ବ୍ୟବସାୟୀ ଗୋପାଲ ଖେମକାଙ୍କ ହତ୍ୟା ଅଭିଯୁକ୍ତ ପୁଲିସ ଗୁଳିରେ ମୃତ

ପୁଲିସ୍‌ର କହିବା କଥା ଯେ ଗୋପାଲ ଖେମକାଙ୍କ ହତ୍ୟାରେ ବ୍ୟବହୃତ ହୋଇଥିବା ବନ୍ଧୁକ ରାଜା ସପ୍ଲାଏ କରିଥିଲା। ସେ ଶୁଟର ଉମେଶର ଘନିଷ୍ଠ ସହଯୋଗୀ। ଉମେଶ ହେଉଛି ଗୋପାଲ ଖେମକା ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ।

ବ୍ୟବସାୟୀ ଗୋପାଲ ଖେମକାଙ୍କ ହତ୍ୟା ଅଭିଯୁକ୍ତ ପୁଲିସ ଗୁଳିରେ ମୃତ

ବିହାରର ପ୍ରସିଦ୍ଧ ବ୍ୟବସାୟୀ ଗୋପାଲ ଖେମକାଙ୍କ ହତ୍ୟାକାଣ୍ଡର ଜଣେ ପ୍ରମୁଖ ଅଭିଯୁକ୍ତ ପୁଲିସ୍‌ ଗୁଳିରେ ପ୍ରାଣ ହରାଇଛି। ମଙ୍ଗଳବାର ଭୋର ସମୟରେ ଅଭିଯୁକ୍ତକୁ ଧରିବା ପାଇଁ ମଲ ସଲାମି ଅଞ୍ଚଳରେ ପୁଲିସ୍‌ ରେଡ କରିଥିଲା। ହେଲେ ପୁଲିସକୁ ଦେଖି ଅଭିଯୁକ୍ତ ଜଣକ ଗୁଳି ମାଡ଼ କରିବା ସହ ଖସି ଯିବାକୁ ଚେଷ୍ଟା କରିଥିଲା। ପୁଲିସ୍‌ରେ ପାଲଟା ଗୁଳି ମାଡ଼ରେ ଅଭିଯୁକ୍ତ ରାଜା ପ୍ରାଣ ହରାଇଛି।

ପୁଲିସ୍‌ର କହିବା କଥା ଯେ ଗୋପାଲ ଖେମକାଙ୍କ ହତ୍ୟାରେ ବ୍ୟବହୃତ ହୋଇଥିବା ବନ୍ଧୁକ ରାଜା ସପ୍ଲାଏ କରିଥିଲା। ସେ ଶୁଟର ଉମେଶର ଘନିଷ୍ଠ ସହଯୋଗୀ। ଉମେଶ ହେଉଛି ଗୋପାଲ ଖେମକା ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ। ସୋମବାର ପୁଲିସ୍‌ ଉମେଶକୁ ପାଟନାରୁ ଗିରଫ କରିଥିଲା। ମଙ୍ଗଳବାର ରାଜାର ଉପସ୍ଥିତି ସମ୍ପର୍କରେ ଖବର ପାଇ ପୁଲିସ୍‌ ପକ୍ଷରୁ ରେଡ କରାଯାଇଥିଲା। 

ଏତିକି ବେଳେ ସେ ପୁଲିସ୍‌ ଉପରକୁ ଗୁଳି ଚଳାଇବାରୁ ଏହାର ପାଲଟା ଜବାବରେ ତା’ର ମୃତ୍ୟୁ ହୋଇଛି। ପୁଲିସ ତା’ ନିକଟରୁ ଗୋଟିଏ ପିସ୍ତଲ, ଜୀବନ୍ତ ଗୁଳି ଓ ଏନକାଉଣ୍ଟର ସ୍ଥଳରୁ ବ୍ୟବହୃତ ଗୁଳିର ଖୋକା ଜବତ କରିଛି। ରାଜାର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି।

ବିହାର ପୁଲିସ୍‌ ଜାରି କରିଥିବା ବିବୃତିରେ କହିଛି, “ୱାଣ୍ଟେଡ ଅପରାଧୀ ବିକାଶ ଓରଫ ରାଜା ଭୋର ୨.୪୫ରେ ଦମାଇୟା ଠାରେ ହୋଇଥିବା ଏନକାଉଣ୍ଟରରେ ପ୍ରାଣ ହରାଇଛି। ଗୋଟିଏ ପିସ୍ତଲ, ଗୋଟିଏ ବୁଲେଟ ଓ ଗୋଟିଏ କାଟ୍ରିଜ ଏନକାଉଣ୍ଟର ସ୍ଥଳରୁ ଜବତ ହୋଇଛି। ପାଟନା ସ୍ଥିତ ନାଳନ୍ଦା ମେଡିକାଲ କଲେଜକୁ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।”

ଏନକାଉଣ୍ଟରର ଗୋଟିଏ ଦିନ ପୂର୍ବରୁ ପୁଲିସ୍‌ ଗୋପାଲ ଖେମକା ହତ୍ୟାକାଣ୍ଡ ଘଟଣାରେ ୫ ଜଣଙ୍କୁ ଗିରଫ କରିଥିଲା। ଏମାନଙ୍କ ମଧ୍ୟରେ ଉମେଶ ଥିବା ମଧ୍ୟ କୁହାଯାଉଛି। ହେଲେ ପୁଲିସ୍‌ ଏଯାଏ ବିଧିବଦ୍ଧ ଭାବେ ଗିରଫଦାରୀ ସମ୍ପର୍କରେ ସୂଚନା ଦେଇନାହିଁ।

ଜୁଲାଇ ୪ ତାରିଖ ଦିନ ରାତିରେ ଖେମକାଙ୍କୁ ଗାନ୍ଧି ମୈଦାନ ସ୍ଥିତ ଘର ସାମ୍ନାରେ ହିଁ ଗୁଳି କରି ହତ୍ୟା କରାଯାଇଥିଲା। ବେଶ ଯୋଜନାବଦ୍ଧ ଭାବେ ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ୍‌ ଜାଣିବାକୁ ପାଇଛି।