ବ୍ୟାନ୍‌ ପରେ ବି ଉଡ଼ୁଛି ଚାଇନିଜ ମାଞ୍ଜା ସୁତା ଗୁଡ଼ି, ସାଜିପାରେ ଘାତକ

ସରକାର ବ୍ୟାନ୍‌ କରି ସାରିଥିବା ବେଳେ କଟକ ସହରରେ କିନ୍ତୁ ଖୁଲମଖୁଲା ଜମୁଛି ବେପାର। ସବୁବେଳେ ଜନଗହଳିପୂର୍ଣ୍ଣ ରହୁଥିବା କଟକ ସହରରେ ଚାଇନିଜ ମାଞ୍ଜା ସୁତା ଲଗା ଗୁଡ଼ି ଉଡ଼ୁଛି।

ବ୍ୟାନ୍‌ ପରେ ବି ଉଡ଼ୁଛି ଚାଇନିଜ ମାଞ୍ଜା ସୁତା ଗୁଡ଼ି, ସାଜିପାରେ ଘାତକ

ଚାଇନିଜ ମାଞ୍ଜା ସୁତା। କାହା ପାଇଁ ତାହା ଖେଳର ମାଧ୍ୟମ ପାଲଟିଥିବା ବେଳେ କାହା ପାଇଁ ସାଜୁଛି ଘାତକ । ଗୁଡି ସୁତା ଲାଗି ପ୍ରତ୍ୟେକ ଦିନ ଘଟୁଛି ଅଘଟଣ। ମାଞ୍ଜା ସୁତା ଲାଗି କାହା ତଣ୍ଟି କଟୁଛି ତ କାହା ହାତ କଟୁଛି।

ଏହାକୁ ସରକାର ବ୍ୟାନ୍‌ କରି ସାରିଥିବା ବେଳେ କଟକ ସହରରେ କିନ୍ତୁ ଖୁଲମଖୁଲା ଜମୁଛି ବେପାର। ସବୁବେଳେ ଜନଗହଳିପୂର୍ଣ୍ଣ ରହୁଥିବା କଟକ ସହରରେ ଚାଇନିଜ ମାଞ୍ଜା ସୁତା ଲଗା ଗୁଡ଼ି ଉଡ଼ୁଛି। ଏହା ବାଇକ ଆରୋହୀଙ୍କ ପାଇଁସବୁଠୁ ଅଧିକ ବିପଦ ସାଜିଛି ।

ବାଇକ୍‌ ଚଳାଉଥିବା ସମୟରେ ସୁତା ଲାଗି ବହୁ ଆରୋହୀ ଆହତ ହେବା ସହ ଦୁର୍ଘଟଣା ମଧ୍ୟ ଘଟୁଛି। ଆଜି ମଧ୍ୟ କଟକ ଲିଙ୍କ ରୋଡରେ ଜଣେ ବାଇକ ଆରୋହୀଙ୍କ ଦେହରେ ସୂତା ଲାଗି ଯାଇଥିଲା । ମାତ୍ର ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ପ୍ରତି ବର୍ଷ ଚାଇନିଜ ମାଞ୍ଜା ସୁତା ପାଇଁ ବହୁ ଅଘଟଣ ଘଟୁଛି। ଏଥିରେ ବେକ କଟି ଲୋକଙ୍କର ମୃତ୍ୟୁ ହେବା ସହିତ ଅନେକ ସମୟରେ ଗୁରୁତର ହେଉଥିବା ମଧ୍ୟ ଦେଖିବାକୁ ମିଳିଛି। ଏଥିପାଇଁ ମାଞ୍ଜା ସୁତା ବ୍ୟବହାର ଉପରେ ୨୦୧୬ ମସିହାରୁ ହାଇକୋର୍ଟ ବ୍ୟାନ୍‌ ଲଗାଇ ସାରିଛନ୍ତି। ଏହାପରେ  ଗୁଡ଼ି ବିକ୍ରି ଦୋକାନରେ ପୁଲିସ୍‌ ଯାଞ୍ଚକୁ ଜୋରଦାର କରାଯାଉଛି। 

ମାତ୍ର ଚଳିତ ବର୍ଷ ଖୁଲମଖୁଲା କଟକ ଆକାଶରେ ଉଡ଼ୁଛି ଚାଇନିଜ ମାଞ୍ଜା ସୁତା ବନ୍ଧା ଗୁଡ଼ି। ପୁଲିସ ସବୁ ଦେଖି କେବଳ ନିରବଦ୍ରଷ୍ଟା ସାଜିଛି। ନା କେଉଁ ସ୍ଥାନରେ ଚଢାଉ କରୁଛି ନା ସୁତା ଜବତ କରୁଛି। ଫଳରେ ପୁଣି କେତେବେଳେ ବଡ଼ ଅଘଟଣ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ । 

ଏ  ସଂକ୍ରାନ୍ତରେ କଟକର ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା କହିଛନ୍ତି, ଚାଇନିଜ୍‌ ମାଞ୍ଜା ସୂତାରେ ଗୁଡ଼ି ଉଡ଼ାଇଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।କାର୍ଯ୍ୟାନୁଷ୍ଠାନ ନେବାକୁ ସବୁ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି। ଅନେକ ସ୍ଥାନରେ ରେଡ୍‌ କରାଯାଇ ଚାଇନିଜ୍‌ ସୂତା ଜବତ ହୋଇଛି। କିଛି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି ।