ଭୂ-ସ୍ଖଳନ ମହାବିପର୍ଯ୍ୟୟରେ ଛାରଖାର ୱାୟନାଡ୍; ସ୍ଥିତି ପରଖିବାକୁ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଲା ଓଟିଭି ଟିମ୍
କେରଳ ମହାବିପର୍ଯ୍ୟୟକୁ ବିତିଗଲାଣି ଚାରି ଦିନ । କେମିତି ଅଛି କାଳରୂପୀ ଭୂସ୍ଖଳନରେ ବିଧ୍ବସ୍ତ ୱାୟନାଡ଼ ଜିଲ୍ଲା । ଜାଣିବାକୁ ଗ୍ରାଉଣ୍ଡ ଜିରୋକୁ ଯାଇଛି ଓଟିଭି ଟିମ୍ ।
ପ୍ରକୃତିର କରାଳ ରୂପରେ ଘାଇଲା କେରଳର ୱାୟନାଡ଼ କେମିତି ହୋଇଛି ଛାରଖାର । ଚିତ୍ର ପରଖିବାକୁ ସେଠି ପହଞ୍ଚିଛି ଓଟିଭି ଟିମ୍ । ୪ଦିନ ପରେ ବି ଅଗମ୍ୟ ହୋଇ ରହିଛି ଭୂସ୍ଖଳନରେ ବିଧ୍ବସ୍ତ ମେପାଡ଼ି ଅଞ୍ଚଳ। ରେସ୍କ୍ୟୁ ଟିମଙ୍କ ପକ୍ଷରୁ ଉଦ୍ଧାରକାର୍ଯ୍ୟ ତ ଚାଲିଛି, ହେଲେ ବିରାଟ ପ୍ରତିବନ୍ଧକ ସାଜିଛି ତୁହାକୁ ତୁହା ବର୍ଷା । ବିଷମ ପରସ୍ଥିତି ସତ୍ତ୍ବେ ମାଟି ତଳେ ପୋତି ହୋଇଥିବା ୪ ଜଣଙ୍କୁ ଆଜି ସେନା ଯବାନ ଜୀବନ୍ତ ଉଦ୍ଧାର କରିଛନ୍ତି।
ଆଉ ଉଦ୍ଧାର ଅଭିଯାନରେ ଜୀବନ ଲାଗିଛି ବାଜିରେ । ବଞ୍ଚି ଯାଇଥିବା ଜୀବନ ବି ଖୋଜା ଚାଲିଛି । NDRF, SDRF, ସେନା ଓ ସ୍ବେଚ୍ଛାସେବୀ, ସମସ୍ତଙ୍କର ସେଇ ଗୋଟିଏ ଲକ୍ଷ୍ୟ, ଧସିଥିବା ପାହାଡ଼ ତଳ ହେଉ କି ମାଟି କାଦୁଅ ଭର୍ତ୍ତି ଭିତରୁ ଜୀବନ ସନ୍ଧାନ। ମେପ୍ପାଡି ପାହାଡର ଭୂସ୍ଖଳନ ସ୍ଥଳ, ଯେଉଁଠି ପାଦେ ପାଦେ ବିପଦ। ଆଜି ବି ପ୍ରଖର ସ୍ରୋତରେ ବହି ଚାଲିଛି ଚେଲିୟାର ନଦୀ। ତଥାପି ଜୀବନକୁ ବାଜି ଲଗାଇ ନଦୀ ଉପରେ ରଶିରେ ପାର ହୋଇ ସର୍ଚ୍ଚ ଅପରେସନ୍ ପାଇଁ ଯାଉଛନ୍ତି ଏନଡିଆରଏଫ୍ ଯବାନ। ଭୂସ୍ଖଳନର ୯୬ ଘଣ୍ଟା ପରେ ପରେ ମାଟି ତଳେ ପୋତି ହୋଇଥିବା ୪ ଜଣଙ୍କୁ ସେନା ଯବାନ ଜୀବନ୍ତ ଉଦ୍ଧାର କରିଛନ୍ତି। ଯାହାଙ୍କ ଭିତରେ ଅଛନ୍ତି ୨ ମହିଳା।
ସେମିତି ମୁଣ୍ଡାକାଇ ଓ ଚୁରାଲମାଲା ଅଞ୍ଚଳରୁ ଅଦ୍ୟାବଧି ହଜାରେରୁ ଅଧିକ ଲୋକଙ୍କୁ ଜୀବିତ ଉଦ୍ଧାର କରି ସାରିଲେଣି ବିଭିନ୍ନ ରେସ୍କ୍ୟୁ ଟିମ୍। ସେପଟେ ସେନା ଦ୍ବାରା ନିର୍ମିତ ଏକ ଫୁଟ୍ ଓଭର ବ୍ରିଜ୍, ଯାହା ମାତ୍ର ୨୪ ଘଣ୍ଟା ଭିତରେ ତିଆରି ହୋଇଛି। Cl 24 ନାମକ ଏ Bailey Bridge ଚୁରାଲମାଲ୍ଲାକୁ ମୁଣ୍ଡାକ୍କାଇ ସହ ସଂଯୋଗ କରୁଛି। ଇରୁବାଂଜିପୁଝା ନଦୀ ଉପରେ ବ୍ରିଜ୍ ଯୋଗୁଁ ଅନେକ ଆହତ ଓ ଗୁରୁତରଙ୍କୁ ଉଦ୍ଧାର କରାଯିବା ସହ ଯୋଗାଯୋଗ ପାଇଁ ସହଜ ହୋଇପାରିଛି । ପ୍ରଭାବିତ ଅଞ୍ଚଳରେ ରିଲିଫ୍ ବଣ୍ଟନକୁ ବି ପ୍ରାଧାନ୍ୟ ଦିଆଯାଇଛି।
ସମୁଦ୍ର ପତନଠାରୁ ପ୍ରାୟ ଦେଢ଼ ହଜାର ମିଟର ଉଚ୍ଚରେ, କେରଳର ୱାୟନାଡ୍ ଜିଲ୍ଲାରେ ଗତ ମଙ୍ଗଳବାର ଭୋରରୁ ହୋଇଥିବା ସର୍ବଗ୍ରାସୀ ଭୂସ୍ଖଳନରେ ଅଦ୍ୟାବଧି ୩ଶହ ପାର୍ କରିଥିବାବେଳେ ଏବେ ବି ଶହ ଶହ ଲୋକ ନିଖୋଜ ଅଛନ୍ତି। ଆହତ ଅବସ୍ଥାରେ ଶତାଧିକ ଲୋକଙ୍କର ବିଭିନ୍ନ ମେଡିକାଲରେ ଚିକିତ୍ସା ଚାଲିଛି। ସ୍ୟାଟେଲାଇଟ୍ ଚିତ୍ରର ସୂଚନା ଅନୁସାରେ ପ୍ରାୟ ୯୬ ହଜାର ବର୍ଗମିଟର ଅଞ୍ଚଳରେ ମାଟି ଧସି ଯାଇଛି, ଯାହା ପ୍ରାୟ ୮ କିଲୋମିଟର ବ୍ୟାପ୍ତ ବୋଲି ଜଣାପଡ଼ିଛି।