ଭୂତାଣୁ ସଂକ୍ରମଣ: ଘରେ ଘରେ ସର୍ଦ୍ଦି-କାଶ-ଜ୍ୱର, ରାଜଧାନୀରେ ପ୍ରତି ୫ଜଣରେ ଜଣେ ଜ୍ୱର ସଂକ୍ରମିତ

ଭୁବନେଶ୍ୱର : ଘରେ ଘରେ ଜ୍ୱର, କାଶ, ଥଣ୍ଡା। ଡେଙ୍ଗୁ, ମ୍ୟାଲେରିଆ ଆଦି ପରୀକ୍ଷା କଲେ ରିପୋର୍ଟ ନେଗେଟିଭ୍‌ ଆସୁଛି; କିନ୍ତୁ ୫ରୁ ୭ ଦିନ ପର୍ଯ୍ୟନ୍ତ ତଣ୍ଟି ଦରଜ ଓ ଗଳା ବସିବା ଭଳି ଲକ୍ଷଣ ଦେଖାଯାଉଛି। ଶରୀରରେ ତାପମାତ୍ରା କିଛି ଦିନ ପର୍ଯ୍ୟନ୍ତ ଲାଗି ରହୁଛି। ରାଜଧାନୀରେ ପ୍ରତି ୫ଜଣରେ ଜଣେ ଏବେ ଏହି ଜ୍ୱରରେ ସଂକ୍ରମିତ। ଦୈନିକ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ଶହ ଶହ ରୋଗୀ ଧାଉଁଛନ୍ତି। ସେହିଭଳି ସହର ଭିତରେ ଥିବା ସହରାଞ୍ଚଳ […]

ଭୂତାଣୁ ସଂକ୍ରମଣ: ଘରେ ଘରେ ସର୍ଦ୍ଦି-କାଶ-ଜ୍ୱର, ରାଜଧାନୀରେ ପ୍ରତି ୫ଜଣରେ ଜଣେ ଜ୍ୱର ସଂକ୍ରମିତ
Cold-cough-fever at home

ଭୁବନେଶ୍ୱର : ଘରେ ଘରେ ଜ୍ୱର, କାଶ, ଥଣ୍ଡା। ଡେଙ୍ଗୁ, ମ୍ୟାଲେରିଆ ଆଦି ପରୀକ୍ଷା କଲେ ରିପୋର୍ଟ ନେଗେଟିଭ୍‌ ଆସୁଛି; କିନ୍ତୁ ୫ରୁ ୭ ଦିନ ପର୍ଯ୍ୟନ୍ତ ତଣ୍ଟି ଦରଜ ଓ ଗଳା ବସିବା ଭଳି ଲକ୍ଷଣ ଦେଖାଯାଉଛି। ଶରୀରରେ ତାପମାତ୍ରା କିଛି ଦିନ ପର୍ଯ୍ୟନ୍ତ ଲାଗି ରହୁଛି। ରାଜଧାନୀରେ ପ୍ରତି ୫ଜଣରେ ଜଣେ ଏବେ ଏହି ଜ୍ୱରରେ ସଂକ୍ରମିତ। ଦୈନିକ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ଶହ ଶହ ରୋଗୀ ଧାଉଁଛନ୍ତି।

ସେହିଭଳି ସହର ଭିତରେ ଥିବା ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଘରୋଇ ଚିକିତ୍ସାଳୟରେ ମଧ୍ୟ ରୋଗୀଙ୍କ ଲମ୍ବା ଧାଡ଼ି। ଭୂତାଣୁ ସଂକ୍ରମଣ ଯୋଗୁଁ ଏହି ରୋଗ ହେଉଛି ଓ କୋଭିଡ଼ ପରି ଜଣକଠାରୁ ଅନ୍ୟ ଜଣକୁ ବ୍ୟାପୁଛି। କେହିକେହି ଏହାକୁ କୋଭିଡର ସୂକ୍ଷ୍ମ ସଂସ୍କରଣ ବୋଲି ପ୍ରଚାର ଆରମ୍ଭ କରିଛନ୍ତି। ବିଶେଷକରି ଛୋଟ ପିଲା ଏଥିରେ ଅଧିକ ମାତ୍ରାରେ ସଂକ୍ରମିତ ହେଉଛନ୍ତି। ପରିବାରର କୌଣସି ସଦସ୍ୟଙ୍କୁ ଏହି ଜ୍ୱର ହେଲେ ଧୀରେ ଧୀରେ ସମସ୍ତେ ସଂକ୍ରମିତ ହେଉଛନ୍ତି। କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞ ଏହାକୁ ଏଚ୍‌-୧ ଏନ୍‌-୧ ଭୂତାଣୁ କହୁଥିବାବେଳେ କିଛି ଜଣ ଏହାକୁ ଭାଇରାଲ୍‌ ଜ୍ୱର ବୋଲି କହୁଛନ୍ତି। ହେଲେ ସରକାରୀ ଭାବେ ଏହି ଜ୍ୱରକୁ ନେଇ କୌଣସି ସ୍ପଷ୍ଟ କରାଯାଇ ନାହିଁ। ତେଣୁ ଏହା କେଉଁ ପ୍ରକାର ଭୂତାଣୁ ବୋଲି କିଛି ସ୍ପଷ୍ଟ ହୋଇପାରୁନି। ରୋଗୀ ଡାକ୍ତରଖାନାରୁ ଓ ଔଷଧ ଦୋକାନରୁ ଥଣ୍ଡା ପାଇଁ ଉଦ୍ଦିଷ୍ଟ ଔଷଧ ଆଣି ଖାଇ ଭଲ ହୋଇଯାଉଛନ୍ତି।

ଏହି ଜ୍ୱରରେ ପୀଡ଼ିତ ବ୍ୟକ୍ତି ରବୀନ୍ଦ୍ର କୁମାର ସେଠୀ କହିଛନ୍ତି, ମୁଁ ଦୁଇ ଦିନ ତଳେ ଜ୍ୱରରେ ଆକ୍ରାନ୍ତ ହୋଇଥିବାବେଳେ ପ୍ରଥମେ ଥଣ୍ଡା ଔଷଧ ଆଣି ଖାଇଥିଲି। ଦେହରେ ତାପମାତ୍ରା ଆସିବା ଓ ଦେହ ହାତ ଦରଜ ବ୍ୟଥା ହେବା ଯୋଗୁଁ ଡାକ୍ତରଖାନାକୁ ଆସି ଡେଙ୍ଗୁ ଓ ମ୍ୟାଲେରିଆ ପରୀକ୍ଷା କଲି। ହେଲେ ରିପୋର୍ଟ ନେଗେଟିଭ୍‌ ଆସିଛି। ଡାକ୍ତର ଥଣ୍ଡା ଔଷଧ ଦେବା ସହ ୪୮ରୁ ୭୨ ଘଣ୍ଟା ଭିତରେ ଭଲ ହୋଇଯିବ ବୋଲି କହିଛନ୍ତି। ଡାକ୍ତର ସୁବାଶିଷ ପଣ୍ଡା କହିଛନ୍ତି, ସାଧାରଣତଃ ପାଗରେ ପରିବର୍ତ୍ତନ ଆସିବା କାରଣରୁ ଥଣ୍ଡା ଜ୍ୱର ହେବା ସ୍ୱାଭାବିକ। ଏହାକୁ ନେଇ ଆଦୌ ଚିନ୍ତିତ ହେବା ଉଚିତ ନୁହେଁ। ଏହା ଭାଇରାଲ୍‌ ଜ୍ବର ହୋଇଥିବାରୁ ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ନ ବ୍ୟାପିବା ନେଇ ସତର୍କ ରହିବା ଜରୁରୀ। ନଚେତ୍‌ ପରିବାରର ବରିଷ୍ଠ ବ୍ୟକ୍ତି ଏହି ରୋଗରେ ଥରେ ଆକ୍ରାନ୍ତ ହେଲେ ଭଲ ହେବାକୁ ସମୟ ଲାଗିବ। କାରଣ ଯୁବକଙ୍କ ତୁଳନାରେ ତାଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍‌। ଥରେ ଏହି ରୋଗର ଭାଇରାସ୍‌ ତାଙ୍କ ଭିତରେ ପ୍ରବେଶ କଲେ, ସଂପୂର୍ଣ୍ଣ ସୁସ୍ଥ ହେବା ପାଇଁ ୨୦ ଦିନ ସମୟ ଲାଗିବ ବୋଲି ସେ କହିଛନ୍ତି।

କରୋନା ନିୟମାବଳୀ ଆପଣାଇବାକୁ ପରାମର୍ଶ

ଭାଇରାଲ୍‌ ଜ୍ବର ଅତି ସହଜରେ ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ଚାଲିଯାଉଛି। ବିଶେଷକରି ରୋଗୀ ମାସ୍କ ନ ପିନ୍ଧିଥିବାବେଳେ ରୋଗୀର ପାଖରେ ବସିବା ଓ ରୋଗୀ ବ୍ୟବହାର କରୁଥିବା ଜିନିଷ ପତ୍ରକୁ ବ୍ୟବହାର କରିବା ଦ୍ୱାରା ହିଁ ସଂକ୍ରମଣ ବୃଦ୍ଧି ପାଉଛି। ତେଣୁ କରୋନା ମହାମାରୀ ସମୟରେ ଯେଭଳି ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ବାଧ୍ୟତାମୂଳକ ହୋଇଥିଲା, ଏବେ ସେହି ପନ୍ଥା ଆପଣାଇବା ସହ ଆକ୍ରାନ୍ତ ବ୍ୟକ୍ତି ଥଣ୍ଡା ଓ ପାରାସିଟାମଲ୍‌ ଭଳି ଔଷଧ ଖାଇବା ଉଚିତ୍‌ ବୋଲି ଡ଼ାକ୍ତରମାନେ ପରାମର୍ଶ ଦେଇଛନ୍ତି। ଏହାସହ ଗରମ ବାମ୍ଫ ନେବାକୁ ଡାକ୍ତରମାନେ ପରାମର୍ଶ କରିଛନ୍ତି। ଛୋଟ ଶିଶୁଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ସମସ୍ତେ ଏହି ଚିକିତ୍ସା ପଦ୍ଧତିକୁ ଆପଣାଇବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି।