ଭାରତର ଷ୍ଟ୍ରାଇକ ପରେ ପାକ୍‌କୁ ବଡ଼ ଝଟକା: ମ୍ୟାଚ୍‌ ରଦ୍ଦ, ଦେଶ ଛାଡ଼ିବାକୁ ଚାହୁଁଛନ୍ତି ବିଦେଶୀ ଖେଳାଳି

ଭାରତର ଗୋଟିଏ ଡ୍ରୋନ ରାୱାଲପିଣ୍ଡି ଷ୍ଟାଡିୟମର ୧୦୦ ମିଟର ଦୂରରେ ମାଡ଼ ହେବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇଛି।

ଭାରତର ଷ୍ଟ୍ରାଇକ ପରେ ପାକ୍‌କୁ ବଡ଼ ଝଟକା: ମ୍ୟାଚ୍‌ ରଦ୍ଦ, ଦେଶ ଛାଡ଼ିବାକୁ ଚାହୁଁଛନ୍ତି ବିଦେଶୀ ଖେଳାଳି

ଆତଙ୍କୀସ୍ତାନ ପାକିସ୍ତାନକୁ ବଡ଼ ଝଟକା ଲାଗିଛି। ଭାରତର ଅପରେସନ ସିନ୍ଦୂର ଫେଜ ୨ ପରେ ପାକିସ୍ତାନରେ କୋକୁଆ ଭୟ ସୃଷ୍ଟି ହୋଇଛି। ପାକିସ୍ତାନର ପ୍ରମୁଖ ସହରରେ ଥିବା ଏୟାର ଡିଫେନ୍ସ ରାଡାର ଓ ସିଷ୍ଟମକୁ ଭାରତୀୟ ସେନା ଆଜି ଟାର୍ଗେଟ କରିଛି। ଲାହୋରି, କରାଚି, ଇସଲାମାବାଦ ଓ ରାୱଲପିଣ୍ଡିରେ ଭାରତୀୟ ସେନା ଡ୍ରୋନ ଷ୍ଟ୍ରାଇକ କରିବାରୁ ପାକିସ୍ତାନ ଦୋହଲି ଯାଇଛି।

ଭାରତର ଗୋଟିଏ ଡ୍ରୋନ ରାୱାଲପିଣ୍ଡି ଷ୍ଟାଡିୟମର ୧୦୦ ମିଟର ଦୂରରେ ମାଡ଼ ହେବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏହି ଘଟଣା ପରେ ପାକିସ୍ତାନ ସୁପର ଲିଗର ଭବିଷ୍ୟତକୁ ନେଇ ଆଶଙ୍କା ଦେଖାଯାଇଛି। ଆଜି ରାୱଲପିଣ୍ଡି ଷ୍ଟାଡିୟମରେ ପେଶାୱର ଜାଲିମ ଓ କରାଚି କିଙ୍ଗସ ମଧ୍ୟରେ ମୁକାବିଲା ଥିଲା। କିନ୍ତୁ ପିଏସ୍‌ଏଲର ଏହି ମ୍ୟାଚ୍‌କୁ ଭାରତର ଡ୍ରୋନ ଷ୍ଟ୍ରାଇକ ପରେ ରଦ୍ଦ କରି ଦିଆଯାଇଛି।

ସେହିପରି ପିଏସଏଲରେ ବାକି ଥିବା ମ୍ୟାଚଗୁଡ଼ିକ ଏଣିକି କରାଚି, ଦୋହା ଓ ଦୁବାଇରେ ଖେଳାଯିବ ବୋଲି ପିସିବି ସଙ୍କେତ ଦେଇଛି। ବୁଧବାର ଯାଏ ପିଏସ୍‌ଏଲ ଆୟୋଜକୁ ନେଇ ପିସିବି ଦମ୍ଭୋକ୍ତି କରୁଥିଲା। ଭାରତ ସହ ତିକ୍ତତା ଚାଲିଥିଲେ ହେଁ ପିଏସଏଲ ପାକିସ୍ତାନରେ ଅନୁଷ୍ଠିତ ହେବ ବୋଲି ପିସିବି କହିଥିଲା। ହେଲେ ଆଜି ଡ୍ରୋନ ଷ୍ଟ୍ରାଇକ ପରେ ପାକିସ୍ତାନର ସ୍ୱର ବଦଳି ଯାଇଛି।

ଜଣେ ପୂର୍ବତନ କ୍ରିକେଟର କହିଛନ୍ତି, “ରାୱଲପିଣ୍ଡିରେ ହେବାକୁ ଥିବା ପିଏସଏଲର ଗୋଟିଏ ମ୍ୟାଚକୁ ଆକ୍ରମଣ ପରେ ବାତିଲ କରାଯାଇଛି। ଆକ୍ରମଣ ପରେ ବିଦେଶୀ ଖେଳାଳି ପୂରା ସ୍ତବ୍ଧ। ଏବେ ଅଧିକାଂଶ ଖେଳାଳି ଯଥା ଶୀଘ୍ର ପାକିସ୍ତାନ ଛାଡ଼ିବାକୁ ଚାହୁଁଛନ୍ତି। ପିସିବି ଏହା ଉପରେ ସରକାରଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବ।”

ପହଲଗାମ ହମଲାର ବଦଳା ନେବାକୁ ଭାରତୀୟ ସେନା ମଙ୍ଗଳବାର ବିଳମ୍ବିତ ରାତିରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ୯ଟି ଆତଙ୍କୀ ଆଡ୍ଡାରେ ମିସାଇଲ ମାଡ଼ କରିଥିଲା। ଭାରତ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିଥିଲେ ହେଁ ପାକିସ୍ତାନ ଏହାକୁ ସହଜରେ ଗ୍ରହଣ କରି ନଥିଲା। ବୁଧବାର ବିଳମ୍ବିତ ରାତିରେ ପାକିସ୍ତାନ ସେନା ଅବନ୍ତିପୁରା, ଜମ୍ମୁ, ପଠାନକୋଟ, ଅମୃତସରଳ, କପୁରତାଲା, ଜଲନ୍ଧର, ଲୁଧିଆନା, ଆଦମପୁର, ଭାଟିଣ୍ଡା, ଚଣ୍ଡିଗଡ଼, ନାଲ, ଫାଲୋଡି, ଉତ୍ତରଲାଇ ଓ ଭୁଜ ଭଳି ସହର ଏବଂ ଏଠାରେ ଥିବା ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରି ମିସାଇଲ ଓ ଡ୍ରୋନ ମାଡ଼ କରିଥିଲା।

କିନ୍ତୁ ସେଗୁଡ଼ିକୁ ଇଣ୍ଟିଗ୍ରେଟେଡ କାଉଣ୍ଟର ୟୁଏଏସ ଗ୍ରୀଡ ଓ ଏୟାର ଡିଫେନ୍ସ ସିଷ୍ଟମ ଦ୍ୱାରା ନଷ୍ଟ କରି ଦିଆଯାଇଥିଲା। ନଷ୍ଟ ହୋଇଥିବା ମିସାଇଲ ଓ ଡ୍ରୋନର ଭଗ୍ନାଂବଶେଷଗୁଡ଼ିକ ଆଜି ସକାଳୁ ବିଭିନ୍ନ ସ୍ଥାନରୁ ମିଳିଛି। ଏହା ପାକିସ୍ତାନର ଆକ୍ରମଣକୁ ପ୍ରମାଣିତ କରିଛି।

ପାକିସ୍ତାନ ମିସାଇଲ ଓ ଡ୍ରୋନ ଦ୍ୱାରା ଆଟାକ ପାଇଁ ଚେଷ୍ଟା କରିଥିବାରୁ ଭାରତୀୟ ସେନା ଆଜି ଏହାର ଜବାବ ଦେଇଛି। ଭାରତୀୟ ସେନାର ଡ୍ରୋନ ପାକିସ୍ତାନର ବିଭିନ୍ନ ସ୍ଥାନରେ ଥିବା ଏୟାର ଡିଫେନ୍ସ ରାଡାର ଓ ସିଷ୍ଟମକୁ ଟାର୍ଗେଟ କରିଥିଲା। ଲାହୋର ସ୍ଥିତି ଏୟାର ଡିଫେନ୍ସ ରାଡାର ଓ ସିଷ୍ଟମକୁ ମଧ୍ୟ ଭାରତୀୟ ଡ୍ରୋନ ନଷ୍ଟ କରିବାକୁ ସକ୍ଷମ ହୋଇଛି। ଗୋଟିଏ ଡ୍ରୋନ ରାୱଲପିଣ୍ଡି ଷ୍ଟାଡିମୟ ନିକଟରେ ବି ମାଡ଼ ହୋଇଛି।

ପାକିସ୍ତାନ ମିଡିଆର ରିପୋର୍ଟ ଅନୁସାରେ, ପିସିବି ପକ୍ଷରୁ ଗୁରୁବାର ପିଏସଏଲର ସମସ୍ତ ପ୍ରାଞ୍ଚାଇଜଙ୍କୁ ନେଇ ଗୋଟିଏ ବୈଠକ ଲାହୋରର ଗଦାଫି ଷ୍ଟାଡିୟମରେ ଆୟୋଜନ କରାଯାଇଛି। ଏହି ବୈଠକରେ ପିଏସ୍‌ଏଲରେ ବାକି ଥିବା ମ୍ୟାଚ୍‌ଗୁଡ଼ିକର ଭବିଷ୍ୟତ ଉପରେ ନିଷ୍ପତ୍ତି ନିଆଯିବ।

ବର୍ତ୍ତମାନର ସ୍ଥିତିକୁ ଦେଖି ପିସିବି ପିଏସଏଲର ମ୍ୟାଚଗୁଡ଼ିକୁ ବିଦେଶକୁ ସ୍ଥାନାନ୍ତର କରିବାକୁ ଲକ୍ଷ୍ୟ ରହିଛି। ସେହିପରି ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ ମଧ୍ୟ ଦୁବାଇରେ ଆୟୋଜନ କରିବାକୁ ଚିନ୍ତା କରୁଛି।