ବୟସରେ ପୂର୍ଣ୍ଣଚ୍ଛେଦ
‘କାଣ୍ଟା ଲଗା’ ମ୍ୟୁଜିକ୍ ଭିଡିଓରେ ଲୋକପ୍ରିୟତା ହାସଲ କରିବାଠାରୁ ଆରମ୍ଭ କରି ସଲମାନ ଖାନ୍ଙ୍କ ‘ମୁଝ୍ସେ ଶାଦି କରୋଗୀ’ ଚଳଚ୍ଚିତ୍ରରେ ଅଭିନୟ ସହ ରିଅଲଟି ଶୋ’ ବିଗ୍ବସ୍-୧୩ରେ ସାମିଲ ହୋଇଥିବା ଅଭିନେତ୍ରୀ ଶେଫାଳି ଜରିଓ୍ବାଲାଙ୍କର ମାତ୍ର ୪୨ ବର୍ଷ ବୟସରେ ମୃତ୍ୟୁ ଘଟିଛି । ଏଭଳି ଅକାଳ ବିୟୋଗର କାରଣ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଯୁବାବସ୍ଥା ବଜାୟ ରଖିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ ସହ ଏଥିପାଇଁ ଇଞ୍ଜେକ୍ଶନର ବାରମ୍ବାର ପ୍ରୟୋଗ ଏକ ମୁଖ୍ୟ […] The post ବୟସରେ ପୂର୍ଣ୍ଣଚ୍ଛେଦ appeared first on Dharitri Odia News.
‘କାଣ୍ଟା ଲଗା’ ମ୍ୟୁଜିକ୍ ଭିଡିଓରେ ଲୋକପ୍ରିୟତା ହାସଲ କରିବାଠାରୁ ଆରମ୍ଭ କରି ସଲମାନ ଖାନ୍ଙ୍କ ‘ମୁଝ୍ସେ ଶାଦି କରୋଗୀ’ ଚଳଚ୍ଚିତ୍ରରେ ଅଭିନୟ ସହ ରିଅଲଟି ଶୋ’ ବିଗ୍ବସ୍-୧୩ରେ ସାମିଲ ହୋଇଥିବା ଅଭିନେତ୍ରୀ ଶେଫାଳି ଜରିଓ୍ବାଲାଙ୍କର ମାତ୍ର ୪୨ ବର୍ଷ ବୟସରେ ମୃତ୍ୟୁ ଘଟିଛି । ଏଭଳି ଅକାଳ ବିୟୋଗର କାରଣ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଯୁବାବସ୍ଥା ବଜାୟ ରଖିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ ସହ ଏଥିପାଇଁ ଇଞ୍ଜେକ୍ଶନର ବାରମ୍ବାର ପ୍ରୟୋଗ ଏକ ମୁଖ୍ୟ କାରଣ ହୋଇଥାଇପାରେ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି। ଶେଫାଳି ଏକ ପୂଜା ପାଇଁ ଦିବସବ୍ୟାପୀ ଉପବାସ ରଖିଥିଲେ। ପରେ ଆଣ୍ଟି-ଏଜିଂ ଇଞ୍ଜେକଶନ୍ ନେବା ଦ୍ୱାରା ହଠାତ୍ ରକ୍ତଚାପ କମିଯିବାରୁ ତାଙ୍କ ମୃତ୍ୟୁ ଘଟିଲା। ଅନ୍ୟପକ୍ଷରେ ଡାକ୍ତରୀ ବିଜ୍ଞାନ କହୁଛି ଯେ, ଷ୍ଟେରଏଡ୍ ଓ ହର୍ମୋନାଲ ଇଞ୍ଜେକଶନ୍ ଏବଂ ମଞ୍ଜୁରୀ ପାଇ ନ ଥିବା ନୂଆ ଆଣ୍ଟି-ଏଜିଂ ଡ୍ରଗ୍ସସବୁର ନକାରାତ୍ମକ ପ୍ରଭାବ ଶରୀର ଉପରେ ପଡ଼ିଥାଏ। କେବଳ ଭାରତ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ବହୁ ସେଲିବ୍ରିଟିଙ୍କ ସମେତ ଅନେକେ ଯୁବାବସ୍ଥାରେ ରହିବା ଲାଗି ଏହି ପନ୍ଥା ଆପଣାଉଛନ୍ତି। ଏବଂ ଏହା ଏବେ ଏକ ବିରାଟକାୟ ବେପାରରେ ପରିଣତ ହୋଇଗଲାଣି।
‘ଆଣ୍ଟି-ଏଜିଂ’ର ସାଧାରଣ ବ୍ୟାଖ୍ୟାନ ହେଲା ଯୁବାବସ୍ଥା ବଜାୟ ରଖିବାର ପ୍ରୟାସ। ଦେଖିବାକୁ ଗଲେ ମଣିଷ ଜନ୍ମଠାରୁ ମୃତ୍ୟୁ ଯାଏ ବିଭିନ୍ନ ପର୍ଯ୍ୟାୟ ଦେଇ ଗତି କରିଥାଏ। ଶୈଶବ, କୈଶୋର, ବୟସ୍କ ଅବସ୍ଥା ଦେଇ ମଣିଷ ଜୀବନର ଶେଷ ପର୍ଯ୍ୟାୟରେ ପହଞ୍ଚେ। ହେଲେ ଅନେକେ ଯୌବନ ଅବସ୍ଥାରେ ଦୀର୍ଘବର୍ଷ ରହିବାକୁ ଚାହୁଁଥିବାରୁ କୃତ୍ରିମ ଉପାୟ ଅବଲମ୍ବନ କରୁଛନ୍ତି। ଏହା ଏବେ ଟ୍ରେଣ୍ଡ୍ ହୋଇଗଲାଣି। ଏହାକୁ ପ୍ରସାର କରିବାକୁ ସାମାଜିକ ଗଣମାଧ୍ୟମ ଜରିଆରେ ସେଲିବ୍ରିଟି ଓ ଇନ୍ଫ୍ଲୁଏନ୍ସର ଯୋଡ଼ି ହୋଇଗଲେଣି। ବାସ୍ତବତା ହେଲା ଜଣେ ଯଦି ୮୦ କିମ୍ବା ୯୦ ବର୍ଷ ବୟସ ଯାଏ ସୁସ୍ଥ ଭାବେ ଜିଇ ପାରିଲେ, ତାଙ୍କ ଜୀବନ ଠିକ୍ରେ ଚାଲିଲା ବୋଲି କୁହାଯାଇଥାଏ। ଅର୍ଥାତ୍ ଏଠାରେ ଦୀର୍ଘ ବୟସକୁ ଆଶୀର୍ବାଦ ବୋଲି ଧରାଯିବା କଥା। ହେଲେ ସେହି ବଢ଼ୁଥିବା ବୟସକୁ ହର୍ମୋନାଲ ଇଞ୍ଜେକଶନ୍ ହେଉ ବା ଅନ୍ୟ ଯେକୌଣସି ପଦ୍ଧତିରେ ବାଧା ସୃଷ୍ଟି କରାଯିବା ଦ୍ୱାରା ମଣିଷ ଖୁବ୍ଶୀଘ୍ର ମୃତ୍ୟୁକୁ କୋଳାଗ୍ରତ କରିବା ଦିଗରେ ଧାଉଁଛି ବୋଲି କୁହାଯାଇପାରେ। ଯେତେବେଳେ ଯାହା ହେବା କଥା ତାହା ହେବାକୁ ନ ଦିଆଯାଇ ଯଦି ଜବରଦସ୍ତ ରୋକାଯିବ, ପରିଣତି ଭୟଙ୍କର ହେବା ସ୍ବାଭାବିକ। ଗୌରବର୍ଣ୍ଣ ଦିଶିବା ଲାଗି ଯୁବତୀ, ମହିଳା ଏପରିକି ପୁରୁଷମାନେ ମଧ୍ୟ ବିଭିନ୍ନ ପ୍ରକାର କ୍ରିମ୍ ଲଗାଇବା ଓ ବଟିକା ଖାଇବାରେ ପୂର୍ବରୁ ଅଭ୍ୟସ୍ତ ଥିବା ଦେଖାଯାଇଛି। ମୁଣ୍ଡରେ ବାଳ ରୋପଣ ଓ ପାଚିଲା ଚୁଟିରେ କେଉଁ କଲ୍ର ଲଗାଇଲେ ମଣିଷ ଯୁବା ଦିଶିବେ ସେଥିଲାଗି ଅନେକ କମ୍ପାନୀ ସେମାନଙ୍କ ପସରା ମେଲାଇ ଦେଇଛନ୍ତି। କହିବାକୁ ଗଲେ ବିଉଟି ଇଣ୍ଡଷ୍ଟ୍ରି ବା ସୌନ୍ଦର୍ଯ୍ୟ ଶିଳ୍ପର ଆକାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିସହିତ ହେଲ୍ଥ ଆଣ୍ଡ୍ ଓ୍ବେଲନେସ୍ ବା ସ୍ବାସ୍ଥ୍ୟ ଓ ଆରୋଗ୍ୟ ଶିଳ୍ପ ମଧ୍ୟ ମିଶିଯାଇ ଆଣ୍ଟି-ଏଜିଂର ନୂଆ ବ୍ୟାଖ୍ୟାନ ସୃଷ୍ଟି କରୁଛନ୍ତି। ବିଗତ କିଛିବର୍ଷ ହେବ ଯୁବପିଢ଼ି ଅତ୍ୟଧିକ ଶାରୀରିକ ବ୍ୟାୟାମ କରିବା ସହ ବିଭିନ୍ନ କମ୍ପାନୀ ଦ୍ୱାରା ବଜାରରେ ଉପଲବ୍ଧ ହେଉଥିବା ବଟିକା, ପାଉଡର ଓ ହେଲ୍ଥ ଟନିକ୍ ବ୍ୟବହାର କରୁଛନ୍ତି। ଯଦି ଏଭଳି ଅପ୍ରାକୃତିକ ପଦ୍ଧତି ଆପଣାଯାଇ ଜଣେ ମୋଟା ଲୋକ ପତଳା ହୋଇପାରୁଛି, ନିଶ୍ଚିତ ଭାବେ ତାହାର ପ୍ରଭାବ ଶରୀର ଉପରେ ଦୀର୍ଘମିଆଦୀ ପଡ଼ିବା ଥୟ। ସ୍ଲିମ୍ ରହିବା, ସିକ୍ସ ପ୍ୟାକ୍ କନ୍ସେପ୍ଟକୁ ମୁଣ୍ଡ ଭିତରେ ପୂରାଉଥିବା ସଂସ୍ଥାର ବ୍ୟବସାୟ ଭଲ ହୋଇପାରେ। କିନ୍ତୁ ତାହା ଅନେକ କ୍ଷେତ୍ରରେ କ୍ଷତି ପହଞ୍ଚାଉଥିବା ଲକ୍ଷ୍ୟ କରାଯାଉଛି। ଏଥିରୁ ବୁଝିବାକୁ ହେବ ଯେ, ଯେତେସବୁ ଅବାସ୍ତବ ଉପାୟ ଅବଲମ୍ବନ କରାଯାଉଛି, ତାହା ଦ୍ୱାରା ଲାଭ ଅପେକ୍ଷା କ୍ଷତି ବଢ଼ିଯାଉଛି। କାରଣ ଏହା ପ୍ରକୃତି ବିରୋଧୀ। ହସଖୁସିରେ ସାଧାରଣ ଓ ସରଳ ଜୀବନ ଜିଇବାର ମଜା ଧୀରେ ଧୀରେ ଲୋକେ ଭୁଲିଗଲେଣି। ବୟସ ବଢ଼ିଯାଉଥିବାର ଭୟ ଯୋଗୁ ଯେଉଁସବୁ ଉଗ୍ର ଉପାୟ ଅବଲମ୍ବନ କରାଯାଉଛି, କେବେ କେବେ ତାହାହିଁ ବୟସରେ ପୂର୍ଣ୍ଣଚ୍ଛେଦ ପକାଇ ଦେଉଛି।
The post ବୟସରେ ପୂର୍ଣ୍ଣଚ୍ଛେଦ appeared first on Dharitri Odia News.