ଭୁଶୁଡ଼ିଲା ୩ ମହଲା କୋଠା, ଅନେକ ଚାପି ହୋଇ ରହିଥିବା ଆଶଙ୍କା
ବିଲଡିଂ ଭୁଶୁଡ଼ିବା ବେଳେ ଗୋଟିଏ ଟ୍ରକ ସେଠାରେ ଛିଡ଼ା ହୋଇଥିଲା। ଫଳରେ ଟ୍ରକ୍ଟି ମଧ୍ୟ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି।
ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଘଟିଛି ବଡ଼ ଅଘଟଣା। ଲକ୍ଷ୍ନୌର ଟ୍ରାନ୍ସପୋର୍ଟ ନଗରରେ ଥିବା ଗୋଟିଏ ୩ ମହଲା ବିଶିଷ୍ଟ କୋଠା ହଠାତ୍ ଭୁଶୁଡ଼ି ପଡ଼ିଛି। ଏହି ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି। ତେବେ ଧ୍ୱଂସାବଶେଷ ତଳେ ଅନେକ ଲୋକ ଚାପି ହୋଇ ରହିଥିବା କୁହାଯାଉଛି।
ସେମାନଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ଉଦ୍ୟମ କରାଯାଉଛି। ବିଲଡିଂ ଭୁଶୁଡ଼ିବା ବେଳେ ଗୋଟିଏ ଟ୍ରକ ସେଠାରେ ଛିଡ଼ା ହୋଇଥିଲା। ଫଳରେ ଟ୍ରକ୍ଟି ମଧ୍ୟ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଧ୍ୱଂସାବଶେଷ ତଳେ ଟ୍ରକଟି ମଧ୍ୟ ପୋତି ହୋଇ ରହିଛି।
ଖବର ପାଇ ଏନଡିଆରଏଫ, ଏସଡିଆରଏଫ, ଅଗ୍ନିଶମ କର୍ମଚାରୀ, ପୁଲିସ ଓ ରାଜସ୍ୱ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେମାନେ ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ପଠାଇଛନ୍ତି।
ଧ୍ୱଂସାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ତେବେ କେଉଁ କାରଣରୁ ହଠାତ୍ ବିଲଡିଂଟି ଭୁଶୁଡ଼ିଲା ଓ ଭୁଶୁଡ଼ିଲା ବେଳେ ଏହା ଭିତରେ କେହି ରହୁଥିଲେ କି ନାହିଁ, ସେକଥା ଜଣାପଡ଼ିନି।