟ ସତ୍ତାକୁ ଉପଲବ୍ଧି କରିଆସିଛି। ଏକଥା ସତ୍ୟ ଯେ, ଗୋଟିଏ ପିପିଲୀକା ଯେପରି ଏକ ହସ୍ତୀର ପରିକଳ୍ପନା କରି ପାରେ ନାହିଁ ସେହିଭଳି ଈଶ୍ୱରୀୟ ଚେତନାର ରହସ୍ୟକୁ ଛାର ମଣିଷ ଛୁଇଁବା ସହଜ ନୁହେଁ। ସାମ୍ପ୍ରତିକ ଧର୍ମ ଶବ୍ଦ ଏକ ବିରାଟ ବିଡ଼ମ୍ବନାରେ ପରିଣତ ହୋଇଛି। ଧର୍ମ ନାମରେ ଅନେକ ବିକୃତି ଦେଖାଦେଇଛି। ଧର୍ମ ନାମରେ ଚିତା, ତିଳକ, ବସ୍ତ୍ର, ସାତ୍ତ୍ୱିକ ତଥା ନିରାମିଷ ଭୋଜନ ନୀତିକୁ ମାନି ନିଆଯାଉଛି। ଧର୍ମକୁ ବିଭକ୍ତୀକରଣ କରି ଦିଆଯାଇଛି।

ଏବେ ଆମ ଧର୍ମଚିନ୍ତନ ପୂର୍ଣ୍ଣମାତ୍ରାରେ ଦୂଷିତ। ପୁଣ୍ୟ ଫଳ ପାଇଁ ଆମେ ଆତୁର ଅଥଚ ପାପ କର୍ମଠାରୁ ନିଜକୁ ଦୂରେଇ ରଖିପାରୁ ନାହିଁ। ଅର୍ଥର ଲାଳସାରେ ବଶବର୍ତ୍ତୀ ହୋଇ ଆମେ ଧର୍ମ ନାମରେ ବ୍ୟବସାୟ ଆରମ୍ଭ କରି ଦେଇଛୁ। କିଛି ବ୍ୟକ୍ତିବିଶେଷ ଠାକୁରଙ୍କୁ ଆଗରେ ଥୋଇ ଠାକୁର ଖାଇ ଖଟୁଲୀ ବିକିବାରେ ବ୍ୟସ୍ତ। ଠାକୁରଙ୍କ ଜମିକୁ ଅକ୍ତିଆର କରି ଅର୍ଥ ଉପାର୍ଜନ କରୁଛନ୍ତି। କେତେଜଣ ଠାକୁରଙ୍କୁ ବୁଲେଇ ଟଙ୍କା ଗୋଟାଇବାରେ ବ୍ୟସ୍ତ। ଗଛରେ ସିନ୍ଦୂର ମାରି ରାସ୍ତାର ପଥରକୁ ଚନ୍ଦନ, ସିନ୍ଦୂର ଓ ତୁଳସୀମାଳ ପିନ୍ଧାଇ ଏ ହେଉଛନ୍ତି ବିଶ୍ୱର ଦେବତା ଓ ହୃଦୟର ଦେବତା କହି ଲୋକଙ୍କୁ ଭକ୍ତ ସଜେଇବାରେ ବ୍ୟସ୍ତ।

କ୍ରୋଧ, ମାନ, ମାୟା, ଲୋଭ, କାମବାସନା, ଅର୍ଥଲାଳସା ଏସବୁ ବିଚାର ଧର୍ମ ମାର୍ଗ ନୁହେଁ।
ଧର୍ମ କହିଲେ ଧନ ସମ୍ପତ୍ତି ମିଳିବ – ଏହା ଧର୍ମର ବ୍ୟବସାୟିକ ରୂପ। ଆମେ ଏତେ ଅଜ୍ଞାନ ଯେ, ଅନ୍ଧ ଭାବରେ ଏହାକୁ ମାନି ନେବା କ’ଣ ଯଥାର୍ଥ? ବିଚାରଶୀଳ ବ୍ୟକ୍ତି କେବେହେଲେ ବିଷୟଟିକୁ ପୁଙ୍ଖାନୁପୁଙ୍ଖ ବିଚାର ନ କରି କୌଣସି ସିଦ୍ଧାନ୍ତରେ ଉପନୀତ ହୋଇ ନ ଥାଏ । ଧର୍ମନାମରେ ମାତ୍ରାଧିକ ଗୁଜବ ଓ ଅନ୍ଧବିଶ୍ୱାସ ଆଡକୁ ଆମେ ଏବେ ମାଡିଚାଲିଛୁ ବିନା ଦ୍ୱିଧାରେ। ତା’ର ଫଳାଫଳ ସମ୍ପର୍କରେ ଆଦୌ ଚିନ୍ତା କରୁନା। ଧର୍ମ ନାମରେ ଯେଉଁ ଭାଣ୍ଡାମି ଚାଲିଛି ସେଥିରେ କେତେଜଣ ବିରାଡି ବୈଷ୍ଣବ ସମାଜକୁ ଧ୍ୱଂସ ଆଡ଼କୁ ଟାଣି ନେଉଛନ୍ତି ।

କିଛି ପ୍ରବଚକ ଶିଶୁ ତଥା ବାଳକଙ୍କୁ ବସାଇ ତାଙ୍କର କଳା କାରନାମା ଆରମ୍ଭ କରିଦେଲେଣି।
ଆତ୍ମଘୋଷିତ ଭଗବାନ ଓ ବାବା ବୋଲି ପ୍ରତିଷ୍ଠା କରିବା ବା ଘୋଷଣା କରିବା ହିଁ ରିଷ୍ଟ ବ୍ୟକ୍ତିତ୍ୱର ବିକାର ଅଥବା ଅତ୍ୟଧିକ ଆନନ୍ଦ ପାଇବାର ଅଭିପ୍ରାୟ ବଳବତ୍ତର ହୋଇଥାଏ। ଏଣୁ ସେ ନିଜକୁ ଏଭଳି ଭାବରେ ପରିପ୍ରକାଶ କରେ। ଏମିତି ସେ ବ୍ୟବହାର କରେ ଯେ ସମାଜଠୁଁ ଦୂରେଇ ରହେ- ସମାଜର ଚଳିତ ନୀତିନିୟମକୁ ସେ ବେଖାତିର କରେ।
ଅନ୍ୟର ସୁଖ ସୁବିଧାକୁ ସେ ତିଳେ ହେଲେ ଗ୍ରହଣ କରେନାହିଁ । ସେ ଅତ୍ୟନ୍ତ ଅହଂ ସର୍ବସ୍ବ ଈର୍ଷାପରାୟଣ ହୋଇ ନିଜେ ନିୟନ୍ତ୍ରକ ଭାବରେ କାର୍ଯ୍ୟ କରେ। ସେ ନିଜର ଦୋଷକୁ ଆଦୌ ସ୍ବୀକାର କରେ ନାହିଁ। ମଣିଷର ଏ ପ୍ରକାର ହୀନ ପ୍ରବୃତ୍ତି ହେଉଛି ମହାପାପ। ଏବଂ ନିଜର ଏସବୁ କୁପ୍ରବୃତ୍ତି ଦ୍ୱାରା ଅନ୍ୟକୁ ବଶ କରାଇ ‘ମୁଁ ଈଶ୍ୱର’ ଓ ‘ମୁଁ ସାଧୁବାବା’ କହି ମଣିଷକୁ ଭଣ୍ଡାଇ ନିଜର ସ୍ବାର୍ଥ ସିଦ୍ଧ କରିବା ହେଉଛି ଗର୍ହିତ ଅପରାଧ।

ଧର୍ମ କେବେ କାହାପାଇଁ ବନ୍ଧନ ସାଜେ ନାହିଁ।
ନିଜ ବ୍ୟକ୍ତିଗତ ଧର୍ମପାଳନ ଯେତେବେଳେ ସମାଜର ମଙ୍ଗଳ ସାଧନ କରିବାରେ କାରଣ ହୁଏ ସେତେବେଳେ ନିଜ ଧର୍ମରୁ ବିଚ୍ୟୁତ ହେବା ପାଇଁ ଶାସ୍ତି କେବେ ବି ଅଧର୍ମ ଆଖ୍ୟା ପ୍ରଦାନ କରେ ନାହିଁ। ଏଣୁ ସୁସ୍ଥ ସମାଜ ଗଠନ ଲାଗି ଏ ପ୍ରକାର ହଟ୍ଟକାରିତାକୁ ମୂଳପୋଛ କରିବା ସର୍ବଦା ବାଞ୍ଛନୀୟ ।

ମୋ:୯୪୩୭୭୨୮୪୭୫

The post ବ୍ୟବସାୟରେ ଧର୍ମ appeared first on Dharitri Odia News.