ଭବାନୀପାଟଣାରେ ପୁଣି ପଦ୍ମ ଫୁଟିବ ନା ବଦଳିବ ବାଜି ?

ମୈଦାନରେ ପୁଣି ବିଜେପିର ସିଟିଂ MLA ପ୍ରଦୀପ୍ତ ନାୟକ । ମହିଳା କାର୍ଡ ଖେଳି ଦୁଷ୍ମନ୍ତଙ୍କ ସ୍ତ୍ରୀ ଲଳିତାଙ୍କୁ ପ୍ରାର୍ଥୀ କରିଛି ବିଜେଡି ।

ଭବାନୀପାଟଣାରେ ପୁଣି ପଦ୍ମ ଫୁଟିବ ନା ବଦଳିବ ବାଜି ?

ଏଥର କାହାର ହେବ ଭବାନୀପାଟଣା ? ପୁଣି ବିଜେପି ନା ବଦଳିବ ବାଜି ? ନୋମିନେସନ୍ ଆରମ୍ଭ ହୋଇ ନଥିଲେ ବି, ତିନି ଦଳର ଯୋଦ୍ଧା ଘୋଷଣା ପରଠୁ ଏଠି ସରଗରମ ଭୋଟ୍ ରାଜନୀତି। କଂପି ଆସିଲାଣି ପ୍ରଚାର ମୈଦାନ୍। କାରଣ ଗତଥର ଭଳି ଏଥର ବି ଏଠି ହେବ ତ୍ରିମୁଖୀ ଲଢ଼େଇ।

ବିଜେପି ଏଥର ବରିଷ୍ଠ ବଜେପି ନେତା ତଥା ସିଟିଂ ଏମଏଲଏ ପ୍ରଦୀପ୍ତ କୁମାର ନାଏକଙ୍କୁ ପୁଣି ଯୋଦ୍ଧା ସଜାଇଛି। ୪ ଥରର ବିଧାୟକ ପ୍ରଦୀପ୍ତ ଗତ ୧୯ ନିର୍ବାଚନ ଜିତି ବିଧାନସଭାରେ ବିରୋଧୀ ଦଳ ନେତା ଆସନରେ ବସିଥିଲେ। ଅସୁସ୍ଥତା ପାଇଁ ବିରୋଧୀ ଦଳ ନେତା ପଦ ଛାଡ଼ିଥିଲେ ବି ସୁସ୍ଥ ହେବା ପରେ ଲୋକସଂପର୍କ ଓ ଟ୍ରାକ୍ ରେକର୍ଡକୁ ଦେଖି ତାଙ୍କ ଉପରେ ପୁଣି ଭରସା କରିଛି ଦଳ। ସେ ବି ଟିକେଟ୍ ପାଉ ପାଉ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ଓ ଲୋକାଭିମୁଖୀ ଯୋଜନାକୁ ପାଥେୟ କରି ବଳ ଲଗେଇଦେଲେଣି ମୈଦାନରେ।

ସେପଟେ ପ୍ରଦୀପ୍ତଙ୍କୁ ଟକ୍କର ଦେବାକୁ ବିଜେଡି ଖେଳିଛି ମହିଳା କାର୍ଡ। ପୂର୍ବତନ ବିଧାୟକ ତଥା ଗତଥରର ପରାଜିତ ପ୍ରାର୍ଥୀ ଦୁଷ୍ମନ୍ତ ନାଏକଙ୍କୁ ରିପିଟ୍ ନକରି ତାଙ୍କ ପତ୍ନୀ ଳଳିତା ନାଏକଙ୍କୁ ଟିକେଟ୍ ଦେଇଛି ଶାସକ ଦଳ। ତେଣୁ ମୈଦାନରେ ନୂଆ ଖେଳାଳି ହେଲେ ବି ନବୀନଙ୍କ ନାଁ ଓ ସ୍ୱାମୀଙ୍କ ପରିଚୟ ବଳରେ ନିର୍ବାଚନ ବୈତରଣୀ ପାର ହେବାକୁ ଆଶା ରଖିଛନ୍ତି ଲଳିତା।

ତେଣେ କଂଗ୍ରେସ ଏଥର ବି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭକ୍ତ ଦାସଙ୍କ ପୁଅ ସାଗର ଦାସଙ୍କୁ ମୈଦାନକୁ ଛାଡ଼ିଛି। ଗତ ଥର ଲଢ଼େଇରେ ତୃତୀୟ ସ୍ଥାନରେ ଥିଲେ ବି ପରିବର୍ତ୍ତନର ନାରା ଦେଇ, ଭୋଟ୍ ପାଣିପାଗକୁ ଏଠି ନିଜ ସପକ୍ଷକୁ ଆଣିବାର ପ୍ରୟାସ ଆରମ୍ଭ କରିଦେଇଛନ୍ତି ସାଗର।

ପ୍ରଥମ ପର୍ଯ୍ୟାୟ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭକୁ ଆଉ ମାତ୍ର ସପ୍ତାହଟେ ଥିବାରୁ ପ୍ରଚାର ଲଢ଼େଇ ପାଇଁ ଏଠି ଯୋଦ୍ଧା ପ୍ରସ୍ତୁତ। ନେତା ବାଛିବାକୁ ଜନତା ବି ତୟାର। କାରଣ ଏଠି ପ୍ରତିଥର ବଦଳେ ରାଜନୀତିର ଚିତ୍ର। ୨୦୦୯ରେ କଂଗ୍ରେସ, ୨୦୧୪ରେ ବିଜେଡି, ୨୦୧୯ରେ ବିଜେପି। ପ୍ରତିଥର ଦଳ ଅପେକ୍ଷା ଏଠି ନେତାଙ୍କୁ ଅଧିକ ଗୁରୁତ୍ୱ ଦିଅନ୍ତି ଜନତା।

ସେଇଥିପାଇଁ ଗତଥର କଳାହାଣ୍ଡି ଜିଲ୍ଲାର ୫ଟି ବିଧାନସଭା ଆସନରୁ ୪ଟିରେ ବିଜେଡି ବାଜିମାତ କରିଥିବା ବେଳେ ଏଠି କିନ୍ତୁ ବିଜେଡି ପ୍ରାର୍ଥୀ ଦୁଷ୍ମନ୍ତ ନାଏକଙ୍କୁ ୪ ହଜାର ୬୮୪ ଭୋଟରେ ହରାଇ ଚତୁର୍ଥ ଥର ପାଇଁ ବିଧାୟକ ହୋଇଥିଲେ ପ୍ରଦୀପ୍ତ ନାଏକ। ପ୍ରଦୀପ୍ତ ୬୩ ହଜାର ୬୩ ଖଣ୍ଡ ଭୋଟ୍ ପାଇଥିବା ବେଳେ ଦୁଷ୍ମନ୍ତ ନାଏକ ପାଇଥିଲେ ୫୮ ହଜାର ୩୭୯ ଭୋଟ୍। ସେହିପରି ୩୫ ହଜାର ୪୯୪ ଭୋଟ୍ ସହ ତୃତୀୟ ସ୍ଥାନରେ ରହିଥିଲେ ସାଗର ଦାସ । ତେଣୁ ଏଥର ଗଡ଼ ଜିତିବାକୁ ଲଢ଼େଇ ଜୋରଦାର ହେବା ଆଶା କରୁଛନ୍ତି ରାଜନୈତିକ ସମୀକ୍ଷକ।

ପ୍ରଥମ ପର୍ଯ୍ୟାୟରେ ମେ ୧୩ ତାରିଖରେ ଭବାନୀପାଟଣା ଭୋଟ୍। ହାତରେ ଆହୁରି ମାସାଧିକ କାଳ ଥିବା ବେଳେ ଏବେଠୁ ପ୍ରଚାର ତାତିକୁ ଦେଖିଲେ ଆଗକୁ ତିନି ଦଳ ଭିତରେ ଏଠି ଲଢ଼େଇ ଯେ ଆହୁରି ଜୋରଦାର ହେବ ତାହା ସ୍ପଷ୍ଟ ଦିଶିଯାଉଛି।